କରୋନା ଭାଇରସ୍‌: ଆମେରିକା ଓ ଇଟାଲି ପରେ ବିଗୁଡୁଛି ସ୍ପେନର ସ୍ଥିତି

ରୋମ: ମହମାରୀ କରୋନା ଏବେ ସ୍ପେନ୍‌ରେ ଭୟାବହ ରୂପ ନେଇଛି। ଏପରିକି ଚାଇନା ତୁଳନାରେ ଏବେ ସ୍ପେନର ସ୍ଥିତି ଅଧିକ ଜଟିଳ ହୋଇଯାଇଛି। ଏହାପୂର୍ବରୁ ଆମେରିକା ଓ ଇଟାଲିର କରୋନା ଆକ୍ରାନ୍ତ ଏବଂ ମୃତ୍ୟୁ ହାର ଅଧିକ ଥିଲା। ହେଲେ ଏବେ  ସ୍ପେନ ଏହି ଦୁଇ ଦେଶକୁ ଅତିକ୍ରମ କରିଯାଇଛି। ବର୍ତ୍ତମାନ ବିଶ୍ୱର ତୃତୀୟ ସର୍ବାଧିକ କରୋନା ଆକ୍ରାନ୍ତ ସ୍ପେନରେ ଚିହ୍ନଟ ହୋଇଛନ୍ତି।

ସ୍ପେନରେ ଗତ ୨୪ ଘଣ୍ଟାରେ ୫,୦୮୫ ଜଣ କରୋନା ମାମଲା ସାମ୍ନାକୁ ଆସିଛି। ସେହିପରି ୯୧୩ ଜଣ ଲୋକ ପ୍ରାଣ ହରାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୂଚନା ଅନୁଯାୟୀ, ଏଯାଏ ସ୍ପେନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୫,୧୯୫ ଜଣ ରୋଗୀ ରହିଥିବା ବେଳେ ମୃତକଙ୍କ ସଂଖ୍ୟା ୭,୩୪୦ ଛୁଇଁଛି।
୧୬,୭୮୦ ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬୧, ୦୭୫ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏମାନଙ୍କ ମଧ୍ୟରୁ ୫,୨୩୧ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ଆମେରିକାରେ କରୋନା ଭୂତାଣୁ ଗତକାଲି ୫୦୦ରୁ ଅଧିକ ଲୋକଙ୍କ ଜୀବନ ନେଇଥିବାବେଳେ ୧୯ହଜାର ୯୮୮ଜଣ ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା କରୋନା ମହାମାରୀରେ ୩୧୪୮ଜଣଙ୍କ ମୃତ୍ୟୁ ଘଟିଛି।  କରୋନାର ଭୟାବହତାକୁ ଦେଖି ଆମେରିକାରେ ଆହୁରି ମାସେ ବଢ଼ିଲା ସାମାଜିକ ଦୂରତା କଟକଣା।  ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଉଦ୍‌ବେଗଜନକ ଭାବେ ବଢ଼ିଚାଲିଥିବାରୁ ରାଷ୍ଟ୍ରପତି ଟ୍ରମ୍ପ ଗାଇଡ୍ଲାଇନକୁ କଡ଼ାକଡ଼ି ପାଳନ କରିବାକୁ ଦେଶବାସୀଙ୍କୁ ଅପିଲ୍ କରିଛନ୍ତି ।

ଅନ୍ୟପକ୍ଷେ ବିଗିଡ଼ିବାରେ ଲାଗିଛି ସାରା ୟୁରୋପର ସ୍ଥିତି। ଇଟାଲିରେ ଗତକାଲି ୮ଶହରୁ ଅଧିକ ଲୋକଙ୍କ ଜୀବନ ଯାଇଛି। ୪ହଜାରରୁ ଅଧିକ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଇଟାଲୀରେ କରୋନା ପଞ୍ଝାରେ ୯୭, ୬୮୯ ଜଣ ପଡ଼ିଥିବା ବେଳେ ମୃତ୍ୟୁସଂଖ୍ୟା ୧୦,୭୭୯ରେ ପହଞ୍ଚି ଯାଇଛି।

ଜର୍ମାନୀ, ଇଂଲଣ୍ଡ, ସୁଇଜରଲାଣ୍ଡ, ନେଦରଲ୍ୟାଣ୍ଡସ୍ ସବୁଠି ଦ୍ରୁତ ଗତିରେ ମାଡ଼ି ଚାଲିଛି କରୋନା ସଂକ୍ରମଣ। ବିଶ୍ୱରେ ବର୍ତ୍ତମାନ ସୁଦ୍ଧା କରୋନା ୩୭ ହଜାର ଲୋକଙ୍କ ଜୀବନ ନେଇଥିବା ବେଳେ ୭ ଲକ୍ଷ ୮୪ ହଜାର ଆକ୍ରାନ୍ତ ହୋଇଛନ୍ତି । ସେପଟେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଓ ତାଙ୍କ ପରିବାର ଲୋକ କରୋନା ଦ୍ୱାରା ଆକ୍ରାନ୍ତ ହୋଇ ନଥିବା ସ୍ପଷ୍ଟ ହୋଇଛି । ବେଞ୍ଜାମିନଙ୍କ ଜଣେ ଘନିଷ୍ଠ ସହଯୋଗୀ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ମିଳିବା ପରେ ଇସ୍ରାଏଲରେ ଉଦବେଗ ପ୍ରକାଶ ପାଇଥିଲା।

ଚାଇନାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୧, ୪୭୦ ଥିବା ବେଳେ ମୃତ୍ୟୁସଂଖ୍ୟା ୩୩୦୪ ରହିଛି।

You might also like