ଇଟାଲୀ ପରେ ଚାଇନାକୁ ଟପିଲା ସ୍ପେନ୍: ମୃତ୍ୟୁ ସଂଖ୍ୟା ୩୪୩୪ ଛୁଇଁଲା
ମାଡ୍ରିଡ୍: ଚାଇନା ପରେ ୟୁରୋପୀୟ ଦେଶରେ ଆତଙ୍କ ଖେଳାଇ ଦେଇଛି ମହାମାରୀ କରୋନା ଭାଇରସ। ଇଟାଲୀରେ କରୋନା ମୃତ୍ୟୁସଂଖ୍ୟା ୭ ହଜାରର ନିକଟବର୍ତ୍ତୀ ହୋଇଥିବା ବେଳେ ଏବେ ସ୍ପେନରୁ ସାଂଘାତିକ ଖବର ଆସିଛି। ସ୍ପେନର ସ୍ଥିତି ଏପରି ହୋଇଛି ଯେ ଏଠାରେ କରୋନା ଜନିତ ମୃତ୍ୟୁସଂଖ୍ୟା ଚାଇନାକୁ ଟପି ଯାଇଛି।
ଗତ ୨୪ ଘଣ୍ଟାରେ ଚାଇନାରେ ମାତ୍ର ୪ ଜଣଙ୍କ ଜୀବନ ଯାଇଥିବା ବେଳେ ସ୍ପେନରେ ୭୩୮ ଜଣ ଲୋକ ପ୍ରାଣ ହରାଇଛନ୍ତି। ସ୍ପେନରେ ୭୩୮ ଜଣଙ୍କ ମୃତ୍ୟୁ ବରଣ କରିବା ପରେ ଏଠାରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩୪୩୪ରେ ପହଞ୍ଚି ଯାଇଛି। ଚାଇନାରେ ମୃତ୍ୟୁସଂଖ୍ୟା ୩୨୮୧ ରହିଛି।
ସ୍ପେନରେ ଆକ୍ରାନ୍ତଙ୍କ ସଂଖ୍ୟା ୪୭,୬୧୦ ରହିଥିବା ବେଳେ ଏଠାରେ ୫,୩୬୭ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୩୮,୮୦୯ ଜଣଙ୍କ ମଧ୍ୟରୁ ୨,୬୩୬ ଜଣ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
ଅନ୍ୟପକ୍ଷରେ ଇଟାଲୀରେ ପୁଣି ୨୪ ଘଣ୍ଟା ମଧ୍ୟରେ ୭ ଶହରୁ ଅଧିକ ଲୋକଙ୍କ ଜୀବନ ଯାଇଛି। ଫଳରେ ଏଠାରେ ମୃତ୍ୟୁସଂଖ୍ୟା ୬,୮୨୦ ଛୁଇଁଛି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୬୯,୧୭୬ ରହିଛି।