କୋଲକାତା: ପଶ୍ଚିମବଙ୍ଗରେ ଏଥର ଷ୍ଟାର ଓ୍ୱାର୍। ବିଧାନସଭା ନିର୍ବାଚନର ମଇଦାନରେ ଅନେକ ସିନେ ଷ୍ଟାର ଓ ଟିଭି ସେଲିବ୍ରିଟି। ଏହି ତାଲିକାର ସଦ୍ୟତମ ସେଲିବ୍ରିଟି ବିଗତ ଦିନର ମ୍ୟାଟ୍‌ନି ଆଇଡଲ୍ ଡିସ୍କୋ ଡାନ୍ସର୍ ମିଥୁନ ଚକ୍ରବର୍ତ୍ତୀ ହୋଇପାରନ୍ତି। ଚର୍ଚ୍ଚା ହେଉଛି ଆସନ୍ତାକାଲି ହେବାକୁ ଥିବା ମୋଦିଙ୍କ ମେଗା ସମାବେଶରେ ସେ ଯୋଗଦାନ କରି ବିଧିବଦ୍ଧ ଭାବେ ପଦ୍ମ ଧରିବେ। ଏପରିକି ନିର୍ବାଚନ ବି ଲଢ଼ିପାରନ୍ତି ବୋଲି ଆକଳନ କରାଯାଉଛି। ତେବେ ବିଜେପି ପକ୍ଷରୁ ଏନେଇ କିଛି ସ୍ପଷ୍ଟ କରାଯାଇ ନାହିଁ। ମିଥୁନଙ୍କ ଆଗରୁ ୟା ଭିତରେ ବହୁ ସେଲିବ୍ରିଟି ପଦ୍ମ ପୋଖରୀକୁ ଡିଆଁ ମାରିଛନ୍ତି। ଏହି ତାଲିକାରେ ଅଛନ୍ତି ଅଭିନେତ୍ରୀ ଶ୍ରୀବନ୍ତୀ ଚାଟାର୍ଜୀ, ପାୟଲ ସରକାର, ବେଙ୍ଗଲ ସୁପରଷ୍ଟାର ୟଶ ଦାସଗୁପ୍ତା, ପପିୟା ଅଧିକାରୀ ଓ ସୌମି ଘୋଷ।

ବିଜେପି ପରି ଟିଏମ୍‌ସିରେ ମଧ୍ୟ ଏଥର ବହୁ ସେଲିବ୍ରିଟି ଯୋଗ ଦେଇଛନ୍ତି ବରଂ ମମତା ଦିଦି ଆହୁରି ପାଦେ ଆଗକୁ ଯାଇ ବହୁ ସେଲିବ୍ରିଟିଙ୍କୁ ସିଧା ନିର୍ବାଚନ ମଇଦାନରେ ଓହ୍ଲାଇଛନ୍ତି। ଏଥର ଆସାନସୋଲ୍ ସାଉଥ୍‌ରୁ ସାୟୋନି ଘୋଷ, ମେଦିନୀପୁରରୁ ଜୁନ୍ ମଲିଆ ଓ ବଙ୍କୁରାରେ ସାୟନ୍ତିକା ବାନାର୍ଜୀଙ୍କୁ ଟିଏମ୍‌ସି ଟିକଟ ଦେଇଛି। ଫିଲ୍ମ ନିର୍ଦ୍ଦେଶକ ରାଜ ଚକ୍ରବର୍ତ୍ତୀଙ୍କୁ ବାରାକପୁର ଆସନରେ ଟିକଟ ମିଳିଥିବା ବେଳେ କାଞ୍ଚନ ମଲ୍ଲିକଙ୍କୁ ହୁଗଲିର ଉତ୍ତରପୁରରେ ଛିଡ଼ା କରାଇଛି ଦଳ।

କୌଶନି ମୁଖାର୍ଜୀ ନଦିଆ ଜିଲ୍ଲାର କ୍ରିଷ୍ଣା ନଗର ଉତ୍ତରରୁ ଲଢ଼ିବେ। ଏସବୁ ଆସନରେ ବିଜେପିର ଦବଦବା ରହିଥିବାରୁ ଚ୍ୟାଲେଞ୍ଜର୍ ଭାବେ ଫିଲ୍ମ ପର୍ସନାଲିଟିଙ୍କୁ ଟିକଟ ଦେଇଛନ୍ତି ଦିଦି। କ୍ରିକେଟର୍‌ ନେତା ସାଜିଥିବା ମନୋଜ ତିଓ୍ୱାରି ହାଓଡ଼ାର ଶିବପୁର ନିର୍ବାଚନ ମଣ୍ଡଳୀରୁ ଲଢିବେ। ଦିଦିଙ୍କ ଶିବିରର ଷ୍ଟାର ହେଲେ ଅଭିନେତା ତଥା ନିର୍ଦ୍ଦେଶକ ଧୀରଜ ପଣ୍ଡିତ, ଅଭିନେତ୍ରୀ ସୁଭଦ୍ରା ମୁଖାର୍ଜୀ, ଅଭିନେତ୍ରୀ କୌସାନି ମୁଖାର୍ଜୀ।

ଅଭିନେତାମାନେ ନେତା ସାଜିବା ନୂଆ କଥା ନୁହେଁ। ୨୦୧୪ରେ ଅଭିନେତା ତାପସ ପାଲ୍ ଟିଏମ୍‌ସି ସାଂସଦ ଓ ୨୦୧୯ରେ ଅଭିନେତ୍ରୀ ନୁସ୍ରତ ଜାହାନ ଓ ମିମି ଚକ୍ରବର୍ତ୍ତି ନିର୍ବାଚନ ଜିତିବା ପରେ ବେଙ୍ଗଲରେ ଏହା ଏକ ଟ୍ରେଣ୍ଡରେ ପରିଣତ ହୋଇଛି। ଅବଶ୍ୟ ଆଗରୁ ପଶ୍ଚିମବଙ୍ଗ ବିଜେପିରେ ଅଛନ୍ତି ରୁପା ଗାଙ୍ଗୁଲି ଓ ବାବୁଲ ସୁପ୍ରିୟୋଙ୍କ ପରି କଳାକାର। ଛୋଟ ଓ ବଡ଼ ପରଦାର ସେଲିବ୍ରିଟିଙ୍କ ସଫଳତାକୁ ପୁଞ୍ଜି କରି ନିର୍ବାଚନରେ ଫାଇଦା ଉଠାଇବାକୁ ଟେଷ୍ଟା କରୁଛନ୍ତି ଉଭୟ ଟିଏମ୍‌ସି ଓ ବିଜେପି।

https://www.youtube.com/watch?v=ynWmnsfIEMA

Other Stories