ବୟସ ୨୬, ଲିଭର ଓ କିଡ଼ନୀ ରୋଗରେ ପୀଡିତ, ଏବେ ସେ କରୋନାରେ ପଜିଟିଭ

ନୂଆଦିଲ୍ଲୀ: କଥାରେ ଅଛି ବିପଦ ଯେତେବେଳେ ଆସେ ସବୁଆଡୁ ଏକାଥରକେ ଆସିଥାଏ। ଏମିତି ଏକ ଦୁଃଖଦ ଘଟଣା ଘଟିଛି ଦକ୍ଷିଣ ଆଫ୍ରିକାର ଯୁବ କ୍ରିକେଟରଙ୍କ ସହ। ତାଙ୍କ ନାଁ ସୋଲା ନକ୍ୱେନି। ଗତ ଏକ ବର୍ଷ ଧରି ଗୁଲିୟାନ୍‌ ବେରେ ସିଣ୍ଡ୍ରୋମ(ପ୍ରତିରକ୍ଷା ଏବଂ ସ୍ନାୟୁ ପ୍ରଣାଳୀ)ରୋଗରେ ପୀଡିତ ଥିଲେ। ଅଲରାଉଣ୍ଡର ସୋଲୋ ଲିଭର ଓ କିଡନୀ ରୋଗରେ ମଧ୍ୟ ପୀଡିତ। ବର୍ତ୍ତମାନ ସେ କରୋନା ଭାଇରସ ମହାମାରୀରେ ପଜିଟିଭ ବୋଲି ଜଣାପଡିଛି।

ଖବର ଅନୁଯାୟୀ, ୨୬ ବର୍ଷୀୟ କ୍ରିକେଟର ସୋଲୋ ନିଜେ ଟ୍ୱିଟରରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ମୁଁ ଗତ ବର୍ଷ ଜିବିଏସ୍‌(GBS)ରୋଗରେ ପୀଡିତ ଥିଲି। ଜିବିଏସ୍‌ ରୋଗର ଲକ୍ଷଣ ହେଉଛି ଶରୀରର ମାଂସପେଶୀକୁ ଦୁର୍ବଳ କରିଥାଏ। ଏହି ରୋଗ ସହ ମୁଁ ଦଶ ମାସ ହେବ ଲଢ଼ୁଛି। ଯେତେବେଳେ ଏହି ରୋଗ ପ୍ରାୟ ଅଧା ଠିକ୍‌ ହୋଇଗଲା, ସେତେବେଳେ ମତେ ଟିବି ରୋଗ ହୋଇଥିଲା। ମୋର ଲିଭର ଓ କିଡ଼ନୀ ମଧ୍ୟ ଖରାପ ହୋଇଗଲାଣି। ପୁଣି ଏବେ କରୋନା ଭଳି ମହାମାରୀରେ ପଜିଟିଭ ବୋଲି ଜଣାପଡିଛି। ମୁଁ କିଛି ବୁଝି ପାରୁନି ମୋ ସହିତ କ’ଣ ପାଇଁ ଏସବୁ ହେଉଛି।

ଜିବିଏସ୍ ରୋଗ ଯୋଗୁ କ୍ରିକେଟର ସ୍କଟଲ୍ୟାଣ୍ଡ ଗସ୍ତରେ ଯାଇଥିବାବେଳେ ସେ କୋମାକୁ ଯାଇଥିଲେ। ସେଠାରେ ୪ ସପ୍ତାହ ପରେ ତାଙ୍କର ଚେତା ଫେରିଥିଲା ବୋଲି ଜଣାପଡିଛି।

ସୂଚନାଯୋଗ୍ୟ ଯେ ଏହାପୂର୍ବରୁ ପାକିସ୍ତାନର ଜାଫର ସରଫରାଜ ଏବଂ ସ୍କଟଲ୍ୟାଣ୍ଡର ମାଜିଦ୍ ହକ୍ ଏହି ରୋଗରେ ଆକ୍ରାନ୍ତ ହୋଇଥିଲେ।

ସୋଲୋଙ୍କର ଏହି ବିପଦ ସମୟରେ  ତାଙ୍କୁ ଦକ୍ଷିଣ ଆଫ୍ରିକାର ଟିମ୍‌ ସହାୟତା ପାଇଁ ୩୩୦୦ ଆମେରିକୀୟ ଡଲରା ଦେଇଥିବା ଜଣାପଡିଛି।

ସୋଲୋଙ୍କ କ୍ରିକେଟ୍ କ୍ୟାରିୟର ବିଷୟରେ କହିବାକୁ ଗଲେ, ଏହି କ୍ରିକେଟର ପ୍ରଥମ କ୍ୟାରିୟରରେ ଖେଳାଯାଇଥିବା ୩୬ ଟି ମ୍ୟାଚରେ  ୬୦ ୱିକେଟ୍ ନେଇଛନ୍ତି। ୫ ଅର୍ଦ୍ଧଶତକ ସହାୟତାରେ ୭୩୫ ରନ୍ ସଂଗ୍ରହ କରିଛନ୍ତି। ସେ ୨୦୧୨ ଅଣ୍ଡର -୧୯ରେ ବିଶ୍ୱକପରେ ଖେଳିଥିବା ଦକ୍ଷିଣ ଆଫ୍ରିକା ଅଣ୍ଡର -୧୯ ଦଳର ଏକ ଅଂଶ ମଧ୍ୟ ରହିଛନ୍ତି। ଟି -୨୦ ବିଷୟରେ କହିବାକୁ ଗଲେ ସେ ୩୪ ଟି ମ୍ୟାଚରେ ୩୧ ୱିକେଟ୍ ନେଇଥିବାବେଳେ ୧୩୭ ରନ୍ ସ୍କୋର କରିଛନ୍ତି।

You might also like