ଭ୍ୟାକ୍ସିନ ଦର ଚିନ୍ତା ! ରାଜ୍ୟ ପାଇଁ କୋଭାକ୍ସିନ-୬୦୦, କୋଭିସିଲ୍ଡ-୪୦୦, କେନ୍ଦ୍ର ପାଇଁ ୧୫୦ ଟଙ୍କା

ନୂଆଦିଲ୍ଲୀ: ଏଣିକି ସବୁ ରାଜ୍ୟ ସରକାର ୬୦୦ ଟଙ୍କାରେ କିଣିବେ କୋଭାକ୍ସିନ। ଏନେଇ ଏହାର ନିର୍ମାତା ଫାର୍ମା କମ୍ପାନୀ ଭାରତ ବାୟୋଟେକ୍ ପକ୍ଷରୁ ଦର ନିର୍ଦ୍ଧାରଣ କରାଯାଇଛି। ତେବେ କେବଳ ରାଜ୍ୟ ସରକାରଙ୍କ ପାଇଁ ନୁହେଁ ଘରୋଇ ହସ୍ପିଟାଲ ଓ କେନ୍ଦ୍ର ସରକାରଙ୍କ ପାଇଁ ମଧ୍ୟ କୋଭାକ୍ସିନ ଦର ନିର୍ଦ୍ଧାରଣ କରିଛି ଭାରତ ବାୟୋଟେକ୍। ଘରୋଇ ହସ୍ପିଟାଲ କୋଭାକ୍ସିନର ପ୍ରତି ଡୋଜକୁ ୧୨୦୦ ଟଙ୍କାରେ କିଣିବେ ବୋଲି ସ୍ଥିର ହୋଇଥିବା ବେଳେ କେନ୍ଦ୍ର ସରକାର ଏହାକୁ ୧୫୦ ଟଙ୍କାରେ କିଣିବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଅନ୍ୟପଟ ବିଦେଶକୁ ଯଦି କୋଭାକ୍ସିନ ରପ୍ତାନୀ ହେବ ତେବେ ଏହାର ମୂଲ୍ୟ ଡୋଜ ପିଛା ୧୫ରୁ ୨୦ ଡଲାର ରହିବ ବୋଲି ଭାରତ ବାୟୋଟେକ ସୂଚନା ଦେଇଛି।

ଭାରତ୍ ବାୟୋଟେକ୍ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକାକରଣ ଅଭିଯାନ ବେଳେ, କେନ୍ଦ୍ର ସରକାରଙ୍କୁ ୧୫୦ ଟଙ୍କାରେ କୋଭାକ୍ସିନ୍ ଯୋଗାଇ ଆସୁଥିଲା। ICMR, NIV ଓ ଭାରତ ବାୟୋଟେକ୍ ଦ୍ୱାରା ବିକଶିତ କୋଭାକ୍ସିନ ଭାରତର ପ୍ରଥମ ସ୍ୱଦେଶୀ ଟିକା ବୋଲି କୁହାଯାଉଛି। ଏହା କରୋନାର ୟୁକେ ଓ ବ୍ରାଜିଲ୍ ଷ୍ଟ୍ରେନ୍ ସହ ଡବଲ୍ ମ୍ୟୁଟାଣ୍ଟ ଭାରିଆଣ୍ଟକୁ ପ୍ରତିରୋଧ କରିବାରେ ସକ୍ଷମ ହେଉଛି। ଏନେଇ କିଛି ଦିନ ପୂର୍ବେ ICMR ପକ୍ଷରୁ ଘୋଷଣା କରାଯାଇଥିଲା।

ତେବେ କୋଭାକ୍ସିନ ପୂର୍ବରୁ କୋଭିସିଲ୍ଡର ଦର ଘୋଷଣା ହୋଇସାରିଛି। ସେରମ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଏହାର ଦର ସ୍ଥିର ହୋଇଛି। ରାଜ୍ୟ ସରକାରମାନଙ୍କୁ କମ୍ପାନୀ ପକ୍ଷରୁ ୪୦୦ ଟଙ୍କା ପ୍ରତି ଡୋଜ ଦରରେ ଯୋଗାଇ ଦିଆଯିବ ବୋଲି କୁହାଯାଇଥିବା ବେଳେ ଘରୋଇ ହସ୍ପିଟାଲ୍ ପାଇଁ ୬ଶହ ଟଙ୍କା ସ୍ଥିର କରିଛି କମ୍ପାନୀ।

ଅନ୍ୟପଟେ କରୋନା ଭାଇରସ୍ ଭ୍ୟାକ୍ସିନ୍ କୋଭିସିଲ୍ଡର ମୂଲ୍ୟକୁ ନେଇ ସମାଲୋଚନାର ସାମ୍ନା କରୁଥିବା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ, ଶନିବାର ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛି। ଏଥିରେ କମ୍ପାନୀ ନିଜ ପକ୍ଷ ରଖିଛି। କମ୍ପାନୀ ଏହି ବିବୃତ୍ତିରେ କହିଛି ଯେ ଭାରତ ସମେତ ବିଶ୍ୱର ଅନେକ ଦେଶ ପାଇଁ ସରକାରମାନେ ଏହି ଭ୍ୟାକ୍ସିନ କିଣୁଥିବାରୁ ଏହାର ମୂଲ୍ୟ ବହୁତ କମ ରହିଛି। କାରଣ ଏହାର ବ୍ୟବହାର ଏକ ବଡ଼ ପରିମାଣରେ କରାଯାଉଛି। ବଜାରରେ ଏବେ ବି କିଛି ଟିକା ବିକ୍ରି ହେଉଛି, ଯାହାର ଦାମ ସରକାରଙ୍କୁ ଦିଆଯାଉଥିବା ଟିକାର ମୂଲ୍ୟଠାରୁ ଢ଼େର ଅଧିକ।

ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ ବିବୃତ୍ତିରେ କୁହାଯାଇଛି ଯେ, ସାରା ବିଶ୍ୱରେ ସବୁଠୁ ଶସ୍ତା ଟିକା ହେଉଛି କୋଭିସିଲ୍ଡ। କାରଣ ଆରମ୍ଭରୁ ଏହି ଟିକା ବିକଶିତ କରିବା ପାଇଁ ଅନେକ ଦେଶ ଆର୍ଥିକ ସହଯୋଗ ଯୋଗାଇ ଦେଇଥିଲେ। ଭାରତ ମଧ୍ୟ ଏଥିପାଇଁ ଅନେକ ସହାୟତା ଯୋଗାଇଛି। ତେଣୁ ଭାରତ ସରକାରଙ୍କୁ କୋଭିସିଲ୍ଡ ଟିକା ଖୁବ୍ ଶସ୍ତାରେ ଦିଆଯାଇଛି।

ତେବେ ଭ୍ୟାକ୍ସିନ ଦରରେ ଅସମାନତା ଯୋଗୁ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ପୂର୍ବରୁ କୋଭିସିଲ୍ଡ ଟିକା ଅଧିକ ଟଙ୍କାରେ ବିକ୍ରି ହେଉଥିବାରୁ ଅନେକ ସମାଲୋଚନା କରାଯାଉଥିଲା। ହେଲେ ଏବେ କୋଭାକ୍ସିନ ତାଠାରୁ ଅଧିକ ଟଙ୍କାରେ ବିକ୍ରି ହେବ। ଭ୍ୟାକ୍ସିନ ଦର ବୃଦ୍ଧି ଯୋଗୁଁ ସରକାରଙ୍କ ଚିନ୍ତା ବଢ଼ୁଥିବା ବେଳେ ସାଧାରଣ ଲୋକଙ୍କ ଚିନ୍ତା ମଧ୍ୟ ବଢ଼ୁଛି।

You might also like