ନୂଆଦିଲ୍ଲୀ: ପୁଣି କାୟା ମେଲାଇ ଚାଲିଛି କରୋନା। ଏବେ କରୋନାର ନୂତନ ଷ୍ଟ୍ରେନ୍ ଏବଂ ଭ୍ୟାରିଏଣ୍ଟ୍ ସାରା ବିଶ୍ୱର ବୈଜ୍ଞାନିକଙ୍କ ଚିନ୍ତା ବଢାଇ ଦେଇଛି। ଏଇ ନିକଟରେ ବ୍ରାଜିଲରେ ଦେଖା ଦେଇଥିବା କରୋନାର ଦୁଇଟି ନୂତନ ଭ୍ୟାରିଏଣ୍ଟ ଏବେ ବ୍ରିଟେନରେ ଦେଖା ଦେଇଛି। ଏମିତିକି ଏହି ନୂଆ ଭ୍ୟାରିଏଣ୍ଟରେ ବ୍ରିଟେନର ପ୍ରାୟ ୬ ଜଣ ଲୋକ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ୩ ଜଣ ଇଂଲଣ୍ଡର ହୋଇଥିବା ବେଳେ ଆଉ ୩ ଜଣ ସ୍କଟଲ୍ୟାଣ୍ଡର ବୋଲି କୁହାଯାଉଛି। ବର୍ତ୍ତମାନ ସେଠାକାର ସରକାର କରୋନାର ନୂତନ ଷ୍ଟ୍ରେନ୍ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବାରେ ଲାଗି ପଡିଛନ୍ତି।

କରୋନାର ଏହି ଦୁଇ ନୂତନ ଷ୍ଟ୍ରେନର ନାମ P1 ଏବଂ P2 ରଖାଯାଇଛି। P1 ଷ୍ଟ୍ରେନ ପ୍ରଥମେ ଜାପାନରେ ଚିହ୍ନଟ ହୋଇଥିଲା। ଚଳିତ ବର୍ଷ ଜାନୁଆରୀ ମାସ ପରେ ଏହି ଷ୍ଟ୍ରେନର ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି। କିଛି ଲୋକ P1 ସଂକ୍ରମଣରୁ ସୁସ୍ଥ ହେବା ପରେ ମଧ୍ୟ ପୁନର୍ବାର ସଂକ୍ରମିତ ହେଉଛନ୍ତି। ଯାହାକି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଚିନ୍ତା ବଢାଇ ଦେଇଛି। ଅନେକ ଗବେଷଣା ପରେ କିଛି ବୈଜ୍ଞାନିକ କହିଛନ୍ତି ଏହି ଭ୍ୟାରିଏଣ୍ଟ୍ B118 ପରି ସଂକ୍ରମଣ ହେଇଛି।

ବିଶେଷଜ୍ଞଙ୍କ କହିବା ଅନୁଯାୟୀ, P1 ଭ୍ୟାରିଏଣ୍ଟରେ ୧୭ ପ୍ରକାରର ଆମିନୋ ଏସିଡ୍ ପରିବର୍ତ୍ତନ ହୋଇଛି। ଯାହା ୩ଟି ଜେନେଟିକ ମାଟେରିଆଲକୁ ହଟାଇ ଦେଇଥାଏ। ବର୍ତ୍ତମାନ ବୈଜ୍ଞାନିକମାନଙ୍କ ପାଇଁ  P1ର ଭ୍ୟାରିଏଣ୍ଟ୍  K417T, E484K ଏବଂ N501Y ସବୁଠାରୁ ଅଧିକ ଚିନ୍ତାର କାରଣ ପାଲଟିଛି। କେବଳ ସେତିକି ନୁହେଁ, ଯଦି ଏହି ସଂକ୍ରମଣ ବ୍ୟାପେ, ତାହେଲେ ଏହା ଉପରେ କୌଣସି ଭ୍ୟାକ୍ସିନ୍ କାମ କରିବ ନାହିଁ। କାରଣ ଏହା ଆଣ୍ଟିବଡିରୁ ବଞ୍ଚିବାକୁ ସକ୍ଷମ ହୋଇ ପାରିବେ। P1ର E484K ଭ୍ୟାରିଏଣ୍ଟ୍ ସବୁଠାରୁ ବିପଦଜନକ। କାରଣ କେଣ୍ଟ ଭ୍ୟାରିଏଣ୍ଟ ମଧ୍ୟ ନିଜକୁ ଏହି ଷ୍ଟ୍ରେନରେ ପରିଣତ କରିଛି। ଏହା ଭ୍ୟାକ୍ସିନଠାରୁ ମଧ୍ୟ ରକ୍ଷା ପାଇ ପାରିବ।

ଏଭଳି ସମୟରେ ଭାରତରେ କରୋନାର ଏକ ନୂତନ ଭ୍ୟାରିଏଣ୍ଟ୍ N440K ଦେଖିବାକୁ ମିଳିଛି। N440K ଭ୍ୟାରିଆଣ୍ଟ ସୁସ୍ଥ ହେବା ପରେ ମଧ୍ୟ ଜଣେ ଲୋକଙ୍କୁ ସଂକ୍ରମିତ କରିପାରେ ବୋଲି ସ୍ୱାସ୍ଥ୍ୟ ଅନୁସନ୍ଧାନକାରୀ ଜାଣିବାକୁ ପାଇଛନ୍ତି। ବାସ୍ତବରେ ଏହା ଇମ୍ୟୁନ ସିଷ୍ଟମରୁ ରକ୍ଷା ପାଇ କରୋନାରୁ ସୁସ୍ଥ ହୋଇଥିବା ରୋଗୀମାନଙ୍କୁ ପୁନର୍ବାର ଅସୁସ୍ଥ କରିବାରେ ସକ୍ଷମ ଅଟେ। ଆଜି ପର୍ଯ୍ୟନ୍ତ ଏପରି ଆମ ଦେଶରେ ୨ଟି ମାମଲା ସାମ୍ନାକୁ ଆସିଛି। ତେଣୁ ଏହା ସବୁଠାରୁ ବିପଦଜନକ ଷ୍ଟ୍ରେନ୍ ବୋଲି କୁହାଯାଉଛି। ଏମିତିକି ଆମର ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରେ କରୋନାର N440K ଭ୍ୟାରିଆଣ୍ଟ୍ ୩୩% ଦ୍ରୁତ ଗତିରେ ବିସ୍ତାର କରୁଛି। ଏଥି ସହିତ ବିଶ୍ୱରେ ପ୍ରାୟ ୧୮୦ ଜଣ ଏହି ନୂତନ ଷ୍ଟ୍ରେନ୍ ଦ୍ୱାରା ସଂକ୍ରମିତ ହୋଇ ସାରିଛନ୍ତି।

Other Stories