ତବଲିଗ୍‌ ଜମାତଙ୍କ ସୂଚନା ଦେଲେ ମିଳିବ ଏତେ ଟଙ୍କାର ପୁରସ୍କାର !

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଜୋନପୁର ଜିଲ୍ଲାର ଡିଏମ୍(DM) କହିଛନ୍ତି, ଦିଲ୍ଲୀର ମରକଜରୁ ଆସି ଏଠାରେ ଲୁଚି ରହିଥିବା ତବଲିଗ୍‌ ଜମାତମାନଙ୍କ ବିଷୟରେ ଯେଉଁ ବ୍ୟକ୍ତି ସୂଚନା ଦେବେ ତାଙ୍କୁ ୫୧୦୦ ଟଙ୍କା ପୁରସ୍କାର ଦିଆଯିବ। ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୮୦୦ ଅତିକ୍ରମ କରିଛି।  କରୋନାରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଅଧିକାଂଶ ତବଲିଗ୍‌ ଜମାତର ବୋଲି ଜଣାପଡିବା ପରେ ଏପରି ଘୋଷଣା କରଯାଇଛି।

ଜୋନପୁରର ଡିଏମ୍‌ ଦୀନେଶ କୁମାର ସିଂ କହିଛନ୍ତି, ‘ଦିଲ୍ଲୀର ତବଲିଗ୍‌ ଜମାତରେ ଯୋଗ ଦେଇଥିବା କିଛି ଲୋକ ଏଠାକୁ ଆସିଛନ୍ତି। ଏପର୍ଯ୍ୟନ୍ତ ୪୬ଜଣଙ୍କୁ ଚିହ୍ନଟ କରାଯାଇ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି। ସେମାନଙ୍କ ମଧ୍ୟରୁ ୨ଜଣ କରୋନାରେ ଆକ୍ରାନ୍ତ ହୋଇ ବାରଣାସୀର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ସେ କହିଛନ୍ତି, ‘ଯଦି କୌଣସି ବ୍ୟକ୍ତି ଲୁଚି  ରହିଛନ୍ତି, ତେବେ ଦୟାକରି ମୋ ଫୋନ୍‌କୁ କଲ୍‌ କରନ୍ତୁ କିମ୍ୱା ପାଖରେ ଥିବା ପୋଲିସ ଷ୍ଟେସନକୁ ଯାଇ ସେଠାକାର ଥାନା ଅଧିକାରୀଙ୍କୁ ବ୍ୟକ୍ତିଗତ ଭାବେ ଜଣାନ୍ତୁ । ନଚେତ୍‌ ହ୍ୱାଟ୍‌ସ୍‌ ଆପ୍‌ ମାଧ୍ୟମରେ ସୂଚନା ଦିଅନ୍ତୁ। ଯାହାଦ୍ୱାରା ଆମେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ସ୍ୱାବ ନମୁନାକୁ ପରୀକ୍ଷା କରିବା ପାଇଁ ପଦକ୍ଷେପ ନେଇପାରିବୁ। ଯଦି କେହି ସୂଚନା ଦିଅନ୍ତି ନାହିଁ, ପଛରେ ଧରାପଡ଼ିବେ, ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଡିଏମ୍‌ ଜନସାଧାରଣଙ୍କ ନିକଟରେ ଅପିଲ୍‌ କରିଛନ୍ତି ଯେ ‘ଯଦି ସେମାନଙ୍କ ନଜରରେ ଏପରି ବ୍ୟକ୍ତି ଅଛନ୍ତି, ତେବେ ମୋ ମୋବାଇଲକୁ କଲ୍‌ କରି ଗୋପନୀୟ ତଥ୍ୟ ଦେଇପାରିବେ। ସେମାନଙ୍କର ଗୋପନୀୟ ତଥ୍ୟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ସଠିକ୍ ସୂଚନା ଦେଇଥିବା ବ୍ୟକ୍ତିଙ୍କୁ ୫୧୦୦ଟଙ୍କା ପୁରସ୍କାର ପ୍ରଦାନ କରାଯିବ।

 

You might also like