କଡ଼ାକଡ଼ି ହେବ କୋଭିଡ କଟକଣା: କଣ୍ଟେନମେଣ୍ଟ ଜୋନ୍‌ରେ ଲାଗୁ ହେବ ନାଇଟ କର୍ଫ୍ୟୁ

ନୂଆଦିଲ୍ଲୀ:  ଜାନୁଆରୀ ମାସ ପାଇଁ କୋଭି଼ଡ ଗାଇଡଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର । ନଭେମ୍ବର ୨୫ରେ ଜାରି ହୋଇଥିବା ଗାଇଡଲାଇନକୁ  ଜାନୁଆରୀ ୩୧ ଯାଏଁ ବୃଦ୍ଧି କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ। ଏହି ଗାଇଡଲାଇନ୍ ପାଳନ ପାଇଁ ସବୁ ରାଜ୍ୟକୁ କେନ୍ଦ୍ର ଚିଠି ଲେଖିଛି।

ଏଥିରେ କୋଭିଡ୍ ନେଇ ଥିବା ଏସଓପି ପାଳନ କରିବା ଲାଗି କେନ୍ଦ୍ର କଡ଼ା ନିର୍ଦ୍ଦେଶ ରହିଛି। ଏପରିକି କଣ୍ଟେନ୍‌ମେଣ୍ଟ ଜୋନରେ ଲଗା  ନାଇଟ୍ କର୍ଫ୍ୟୁ ମଧ୍ୟ ଲଗାଯାଇ ପାରିବ ବୋଲି ଏହି ଗାଇଡଲାଇନରେ କୁହାଯାଇଛି।  ଏଥିସହ ପୂର୍ବ ଭଳି ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ନିୟମ ଉଲ୍ଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଗାଇଡଲାଇନରେ କୁହାଯାଇଛି ।

ବ୍ରିଟେନ୍‌ରେ କରୋନାର ନୂଆ ଷ୍ଟ୍ରେନ୍ ଚିହ୍ନଟ ହେବା ପରେ କେନ୍ଦ୍ର ପକ୍ଷରୁ ଏଭଳି କଡା ପଦକ୍ଷେପ ନିଆଯାଇଛି। ଦେଶରେ ବର୍ତ୍ତମାନ କୋଭିଡ ମାମଲା ହ୍ରାସ ପାଉଥିଲେ ବି ବ୍ରିଟେନ୍‌ରେ ଦେଖାଦେଇଥିବା କରୋନାର ନୂଆ ଷ୍ଟ୍ରେନ ପାଇଁ ସତର୍କ ରହିବାକୁ ସରକାର ପରାମର୍ଶ ଦେଇଛନ୍ତି । ବିଶେଷ କରି ନୂଆ ବର୍ଷ ସେଲିବ୍ରେସନ ଓ ଶୀତ ଦିନ ଭୂତାଣୁକୁ ସୁହାଉଥିବାରୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ଏନେଇ କଡା ପଦକ୍ଷେପ ନେବାକୁ ସରକାର କହିଛନ୍ତି।

ସୂଚନାଥାଉ କି, ଭାରତରେ ମଧ୍ୟ କରୋନା କାୟା ବିସ୍ତାର କରି ଚାଲିଛି। ବର୍ତ୍ତମାନ ସୁଦ୍ଧା ଭାରତରେ୧,୪୭,୯୪୦ ଜଣ କରୋନାରେ ଆଖି ବୁଜି ସାରିଲେଣି। ଦେଶରେ ଏବେ କରୋନା ସଂକ୍ରମିତ ସଂଖ୍ୟା ୧,୦୨,୦୮,୭୨୫ ଥିବାବେଳେ  ୯୭,୮୨,୬୬୯  ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି।

କରୋନା ଭୟ କମି ନ ଥିଲେ ହେଁ ସଂକ୍ରମଣର ହାର ହ୍ରାସ ପାଇଛି। ଏ ନେଇ ଲୋକେ ସାମାନ୍ୟ ଆଶ୍ୱସ୍ତ ହୋଇଥିବାବେଳେ ଏବେ ବ୍ରିଟେନରୁ ଚିହ୍ନଟ କରୋନା ଭୂତାଣୁର ନୂଆ ଷ୍ଟ୍ରେନ ଚିନ୍ତା କାରଣ ହୋଇଛି । ଅବଶ୍ୟ କୋଭିଡ୍ ପରିଚାଳନା ପାଇଁ ଗଠିତ ଜାତୀୟ ଟାସ୍କ ଫୋର୍ସର ସଦସ୍ୟ ତଥା ଦିଲ୍ଲୀ ଏମସର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ ଆଶ୍ୱାସନା ଦେଇଛନ୍ତି, କରୋନା ଏହାର ରୂପ ପରିବର୍ତ୍ତନ କରିଥିଲେ ହେଁ ଏହାର   ଲକ୍ଷଣ କିମ୍ବା ଚିକିତ୍ସାରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ତେଣୁ ଏହାକୁ ନେଇ ଭୟ କରିବାର କୌଣସି କାରଣ ନାହିଁ । ତଥାପି ବ୍ରିଟେନ୍‌ର ନୂଆ ଷ୍ଟ୍ରେନକୁ ନେଇ ସବୁଆଡେ ଆତଙ୍କ ଖେଳି ଯାଇଛି।

ବିଶେଷକରି ବ୍ରିଟେନରୁ ଭାରତ ଫେରିଥିବା ବ୍ୟକ୍ତିମାନେ ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛନ୍ତି। ସେମାନଙ୍କ  ଠିକଣା ଖୋଜୁଛି ସ୍ୱାସ୍ଥ୍ୟ ବିଭାଗ। ନଭେମ୍ବର ୩୦ରୁ ଡିସେମ୍ବର ୨୧ ମଧ୍ୟରେ ଲଣ୍ଡନରୁ ୧୮୧ ଜଣ ଫେରିଥିଲେ। ସେମାନଙ୍କ ମଧ୍ୟରୁ ୧୧୯ ଜଣଙ୍କ ପତ୍ତା ମିଳିଛି ଓ ସେମାନଙ୍କର ଟେଷ୍ଟ୍‌ କରାଯାଇଛି। ତେବେ ବ୍ରିଟେନ ଫେରନ୍ତାଙ୍କ ମଧ୍ୟରୁ ୬ଜଣଙ୍କ କରୋନା ପଜିଟିଭ ବାହାରିଛି।  ଅନ୍ୟ ୬୨ଜଣ ଭୁଲ୍‌ ନମ୍ବର ଓ ଠିକଣା ଦେଇଥିବାରୁ ସେମାନଙ୍କ ସମ୍ପର୍କରେ ସୂଚନା ମିଳି ପାରିନାହିଁ।

ତେବେ ଏହି ନୂଆ ଷ୍ଟ୍ରେନର ଚିକିତ୍ସା ପାଇଁ ଚିକିତ୍ସାରେ କୌଣସି ପରିବର୍ତ୍ତନ କରାଯାଇ ନ ଥିବାରୁ ଭାକ୍ସିନ ଆଶା ସଞ୍ଚାର କରିଛି। ଭାରତରେ ଭାକ୍ସିନ ପାଇଁ ସମସ୍ତ ଯୋଜନା ପ୍ରସ୍ତୁତ କରାଯାଇଛି। ଏପରିକି ଟିକାକରଣ ପାଇଁ ୪ ରାଜ୍ୟ ଆନ୍ଧ୍ରପ୍ରଦେଶ, ପଞ୍ଜାବ, ଗୁଜରାଟ ଏବଂ ଆସାମରେ ଗତକାଲିଠାରୁ  ଦୁଇ ଦିନିଆ ଡ୍ରାଏ ରନ ଆରମ୍ଭ କରାଯାଇଛି।  ଡ୍ରାଏ ରନ୍‌ର ଲକ୍ଷ୍ୟ ହେଉଛି, ଟିକାକରଣ ପୂର୍ବରୁ ସମସ୍ତ ପ୍ରସ୍ତୁତିର ଯାଞ୍ଚ କରିବା। ଏପରିକି କୋଲ୍ଡ ଷ୍ଟୋରେଜ ବ୍ୟବସ୍ଥା  ଏବଂ ପରିବହନ ବ୍ୟବସ୍ଥାର ମଧ୍ୟ ଯାଞ୍ଚ କରାଯିବା।

You might also like