ଚଳିତ ଥର ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ
ନୂଆଦିଲ୍ଲୀ: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି କେରଳ ଛୁଇଁଛି। ଏନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ପକ୍ଷରୁ ସୂଚନା ଦିଆଯାଇଛି। ମୌସୁମୀ କେରଳରେ ପହଞ୍ଚିବା ପରେ IMD ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି।
ଲା’ ନିନା ପ୍ରଭାବରେ ଚଳିତ ଥର ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ ବୋଲି IMD ଡିଜି କହିଛନ୍ତି। ଜୁନ୍ରୁ ସେପ୍ଟେମ୍ବର ମଧ୍ୟରେ ୧୦୨ % ବର୍ଷା ହେବା ନେଇ ଆକଳନ କରାଯାଇଛି।
ସେହିପରି ଉତ୍ତର-ପଶ୍ଚିମାଞ୍ଚଳରେ ସର୍ବାଧିକ ୧୦୭% ବର୍ଷା, କେନ୍ଦ୍ରାଞ୍ଚଳ ଜୋନ୍ରେ ୧୦୩% ବର୍ଷା, ଦକ୍ଷିଣାଞ୍ଚଳରେ ୧୦୨% ବର୍ଷା, ଉତ୍ତର ପୂର୍ବାଞ୍ଚଳରେ ୯୬% ବର୍ଷା ହେବା ନେଇ ଆକଳନ କରାଯାଇଛି। ଜୁଲାଇରେ ୧୦୩% ଓ ଅଗଷ୍ଟରେ ୯୭% ବର୍ଷା ହେବା ନେଇ ମଧ୍ୟ ଆକଳନ କରାଯାଇଛି।
ସାଧାରଣତଃ ଜୁନ୍ ପହିଲାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳରେ ପହଞ୍ଚିଥାଏ ଏବଂ ଜୁଲାଇ ୧୫ ସୁଦ୍ଧା ଏହା ସାରା ଦେଶକୁ ଆଚ୍ଛାଦିତ କରିଥାଏ। କିନ୍ତୁ ଚଳିତ ଥର ବାତ୍ୟା ‘ଅମ୍ପନ୍’ ଯୋଗୁ ମୌସୁମୀ ବାୟୁ ପହଞ୍ଚିବାରେ ବିଳମ୍ବ ହୋଇପାରେ ବୋଲି କୁହାଯାଇଥିଲା ଏବଂ ଜୁନ୍ ୧ରୁ-୫ ମଧ୍ୟରେ ମୌସୁମୀ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଥିଲା। କିନ୍ତୁ ଏଥର ମଧ୍ୟ ଠିକ୍ ସମୟରେ ଅର୍ଥାତ ଜୁନ୍ ପହିଲାରେ ହିଁ କେରଳକୁ ଛୁଇଁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ।
ବର୍ଷ ସାରା ଭାରତରେ ଯେତେ ବର୍ଷା ହୁଏ, ତା’ର ୭୦ ପ୍ରତିଶତ ବର୍ଷା ଏହି ମୌସୁମୀ ବାୟୁ ଯୋଗୁ ହୋଇଥାଏ। ଏହି ବର୍ଷା ଉପରେ ନିର୍ଭର କରିଥାଏ ଦେଶର କୃଷି କାର୍ଯ୍ୟ। ଭାରତ ଏକ କୃଷି ପ୍ରଧାନ ଦେଶ ହୋଇଥିବାରୁ ମୌସୁମୀ ବର୍ଷା ଉପରେ ହିଁ ଏହାର ଅର୍ଥନୀତି ନିର୍ଭର କରିଥାଏ।