ସୋନୁ ସୁଦ୍‌ଙ୍କ ସାହାଯ୍ୟକୁ ନେଇ ୟୁଜର୍ସ କହିଲେ ‘ବଡ ଧୋକା’; ସୋନୁ ଦେଲେ ଏମିତି ଜବାବ୍‌

ମୁମ୍ବାଇ:କରୋନା ଲକ୍‌ଡାଉନ ଯୋଗୁ ସାରା ଦେଶରେ ଦେଖା ଦେଇଥିବା ସଙ୍କଟ ସମୟରେ ସମସ୍ତଙ୍କୁ ସହାୟତାର ହାତ ବଢାଇଥିଲେ ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌। ବିଶେଷ କରି ଗରିବ ଏବଂ ପ୍ରବାସୀ ଶ୍ରମିକମାନଙ୍କ ପାଇଁ ସେ ରିଅଲ ହିରୋ ପାଲଟି ଯାଇଥିଲେ। ଜଣେ ବା ଦୁଇଜଣ ନୁହେଁ, ହଜାର ହଜାର ଲୋକଙ୍କୁ ସାହାଯ୍ୟ କରି ଚର୍ଚ୍ଚିତ ହୋଇଥିଲେ। ଏଥିପାଇଁ କିଏ ତାଙ୍କୁ ଭଗବାନଙ୍କ ଅବତାର ବୋଲି କହୁଥିଲା ତ କିଏ ତାଙ୍କୁ ପ୍ରକୃତ ହିରୋ ବୋଲି କହୁଥିଲା। କିନ୍ତୁ ଏମିତି କିଛି ଲୋକ ବି ଅଛନ୍ତି ଯିଏ ସୋନୁଙ୍କ ଏପରି କାମ ପାଇଁ ପ୍ରଶଂସା ବଦଳରେ ପ୍ରଶ୍ନ ଉଠାଇଛନ୍ତି। ସେତିକି ନୁହେଁ, ଅସୁବିଧାରେ ପଡ଼ିଥିବା ଲୋକଙ୍କ ସାହାଯ୍ୟ କରିବା ପଛରେ ତାଙ୍କ ଉଦ୍ଦେଶ୍ୟକୁ ନେଇ ମଧ୍ୟ ବିଭିନ୍ନ ପ୍ରଶ୍ନ କରିଛନ୍ତି।

ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ସୋନୁ ସୁଦ୍‌ଙ୍କ ଏପରି କାମକୁ ପିଆର ଷ୍ଟଣ୍ଟ ବୋଲି କହି ସମାଲୋଚନା କରିଛନ୍ତି। କଥା ହେଲା, ସ୍ନେହଲ ନାମକ ଜଣେ ଟୁଇଟର ୟୁଜର ସୋନୁ ସୁଦ୍‌ଙ୍କୁ ଏକ ରୋଗଗ୍ରସ୍ତ ଶିଶୁର ଚିକିତ୍ସା ପାଇଁ ସାହାଯ୍ୟ ମାଗିଥିଲେ। ସୋନୁ ବି ତାଙ୍କ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ତେବେ ସୋନୁଙ୍କ ଏହି ଟୁଇଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ୟୁଜର୍ସ। ୟୁଜର୍ସ ଅଭିଯୋଗ କରିଛନ୍ତି, ସାହାଯ୍ୟ ମାଗିଥିବା ବ୍ୟକ୍ତି ତାଙ୍କ ଟ୍ୱିଟ୍‌ରେ ସୋନୁ ସୁଦ୍‌ଙ୍କୁ ଟ୍ୟାଗ କରିନାହାନ୍ତି। ତେବେ ବିନା ଟ୍ୟାଗ୍‌ରେ ସୋନୁ କିପରି ଜାଣିଲେ ସେ ତାଙ୍କୁ ସାହାଯ୍ୟ ମାଗିଛନ୍ତି ବୋଲି? ଏହା ଦେଖି ସୋନୁଙ୍କୁ ଅନେକ ଲୋକ ଟ୍ରୋଲ କରିବା ଆରମ୍ଭ କରିଛନ୍ତି ।

ଅବଶ୍ୟ ସୋନୁ ଏହାର ଜବାବ ବି ରଖିଛନ୍ତି। ସୋନୁ ଏକ ଏକ୍ସେଲ୍‌ ସିଟ ଶେୟାର କରି ଟୁଇଟରରେ ଲେଖିଛନ୍ତି, ‘ ଏହା ସବୁଠାରୁ ଭଲ କଥା ଭାଇ। ଜଣେ ସାହାଯ୍ୟ ଖୋଜୁଥିବା ବ୍ୟକ୍ତିଙ୍କୁ ମୁଁ ଖୋଜୁଥିଲି। କୌଣସି ପ୍ରକାରେ ସେ ମଧ୍ୟ ମୋତେ ଖୋଜି ପାଇଥିଲେ। ବାସ୍‌, କଥା ଏତିକି। ଯେ କୌଣସି କାମ କରିବାକୁ ହେଲେ ଇଚ୍ଛାଶକ୍ତି ଥିବା ଆବଶ୍ୟକ। ହେଲେ ତୁମେ ବୁଝି ପାରିବନି।’

ଏଠି କହିରଖିବୁ, ଯେଉଁ ରୋଗୀଣା ଶିଶୁର ସାହାଯ୍ୟ ସ୍ନେହଲ ମାଗିଥିଲେ ତାଙ୍କୁ ଆସନ୍ତାକାଲି ଏସଆରସିସି ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯିବ।

You might also like