ଧାରା ୩୭୭କୁ ନେଇ ସୁପ୍ରିମ୍‌କୋର୍ଟରେ ବିତର୍କ

ନୂଆଦିଲ୍ଲୀ : ଧାରା ୩୭୭କୁ ନେଇ ସୁପ୍ରିମ୍‌କୋର୍ଟରେ ବିତର୍କ । ୩୭୭କୁ ବଦଳାଇବାକୁ ରାଜି ହୋଇଛନ୍ତି ସବୋର୍ଚ୍ଚ ଅଦାଲତ । ୩୭୭ ଧାରା ବଳରେ ଦେଶର ନାଗରିକଙ୍କ ମଧ୍ୟରେ ଭେଦଭାବ ରହୁଛି । ନାଗରିକଙ୍କ ମୌଳିକ ଅଧିକାର କ୍ଷୂର୍ଣ୍ଣ ହେବା ସଙ୍ଗୀନ ବ୍ୟାପାର ବୋଲି ଦର୍ଶାଇଛନ୍ତି କୋର୍ଟ । ସମଲିଙ୍ଗୀ ସମ୍ପର୍କର ଗୁରୁତ୍ୱକୁ ଅନୁଭବ କରିଛନ୍ତି ଜଷ୍ଟିସ୍ ଇନ୍ଦୁ ମଲହୋତ୍ରା । ନିଜ ଇଚ୍ଛା ସତ୍ତ୍ୱେ ସମାଜର ଚାପ ପ୍ରଭାବିତ କରେ। ଯାହା ମାନସିକ ଏବଂ ଶାରୀରିକ ଅବସ୍ଥା ଉପରେ ମଧ୍ୟ ପ୍ରଭାବ ପକାଇ ଥାଏ ବୋଲି କହିଛନ୍ତି ଜଷ୍ଟିସ୍ ମଲହୋତ୍ରା ।

କେବଳ ଏତିକି ନୁହଁ, LGBT ସମୁଦାୟଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ସୁବିଧା ବି ମିଳିପାରେ ନାହିଁ। ସେହିପରି ସମାଜର କୁପ୍ରଥା ଏବଂ ଚିନ୍ତାଧାରକୁ ବଦଳାଇବା ସମୟ ଆସିଛି ବୋଲି କହିଛନ୍ତି ଜଷ୍ଟିସ୍ ଡି.ୱାଇ. ଚନ୍ଦ୍ରଚୂଡ଼।

ଆର୍ଟିକାଲ୍ ୩୭୭କୁ ନେଇ ତୃତୀୟ ଦିନରେ ଜାରି ରହିଥିଲା ଶୁଣାଣି। ଗତକାଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଜବାବ ଦାଖଲ ପରେ ଏନେଇ ସୁପ୍ରିମକୋର୍ଟଙ୍କ ପାଞ୍ଚ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚ ମାମଲାର ଶୁଣାଣି କରୁଛନ୍ତି । ଯଦି ଦୁଇ ଜଣ ସାବାଳକ ନିଜ ଇଚ୍ଛା ଅନୁସାରେ କୌଣସି ପ୍ରକାର ଯୌନ କ୍ରିୟାରେ ଲିପ୍ତ ହୁଅନ୍ତି, ତାହା ଅପ୍ରାକୃତିକ ହୋଇଥିଲେ ମଧ୍ୟ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବନାହିଁ ବୋଲି କହିଥିଲେ ପ୍ରଧାନବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର।

୧୫୦ରୁ ଅଧିକ ବର୍ଷ ଧରି ଚାଲି ଆସିଥିବା ନିୟମକୁ ବଦଳାଇବା ପାଇଁ ୨୦୦୧ରୁ ଆରମ୍ଭ ହୋଇଥିଲା ପ୍ରୟାସ । ନାଜ୍ ଫାଇଣ୍ଡେସନ୍ ପକ୍ଷରୁ ଧାରା ୩୭୭ର ପରିବର୍ତ୍ତନ ପାଇଁ ଦିଲ୍ଲୀ ହାଇକୋର୍ଟରେ ଦାଖଲ ହୋଇଥିଲା ଜନସ୍ୱାର୍ଥ ମାମଲା । ୨ ଜୁଲାଇ, ୨୦୦୯ରେ ସମଲିଙ୍ଗୀ ସମ୍ପର୍କକୁ ବୈଧ ଦର୍ଶାଇଥିଲେ ଅଦାଲତ । ଯାହାକୁ ବିରୋଧ କରି କିଛି ଧାର୍ମିକ ଅନୁଷ୍ଠାନ ସୁପ୍ରିମକୋର୍ଟର ଦ୍ୱାରସ୍ତ ହୋଇଥିଲେ। ଏପଟେ ଏହି ଧାରାର ପରିବର୍ତ୍ତନ କରାଗଲେ, କୌଣସି ଆପତ୍ତି ରହିବ ନାହିଁ ବୋଲି ପୂର୍ବରୁ କେନ୍ଦ୍ର ସରକାର ଦର୍ଶାଇ ଦେଇଛନ୍ତି।

You might also like