ପତ୍ନୀଙ୍କ ଉପରକୁ ହାତ ଉଠାଉଥିଲେ ସାବଧାନ ! ଯିବାକୁ ପଡ଼ିବ କ୍ୱାରେଣ୍ଟାଇନ୍‌

ପୁଣେ: ମହାମାରୀ କରୋନାକୁ ନେଇ ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା ପରେ ଘରୋଇ ହିଂସା ମାମଲାକୁ ଦୃଷ୍ଟିରେ ରଖି ପୁଣେ ଜିଲ୍ଲା ପରିଷଦ ଏକ ନିଆରା ପଦକ୍ଷେପ ନେଇଛନ୍ତି। ପରିଷଦର ଅଧିକାରୀମାନେ କହିଛନ୍ତି ଯେ, ଯଦି କୌଣସି ବ୍ୟକ୍ତି ଘରୋଇ ହିଂସା ମାମଲାରେ ଜଡ଼ିତ ଥିବେ ତେବେ ତାଙ୍କୁ ପ୍ରାଥମିକ ସ୍ତରରେ ୧୪ଦିନ କ୍ୱାରେଣ୍ଟାଇନ୍‌ରେ ରଖାଯିବ।

ପରିଷଦର ଏହି ନୂଆ ନିଷ୍ପତ୍ତି, ଘରୋଇ ମହିଳାମାନଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତି ଦେଇଛି। ଜିଲ୍ଲା ପରିଷଦର ଅଧିକାରୀଙ୍କ ମତରେ ଲକ୍‌ଡାଉନ୍‌ କାରଣରୁ ଦେଶରେ ମଦ ବିକ୍ରି ବନ୍ଦ ରହିଛି । ତଥାପି ଘରୋଇ ହିଂସା ବଢ଼ିବାରେ ଲାଗିଛି। ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପରିଷଦ ଏହି ନିଷ୍ପତ୍ତି ନେଇଛନ୍ତି। ଯଦି କୌଣସି ବ୍ୟକ୍ତିଙ୍କ ବିରୋଧରେ ଏହି ଅଭିଯୋଗ ଆସେ,ତେବେ ତୁରନ୍ତ ସେମାନଙ୍କୁ ସରକାରୀ କ୍ୱାରେଣ୍ଟାଇନ୍‌ରେ ରଖାଯିବ।

ଏହା ବ୍ୟତୀତ ବିଭିନ୍ନ ଅଞ୍ଚଳରେ ଗ୍ରାମବାସୀ, ଅଙ୍ଗନୱାଡି କର୍ମୀ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ସହାୟତା ମଧ୍ୟ ନିଆଯିବ। କାରଣ ସେମାନେ ଏଭଳି ଘରୋଇ ହିଂସା ଘଟଣା ଉପରେ ତୀକ୍ଷ୍ଣ ନଜର ରଖିବେ।

ପାରିବାରିକ ହିଂସା ଘଟଣାକୁ ରୋକିବା ପାଇଁ ପରିଷଦ ଦ୍ୱାରା 18002334130 ହେଲ୍ପଲାଇନ ନମ୍ବର ଜାରି କରାଯାଇଛି।

You might also like