ଫେବ୍ରୁଆରୀ ପ୍ରଥମ ସପ୍ତାହରୁ କରୋନା ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯିବ ଟିକା

ନୂଆଦିଲ୍ଲୀ: ଫେବ୍ରୁଆରୀ ପ୍ରଥମ ସପ୍ତାହରୁ ଟିକା ନେବେ କରୋନା ସମ୍ମୁଖ ଯୋଦ୍ଧା। ଏନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ ଜାନୁଆରୀ ୧୬ ତାରିଖରୁ ଆରମ୍ଭ ହୋଇଥିବା ଟିକାକରଣ କାର୍ଯ୍ୟକ୍ରମ ପୂର୍ବପରି ଜାରି ରହିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରାଳୟ ଚିଠି ଲେଖି କହିଛି।

ଚିଠିରେ ସ୍ୱାସ୍ଥ୍ୟମନ୍ତ୍ରାଳୟର ଅତିରିକ୍ତ ସଚିବ ମନୋହର ଅଗ୍ନାନି କହିଛନ୍ତି ଯେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କ ଦ୍ୱାରା ବିଭାଗୀୟ ମନ୍ତ୍ରୀଙ୍କ ସହଯୋଗରେ କରୋନା ସମ୍ମୁଖ ଯୋଦ୍ଧାମାନଙ୍କର ତାଲିକା ଅପ୍‌ଡେଟ କରାଯାଉଛି। ଏପର୍ଯ୍ୟନ୍ତ ପାଖାପାଖି ୬୧ ଲକ୍ଷ କରୋନା ସମ୍ମୁଖ ଯୋଦ୍ଧାଙ୍କର ତଥ୍ୟ Co-WIN ପୋର୍ଟାଲ୍‌ରେ ଅପ୍‌ଲୋଡ ହୋଇସାରିଲାଣି ବୋଲି ଅଗ୍ନାନି କହିଛନ୍ତି।

ସେ କହିଛନ୍ତି “ ଏ ସମ୍ପର୍କରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ସହିତ ଆଲୋଚନା କରିବା ପରେ କରୋନା ଫେବ୍ରୁଆରୀ ପ୍ରଥମ ସପ୍ତାହରୁ କରୋନା ସମ୍ମୁଖ ଯୋଦ୍ଧାଙ୍କ ପାଇଁ ଟିକାକରଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବପରି ସ୍ୱାସ୍ଥ୍ୟକର୍ମୀଙ୍କ ଟିକାକରଣ ଜାରି ରହିବ, ତା ସହିତ ସମ୍ମୁଖ ଯୋଦ୍ଧାଙ୍କର ବି ଟିକାକରଣ କରାଯିବାକୁ କୁହାଯାଇଛି।”

ଜାନୁଆରି ୧୬ ତାରିଖରେ ଦେଶରେ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀଙ୍କ ସହିତ ସମ୍ମୁଖ ଯୋଦ୍ଧାଙ୍କୁ କଭର କରିବା ପାଇଁ ଯୋଜନା ହୋଇଥିଲା। ତେବେ ଦେଶରେ ଆରମ୍ଭ ହୋଇଥିବା ଟିକାକରଣ କାର୍ଯ୍ୟକ୍ରମରେ ଶୁକ୍ରବାର ସକାଳ ୮ଟା ସୁଦ୍ଧା ଦେଶରେ ୨୯,୨୮,୦୫୩ ହିତାଧିକାରୀ ଟିକା ନେଇସାରିଲେଣି।

କରୋନା ସମ୍ମୁଖ ଯୋଦ୍ଧାଙ୍କୁ ଟିକାରଣ କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଆବଶ୍ୟକ ପରିମାଣରେ ଉଭୟ କୋଭାକ୍ସିନ ଓ କୋଭିଶିଲ୍ଡ ପଠାଯାଇଛି। ପରବର୍ତ୍ତି ସମୟରେ ଅଧିକ ପଠାଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ଦେଇଥିବା ଚିଠିରେ ଉଲ୍ଲେଖ ରହିଛି।

ଚିଠିରେ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ସଚିବ ଲେଖିଛନ୍ତି “୨୦୨୧ ଫେବୃଆରୀ ପ୍ରଥମ ସପ୍ତାହରୁ କରୋନା ସମ୍ମୁଖ ଯୋଦ୍ଧାଙ୍କୁ ସହିତ କରୋନା ସମ୍ମୁଖ ଯୋଦ୍ଧାଙ୍କୁ ଟୀକାକରଣ ଆରମ୍ଭ କରିବା ପାଇଁ ଆବଶ୍ୟକ ଯୋଜନା କରିବା ଦରକାର। ଏଥିପାଇଁ ସମୀକ୍ଷା ଆରମ୍ଭ କରିବାକୁ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରୁଛି। କରୋନା ଟିକାକରଣ ଦିଗରେ ଆପଣଙ୍କ ନିର୍ଦ୍ୱନ୍ଦ୍ୱରେ ସମର୍ଥନ ଆବଶ୍ୟକ।”

ଅନ୍ୟପଟେ ଆଜି ସ୍ୱାସ୍ଥ୍ୟମନ୍ତ୍ରାଳୟ ଦେଇଥିବା ରିପୋର୍ଟ ଅନୁସାରେ ୨୪ ଘଣ୍ଟାରେ ୧୮,୮୫୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୂର୍ବଦିନ ଅପେକ୍ଷା ୭ ହଜାର ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୭,୨୦,୦୪୮ ହୋଇଛି। ସେହିପରି ଦିନକରେ ୧୬୩ ମୃତ୍ୟୁ ସହିତ ମୋଟ ମୃତ୍ୟୁ ସଂଖ୍ୟା ୧,୫୪,୦୧୦ ହୋଇଛି। ଗୁରୁବାର ଦେଶରେ ୧୧,୬୬୬ ଆକ୍ରାନ୍ତ ହୋଇ ଚିହ୍ନଟ ହୋଇଥିଲେ ଓ ୧୨୩ ଜଣଙ୍କର ମୃତ୍ୟୁ ହୋଇଥିଲା। ତେବେ ଶୁକ୍ରବାର ରିପୋର୍ଟ ୬୦ଟି ଅଧିକ ମୃତ୍ୟୁ ହୋଇଥିବା ବେଳେ ୭ ହଜାର ଅଧିକ ଚିହ୍ନଟ ହୋଇଛନ୍ତି।

You might also like