• translate
Prangyan Parimita

ନୂଆଦିଲ୍ଲୀ : ଭାଇରସର ଭୟାବହତା କମ୍ ହୋଇଥିଲେ ସୁଦ୍ଧା ସଚେତନ ହେବା ନିହାତି ଜରୁରୀ । ନିୟମ ମାନିବା ସହ ବେପରୁଆ ନହେବା ପାଇଁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ପରାମର୍ଶ ଦେଇଛନ୍ତ କେନ୍ଦ୍ର ସରକାର । ଦେଶରେ କରୋନା ସଂକ୍ରମଣରେ ସାମାନ୍ୟ ବ୍ରେକ୍ ଲାଗିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଉଛି । ଏହାରି ଭିତରେ କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ରାଜ୍ୟମାନଙ୍କୁ ଚିଠି ଲେଖି କୋଭିଡ ସମ୍ବନ୍ଧୀୟ ରଣନୀତିର କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଦେଶରେ ସଂକ୍ରମଣ ହ୍ରାସ ପାଇଥିଲେ ସୁଦ୍ଧା ଟେଷ୍ଟ-ଟ୍ରାକ୍‌-ଟ୍ରିଟ୍ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବାପାଇଁ ରାଜ୍ୟ ଗୁଡ଼ିକୁ ଚିଠି ଲେଖିଛି କେନ୍ଦ୍ର । ଅନଲକ୍ ପ୍ରକିୟା ଆରମ୍ଭ ହୋଇସାରିଥିବା ବେଳେ ତୃତୀୟ ଲହରୀ ଆଶଙ୍କା ମଧ୍ୟ ରହିଛି । ଏପରିସ୍ଥିତିରେ ଅନଲକ୍ ପ୍ରକିୟା ପାଇଁ ଅଧିକ ଯତ୍ନବାନ ହେବା ଜରୁରୀ । ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ ଅଧିକାରୀଙ୍କୁ କୁହାଯାଇଛି । ପ୍ରତିବନ୍ଧକ ଲଗାଇବା ଏବଂ ହଟାଇବାକୁ ନିଷ୍ପତ୍ତି ସ୍ଥିତିର ଆକଳନ ପରେ ନିଆଯିବା ଆବଶ୍ୟକ । ରାଜ୍ୟରେ ଟିକାକରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦିଆଯାଇଛି ।

ଚିଠିରେ କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା କରୋନା ରୋକିବା ପାଇଁ ପାଞ୍ଚଟି ରଣନୀତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏଥିରେ କୋଭିଡ ସମ୍ମନ୍ଧୀ ଆଚରଣ, ଟେଷ୍ଟ, ଟ୍ରାକ, ଟ୍ରିଟ ଏବଂ ଟୀକାକରଣ ଅନ୍ତର୍ଭୁକ୍ତ । କେତେକ ରାଜ୍ୟରେ ପ୍ରତିବନ୍ଧକ ହଟିବା ପରେ ଅମାନିଆ ମାନେ ଭିଡ ସୃଷ୍ଟି କରୁଛନ୍ତି । ସଂକ୍ରମଣ ସମ୍ପୂର୍ଣ୍ଣ ଥମିନଥିବା ବେଳେ ସଚେତନ ହେଉନାହାନ୍ତି ଲୋକେ । ଅନେକ ସ୍ଥାନରେ ସମାବେଶ ହେଉଥିବା ଦେଖିବାକୁ ମିଳିଛି । ଏପରି ସ୍ଥିତିରେ ଅନଲକ୍ ପ୍ରକ୍ରିୟାରେ କେଣସି ଢିଲା ନହେବା ଆବଶ୍ୟକ ବୋଲି ସେ କହିଛନ୍ତି ।

ସେପଟେ ଆଗାମୀ ୬-୮ ସପ୍ତାହ ମଧ୍ୟରେ ଭାରତକୁ ଆସିପାରେ କରୋନାର ତୃତୀୟ ଲହରୀ । ତୃତୀୟ ଲହରୀ ସମ୍ପର୍କରେ ସୂଚନା ଦେଇଛନ୍ତି  ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ । ସେ କହିଛନ୍ତି କୌଣସ ମତେ ତୃତୀୟ ଲହରୀକୁ ଏଡାଇ ହେବ ନାହିଁ। ପ୍ରଥମ ଓ ଦ୍ୱିତୀୟ ଲହରୀରୁ ଅନେକ କିଛି ଶିଖିବାକୁ ମିଳୁଛି । ଜନସାଧାରଣ ସଚେତନ ହେଲେ ସଂକ୍ରମଣର ଭୟାବହତାକୁ ଏଡ଼ାଇ ହେବ । କିନ୍ତୁ ଅନଲକ୍ ପରେ ବି ଅନେକ ସ୍ଥାନରେ ଭିଡ଼ ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି । ଏପରି ସ୍ଥଳେ କରୋନାର ତୃତୀୟ ଲହରୀ ଆଗାମୀ ୬ ରୁ ୮ ସପ୍ତାହ ମଧ୍ୟରେ ହୋଇପାରେ … କିମ୍ବା ହୁଏତ ଟିକିଏ ଅଧିକ ସମୟ ନେଇପାରେ ବୋଲି କହୁଛନ୍ତି  ଏମ୍ସ ନିର୍ଦ୍ଦେଶକ  ।

Other Stories