• translate
Sarbeswar
  • ଆସିବ ନୂଆ ଆଇନ, ହେବ ନୂଆ ନିୟମ
  • ଏଣିକି କମିବ ଦରମା, ବଢିବ ପିପିଏଫ୍‌
  • ଏପ୍ରିଲ ପ୍ରଥମ ସପ୍ତାହରୁ କାର୍ଯ୍ୟକାରୀ ହୋଇପାରେ ନୂଆ ଆଇନ୍‌

ନୂଆଦିଲ୍ଲୀ: କରୋନା ମହାମାରୀ ଲୋକଙ୍କ ଜୀବନ ଧାରାକୁ ଅନେକାଂଶରେ ପରିବର୍ତ୍ତନ କରିଦେଇଛି। ଅନେକ ଲୋକ ଏହି ମହାମାରୀ ସମୟରେ ଭଲରେ ଗଣ୍ଡାଏ ଖାଇବାକୁ ବି ପାଇଲେ ନାହିଁ। ଦୀର୍ଘଦିନ ସଟଡାଉନ ଓ ଲକଡାଉନ ଲାଗି ରହିବାରୁ ଅନେକ ଚାକିରୀ ବି ହରାଇଲେ। ଆଉ ଏବେ ଧୀରେ ଧୀରେ ପୁଣି ସ୍ୱାଭାବିକ ହେଉଛି ଦେଶ। ପୁଣି ଥରେ ପରିବାରର ପେଟ ପୋଷିବା ଲାଗି କାମ ଆରମ୍ଭ କଲେଣି ଲୋକ। ଖାଲି ପଡିଥିବା ଅଫିସ ଗୁଡିକରେ ପୁଣି ନିଯୁକ୍ତି ହେଲାଣି। କିନ୍ତୁ କେନ୍ଦ୍ର ସରକାର ଏବେ ଦରମାକୁ ନେଇ ଏମିତି କିଛି ନିଷ୍ପତ୍ତି ନେଇଛନ୍ତି ଯାହାକୁ ନେଇ ଏବେ ଜୋରସୋରରେ ଚାଲିଛି ଚର୍ଚ୍ଚା।

ଚଳିତ ବର୍ଷ ଏପ୍ରିଲ ୧ ତାରିଖରୁ ଆପଣଙ୍କ ଗ୍ରାଚ୍ୟୁଟି , ପିଏଫ୍‌ ଓ କାର୍ଯ୍ୟ କରିବା ସମୟରେ ବଡ଼ ଧରଣର ଅଦଳବଦଳ ହୋଇ ପାରେ। କର୍ମଚାରୀଙ୍କୁ ତାଙ୍କ ରୋଜଗାରର ଗ୍ରାଚ୍ୟୁଟି, ପିଏଫ୍ ବୃଦ୍ଧି ହୋଇ ହାତକୁ କମ୍‌ ଟଙ୍କା ଆସିପାରେ। ଏପରିକି କମ୍ପାନି ଗୁଡ଼ିକର ବାଲାନ୍ସ ସିଟ୍‌ରେ ମଧ୍ୟ ଏହାର ପ୍ରଭାବ ପଡ଼ିପାରେ। ଏହା ପଛର କାରଣ ହେଉଛି ବିଗତ ବର୍ଷ ସଂସଦରେ ପାସ୍‌ ହୋଇଥିବା ତିନ ମଜଦୁରୀ ସଂହିତା ବିଧେୟକ ବିଲ୍। ତେବେ ପାସ ହୋଇଥିବା ଏହି ବିଲ ଦେଶରେ ଆସନ୍ତା ଏପ୍ରିଲରୁ ଲାଗୁ ହୋଇପାରେ।

ଦରମାରେ ହେବ ବଡ ଧରଣର ପରିବର୍ତ୍ତନ

ତେବେ ନୂଆ ନିୟମ ଅନୁସାରେ, ଏଣିକି ଭତ୍ତା ମୋଟ ବେତନର ସର୍ବାଧିକ ୫୦ ପ୍ରତିଶତ ହେବ। ଏହାର ଅର୍ଥ ମୂଳ ବେତନ ଏପ୍ରିଲରୁ ସମୁଦାୟ ବେତନର ୫୦ ପ୍ରତିଶତ କିମ୍ବା ଅଧିକା ହୋଇ ପାରେ। କିନ୍ତୁ ଏହା ଲାଗୁ ହେବା ପରେ କର୍ମଚାରୀଙ୍କୁ ମିଳିପାରେ  କମ ଦରମା। ଦୀର୍ଘ ୭୩ ବର୍ଷ ପରେ ଦେଶରେ ଶ୍ରମ ଆଇନକୁ ସଂଶୋଧନ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ସେପଟେ ଏହି ଆଇନ ଲାଗୁ ହେଲେ ତାହାର ଲାଭ କର୍ମଚାରୀଙ୍କୁ ମିଳିବ ବୋଲି କେନ୍ଦ୍ର ସରକାର ପ୍ରତିକ୍ରିୟା ରଖିଛନ୍ତି।

ବଢିବ ପିପିଏଫ୍ କମିବ ଦରମା

ନୂଆ ଡ୍ରାଫ୍ଟ ନିୟମ ଅନୁସାରେ ମୂଳ ବେତନ ସମୁଦାୟ ବେତନର ୫୦ ପ୍ରତିଶତ ବା ତାଠୁ ଅଧିକା ହେବ। ଯାହାଫଳରେ ବିଭିନ୍ନ ଅଫିସରେ କାମ କରୁଥିବା କର୍ମଚାରୀଙ୍କ ଦରମାରେ ଅନେକାଂଶରେ ପରିବର୍ତ୍ତନ ହେବ। ଆଉ ପିଏଫ‌ ବଢ଼ିବ ବୋଲି ସୂଚନା ରହିଛି।

୧୨ ଘଣ୍ଟା ହୋଇପାରେ କାର୍ଯ୍ୟ ସମୟ

ବର୍ତ୍ତମାନ ସମୟରେ ଆମେ ସମସ୍ତେ ସାଧାରଣ ଭାବରେ ଅଫିସରେ ୭ ରୁ ୮ ଘଣ୍ଚା କାମ କରୁଛନ୍ତି। କିନ୍ତୁ ଆଗାମୀ ଦିନରେ ତାହାକୁ ବୃଦ୍ଧି କରାଯାଇ ୧୨ ଘଣ୍ଟା ପର୍ଯ୍ୟନ୍ତ ବଢିଯାଇପାରେ। ନୂଆ ନିୟମ ଅନୁସାରେ,କାର୍ଯ୍ୟସମୟ ୧୨ ଘଣ୍ଟାକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦିଆଯାଇଛି। ଓଏସଏଚ୍‌ କୋଡ ଡ୍ରାଫ୍ଟ ନିୟମରେ ୧୫ରୁ ୩୦ ମିନିଟ ମଧ୍ୟରେ ଅତିରିକ୍ତ କାର୍ଯ୍ୟସମୟକୁ ୩୦ ମିନିଟି ହିସାବକୁ ନେଇ ଓଭରଟାଇମରେ ସାମିଲ କରାଯିବ। ବର୍ତ୍ତମାନ ଥିବା ନିୟମରେ ୧୫ ରୁ ୩୦ ମିିନିଟ ଅତିରିକ୍ତ କାମ କଲେ ତାହାକୁ ଓଭରଟାଇମରେ ଗଣା ଯାଉନଥିଲା।

ତେବେ ଏହି ନୂଆ ନିୟମ ଏପ୍ରିଲ ପହଲାରୁ ଲାଗୁ କରିବା ଲାଗି କେନ୍ଦ୍ର ସରକାର ଚେଷ୍ଟା କରୁଛନ୍ତି। କିନ୍ତୁ ତାହା ଲାଗୁ ହେବ କି ନାହିଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ବିଦ୍ଧିବଦ୍ଧ ସୂଚନା ଦିଆଯାଇନାହିଁ।

Other Stories