ଟ୍ରମ୍ପଙ୍କ ପ୍ଲେନ୍ ଭଳି ହେବ ମୋଦିଙ୍କ ପ୍ଲେନ୍

ନୂଆଦିଲ୍ଲୀ : ଟ୍ରମ୍ଫଙ୍କ ଭଳି ହେବ ମୋଦିଙ୍କ ପ୍ଲେନ୍। ଆଉ ଏୟାର ଇଣ୍ଡିଆ ନୁହେଁ ଏୟାର ଫୋର୍ସର ଅତ୍ୟାଧୁନିକ ବିମାନରେ ଉଡ଼ିବେ ମୋଦି। ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ବ୍ୟବହାର କରୁଥିବା ବିମାନ ବୋଇଂ 747-200B ଭଳି ଭାରତର ପ୍ରଧାନମନ୍ତ୍ରୀଙ୍କ ପାଇଁ ବି ଆସିବ ବୋଇଂ-777-300ER ଏୟାରକ୍ରାଫ୍ଟ। ଯିଏକି ଶତ୍ରୁ ପକ୍ଷର ରାଡ଼ାରକୁ ଚକ୍‌ମା ଦେବା ସହ ଆଣ୍ଟି ମିଜାଇଲ୍ ଡିଫେନ୍ସ ସିଷ୍ଟମ୍‌ର ବି ଉପଯୋଗ କରିପାରିବ।

ସାଉଥ୍ ବ୍ଲକର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ, ଆସନ୍ତା ବର୍ଷ ଜୁନ୍ ସୁଦ୍ଧା ଏହି ସ୍ୱତନ୍ତ୍ର ବିମାନକୁ ଲ୍ୟାଣ୍ଡ କରାଯିବାର ଯୋଜନା ରହିଛି। ଏଥିପାଇଁ ଖର୍ଚ୍ଚ ହେବ ପ୍ରାୟ ୧୯ କୋଟି ଡଲାର। ତେବେ ଏ ନେଇ କେବଳ ଅନ୍ତିମ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି।

ପ୍ରଥମ ଥର ପାଇଁ ଭାରତ ନିଜ ରାଷ୍ଟ୍ରମୁଖ୍ୟଙ୍କ ଲାଗି ଏଭଳି ସ୍ୱତନ୍ତ୍ର ବିମାନ ପ୍ରସ୍ତୁତ କରୁଥିବାବେଳେ ଏହାକୁ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ବି ବିଦେଶ ଗସ୍ତ ସମୟରେ ବ୍ୟବହାର କରି ପାରିବେ। ଏବେ ଏହି ଭିଭିଆଇପିମାନେ ବିଦେଶ ଗସ୍ତବେଳେ ଏୟାର ଇଣ୍ଡିଆ ବିମାନରେ ଯା’ଆସ କରୁଥିବାବେଳେ ଦେଶ ଭିତରେ ଏୟାର ଫୋର୍ସ ପ୍ଲେନ୍ ବ୍ୟବହାର କରୁଛନ୍ତି।

ସୂଚନା ଅନୁସାରେ, ଏହି ଅତ୍ୟାଧୁନିକ ବିମାନର ନାଁ ରହିବ ଏୟାରଫୋର୍ସ ଓ୍ୱାନ୍। ଏହା ସିଧାସଳଖ ଭାରତରୁ ଆମେରିକା ପର୍ଯ୍ୟନ୍ତ ଉଡ଼ିପାରିବ ଅର୍ଥାତ୍ ଏବେ ବ୍ୟବହାର ହେଉଥିବା ବୋଇଂ ବି-୭୪୭ ବିମାନ ଭଳି ଆଉ ବାଟରେ ଅଟକି ଇନ୍ଧନ ଭରିବାକୁ ପଡ଼ିବ ନାହିଁ। ଏମିତିକି ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ବିମାନରେ ଯେଭଁଭଳି ଏକ ମିନି ହ୍ୱାଇଟ୍ ହାଉସ୍‌ର ବ୍ୟବସ୍ଥା ରହିଛି। ସମାନ ଢଙ୍ଗରେ ଭାରତର ପ୍ରଧାନମନ୍ତ୍ରୀଙ୍କ ମିନି ପିଏମ୍ଓ ବି ରହିବ ଏୟାରଫୋର୍ସ ଓ୍ୱାନ୍‌ରେ।

ତାସହ ଅତ୍ୟାଧୁନିକ ରୁମ୍ ଓ ପୁରା ପିଏମ୍‌ଙ୍କ ଟିମ୍ ବି ଏଥିରେ ଯାତ୍ରା କରିପାରିବେ। ସୁରକ୍ଷା ଓ ନିରାପତ୍ତା ଦୃଷ୍ଟିରୁ ବି ଆମେରିକା ରାଷ୍ଟ୍ରପତିଙ୍କ ବିମାନ ସହ ପ୍ରାୟ ସମାନ ରହିବ ଭାରତର ପ୍ରଧାନମନ୍ତ୍ରୀଙ୍କ ନୂଆ ବିମାନ।

You might also like