• translate
Sarbeswar

ପାଟନା: ବିହାରରେ ଡଙ୍ଗାବୁଡ଼ି। ମଝି ନଈରେ ହଠାତ୍‌ ବୁଡ଼ିଗଲା ଡଙ୍ଗା। ଆଉ ତାହା ପରେ ଯାହା ହେଲା ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ। ତେବେ ଡଙ୍ଗା ବୁଡ଼ି ସମୟର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡ଼ିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ, ନିଜ ଜୀବନକୁ ବଂଚାଇବା ଲାଗି ଲୋକମାନେ ଡଙ୍ଗାରୁ ନଈ ମଧ୍ୟକୁ ଡେଇଁ ପଡ଼ୁଛନ୍ତି। ଆଉ ସେହି ସମୟରେ ନଈର ଜଳସ୍ତର ବହୁ ଅଧିକ ରହିବା ସହ ବର୍ଷା ମଧ୍ୟ ହେଉଥିବା ଜଣାପଡ଼ିଛି। କିନ୍ତୁ ମଝି ନଈରେ କୌଣସି ଉପାୟ ନପାଇ ଲୋକମାନେ ଏମିତି କରିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ପାଟନାର ମାନେସରେ ବୁଡ଼ୁଥିବା ଡଙ୍ଗାରେ  ବେଆଇନ ବାଲି ଚୋରାଚାଲାଣ ହେଉଥିଲା। ଆଉ ସେହି ସମୟରେ ନଦୀରେ ହଠାତ୍‌ ଜଳସ୍ତର ବଢିବାକୁ ଲାଗିଥିଲା। କେବଳ ଯେ, ପାଣି ବଢିଥିଲା ତାହା ନୁହେଁ ବରଂ ନଈରେ କଂରେଟ୍ ମଧ୍ୟ ଆସିଥିଲା। ତେଣୁ ଡଙ୍ଗା ଭାରସ୍ୟାମ ହରାଇ ଥିଲା ଓ ମଝି ନଈରେ ହିଁ ବୁଡ଼ିବାକୁ ଲାଗିଥିଲା। ଆଉ କୌଣସି ଉପାୟ ନପାଇ ସିଧା ମଝି ନଈକୁ ଡେଇଁଥିଲେ ଲୋକେ। କିନ୍ତୁ ସୌଭାଗ୍ୟର କଥା ସେହି ସମୟରେ ପାଖଆଖରେ ଅନ୍ୟ ଡଙ୍ଗାମାନେ ଥିଲେ। ଯେଉଁଥି ଲାଗି ନଈରେ ବୁଡ଼ିଯାଉଥିବା ଲୋକମାନଙ୍କୁ ଉଦ୍ଧାରକାର୍ଯ୍ୟ କରିବାରେ ସାହାଯ୍ୟ କରିଥିଲେ। କୁହାଯାଉଛି ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ଡଙ୍ଗାରେ ଥିବା ଲୋକ।

ତେବେ କେଉଁ ପରିସ୍ଥିତିରେ ନଈରୁ ଏମିତି ବିପଦଜନକ ଭାବରେ ବାଲି ଚୋଲାଚାଲାଣ ହେଉଥିଲା? କିଏ କରୁଥିଲା? କେଉଁଠିକୁ କରୁଥିଲା? ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଥିରେ କେଉଁମାନେ ସମ୍ପୃକ୍ତ ଅଛନ୍ତି? ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ସେପଟେ, ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ଏହା ଆଜିକା କଥା ନୁହେଁ ବରଂ ନିତିଦିନ ଏପରି ଭାବରେ ବାଲି ଚୋରାଚାଲାଣ ହେଉଛି। ଡଙ୍ଗାରେ ଟନ୍‌ ଟନ୍‌ ବାଲି ନେଉଛନ୍ତି ବାଲି ମାଫିଆ। ପ୍ରଶାସନ ସବୁ ଜାଣି ଚୁପ୍‌ ବସିଛି ବୋଲି ସେମାନେ ଅଭିଯୋଗ କରିବା ସହ ପୂର୍ବରୁ ମଧ୍ୟ ଏପରି ଘଟଣା ଘଟିଥିବା କହିଛନ୍ତି।

ପୂର୍ବରୁ ବିହାର ଭାଗଲପୁରରେ ଗଙ୍ଗା ନଦୀରେ ଡଙ୍ଗା ବୁଡ଼ି ଯିବା ଯୋଗୁ ଅନେକ ଯାତ୍ରୀ ନିଖୋଜ ହୋଇଯାଇଥିଲେ। ଡଙ୍ଗାରେ ୧୦୦ରୁ ଅଧିକ ଲୋକ ଥିଲେ ବୋଲି ସୂଚନା ମିଳିଥିଲା। ଭାଗଲପୁର ନାଉଗାଚ୍ଛିଆ ଅଞ୍ଚଳରେ ଏହି ଅଘଟଣ ଘଟିଥିଲା। ତେବେ କାହିଁକି ବାରମ୍ବାର ଦୁର୍ଘଟଣା ପରେ ବି ଏମିତି ବିପଦପୂର୍ଣ୍ଣ ଯାତ୍ରା କରୁଛନ୍ତି ଲୋକେ? କେବେ ପ୍ରଶାସନ ଏହା ଉପରେ ରୋକ ଲଗାଇବ ତାହାକୁ ଅପେକ୍ଷା ରହିଛି।

 

Other Stories