ଜେଲରେ ପ୍ରତି କଏଦୀଙ୍କ ଲାଗି ଖର୍ଚ୍ଚ ହେଉଛି ୫ କୋଟି, ଜାଣନ୍ତୁ କେଉଁଠି ଅଛି ଏହି ଜେଲ

ବନ୍ଦ ହୋଇଯିବ କି ବିଶ୍ୱର ସବୁଠୁ ବଡ଼ ଜେଲ?

ନୂଆଦିଲ୍ଲୀ: ଜେଲର ନାଁ ଶୁଣିଲେ ସମସ୍ତଙ୍କ ମନରେ ସ୍ୱାଭାବିକ ଭାବରେ ଡ଼ର ଆସେ। କାରଣ ସାଧାରଣ ଭାବରେ ଆମ ମାନଙ୍କର ମନରେ ଏକ ଧାରଣା ରହିଛି ଯେ, ଜେଲ ପରିବେଶ ଏକ ଅନ୍ଧକାର ପରିବେଶ। କଏଦୀମାନେ କେହି କାହାକୁ ଦେଖିପାରନ୍ତି ନାହିଁ। ଏକା ଏକା ଜୀବନ ବଂଚାଇବାକୁ ହୁଏ। ଆଉ କେବଳ ଭାତ ଓ ଡାଲମା ହିଁ ତାହା ମଧ୍ୟରେ ଖାଇବାକୁ ମିଳେ। କିନ୍ତୁ ବିଶ୍ୱରେ ଆମେ ଆପଣଙ୍କୁ ଏମିତି ଏକ ଜେଲ ସମ୍ପର୍କରେ କହିବୁ ଯାହା ସମ୍ପର୍କରେ ହୁଏତ ପୂର୍ବରୁ କେବେ ଜାଣିନଥିବେ।

ବିଶ୍ୱର ସବୁଠାରୁ ଦାମୀ ଜେଲ ଭାବେ ପରିଚିତ ଗ୍ୱାନ୍ତାନାମୋ ଜେଲକୁ ବନ୍ଦ କରିବାକୁ ଯୋଜନା କରୁଛନ୍ତି ବାଇଡେନ ସରକାର। ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି ଯେ,ଜେଲ ବନ୍ଦ କରିବାକୁ ଏହାରି ମଧ୍ୟରେ ବାଇଡେନ ପ୍ରଶାସନ ଗମ୍ଭୀରତାର ସହ ବିଚାର କରୁଛନ୍ତି। କିନ୍ତୁ ରାଷ୍ଟ୍ରପତି କାହିଁକି ଏହି ଜେଲକୁ ବନ୍ଦ କରିବାକୁ ଇଚ୍ଛାପ୍ରକାଶ କରୁଛନ୍ତି ତାହା ଜାଣିଲେ ଆପଣ ବି ତାଜୁବ ହୋଇଯିବେ।

ଜାଣନ୍ତୁ କଣ ରହିଛି ପୂରା ଘଟଣା?

ଗ୍ୱାନ୍ତାନାମୋ ଜେଲକୁ ବନ୍ଦ କରିବାକୁ ଚାହୁଁଛି ବାଇଡେନ ସରକାର। ୨୦୦୧ ନଭେମ୍ବର ୧୧ରେ ଆମେରିକାରେ ଆତଙ୍କବାଦୀଙ୍କ ଆକ୍ରମଣ ପରେ ସେତେବେଳର ବ୍ରୁଶ୍‌ ସରକାର ଆଫଗାନିସ୍ତାନ, ଇରାକ ସମେତ ଅନେକ ଆତଙ୍କବାଦୀଙ୍କୁ ଆଣି ଏହି ଜେଲରେ ବନ୍ଦୀ କରି ରଖିଥିବା ନେଇ ସୂଚନା ରହିଛି। ଆଉ ଏହି ଜେଲରେ ବନ୍ଦୀ ଥିବା କଏଦୀଙ୍କୁ ପ୍ରବଳ ମାତ୍ରାରେ ନିର୍ଯାତନା ଦିଆଯାଉଥିବା ନେଇ ମଧ୍ୟ ଜଣାଯାଏ। କିନ୍ତୁ ଏହାର ଫଟୋ ଭାଇରାଲ ହେବା ପରେ ଏହାକୁ ବନ୍ଦ କରିବାକୁ ଯୋଜନା କରାଯାଇଥିଲା।ବର୍ତ୍ତମାନ ଏହି ଜେଲରେ ୭ ଜଣ କଏଦୀ ଥିବାବେଳେ ୫ ଜଣଙ୍କ ନାମରେ ଆତଙ୍କବାଦୀ ଆକ୍ରମଣ କରିଥିବାର ଅଭିଯୋଗ ରହିଛି।

ପ୍ରତି କଏଦୀଙ୍କ ପାଇଁ ଖର୍ଚ୍ଚ ହୁଏ ୫.୬ କୋଟି ଟଙ୍କା

ଏହି ଜେଲରେ ରହୁଥିବା ପ୍ରତିଟି କଏଦୀଙ୍କ ପାଇଁ ୫.୬ କୋଟି ଟଙ୍କା ଲେଖାଏଁ ଖର୍ଚ୍ଚ କରିଥାଆନ୍ତି ଆମେରିକା ସରକାର। କେବଳ ଏତିକି ନୁହେଁ ଜେଲର ରକ୍ଷଣାବେକ୍ଷଣ ପାଇଁ ବାର୍ଷିକ ୯ ଶହ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ। ତେଣୁ ମାନବାଧିକାର କର୍ମୀଙ୍କ ବିରୋଧ ପରେ ଅତ୍ୟଧିକ ଖର୍ଚ୍ଚକୁ ନଜରରେ ରଖି ଏବେ ଜେଲ ବନ୍ଦ କରିବାକୁ ବାଇଡେନ ପ୍ରଶାସନ ଯୋଜନା କରୁଛି। କାରଣ ଅଯଥାରେ ଏତେ ପରିମାଣର ଟଙ୍କା ରାଜକୋଷରୁ ଖର୍ଚ୍ଚ କରିବାକୁ ଚାହୁଁନାହାନ୍ତି ବାଇଡେନ ସରକାର। ତେଣୁ ଜେଲକୁ ବନ୍ଦ କରିବାକୁ ଏକ ବଡ ଯୋଜନା ପ୍ରସ୍ତୁତ ହେଉଥିବା ନେଇ ଜୋରସୋରରେ ଚର୍ଚ୍ଚା ଚାଲିଛି।

କେବଳ ବାଇଡ଼େନ ସରକାର ନୁହେଁ ବରଂ ପୂର୍ବରୁ ଟ୍ରମ୍ପ ଓ ଓବାମା ସରକାର ମଧ୍ୟ ଏହି ଜେଲକୁ ବନ୍ଦ କରିବାକୁ ଯୋଜନା କରିଥିଲେ କିନ୍ତୁ ସମୟକାଳ ସରିଯିବାରୁ ତାହା କରିପାରିନଥିଲେ। ଆଉ ଏବେ ଜେଲ ବନ୍ଦ କରିବାକୁ ଅଂଟା ଭିଡ଼ିଛନ୍ତି ବାଇଡେନ ସରକାର।ଦେଖାଯାଉ କେବେ ବନ୍ଦ ହେଉଛି ବିଶ୍ୱର ଏହି ବଡ ଜେଲ?

You might also like