ବେଙ୍ଗାଲୁରୁରେ ଶୁଭିଥିବା ଭୟଙ୍କର ଶବ୍ଦ ଉପରୁ ହଟିଲା ରହସ୍ୟ

ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଗତକାଲି ଅପରାହ୍ଣରେ ହଠାତ୍ ଏକ ଭୟଙ୍କର ଶବ୍ଦ ଶୁଣିବାକୁ ମିଳିଥିଲା। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଏହି ଶବ୍ଦ କ’ଣ ଥିଲା ଓ କେଉଁଠୁ ଆସିଲା ତାକୁ ନେଇ ସୋସିଆଲ୍‌ ମିଡିଆରେ ଅନେକ ଚର୍ଚ୍ଚା ଆରମ୍ଭ ହୋଇଥିଲା।ଶେଷରେ ଏସବୁ ରହସ୍ୟ ଉପରୁ ପରଦା ହଟିଛି। ଏହା ଏକ ସୋନିକ୍‌ ବୁମ୍‌ ଥିଲା ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ ସ୍ପଷ୍ଟ କରିଛି।

ପ୍ରତିରକ୍ଷା ମନ୍ତ୍ରାଳୟର ବେଙ୍ଗାଲୁରୁ ଲୋକ ସମ୍ପର୍କ ଅଧିକାରୀ କହିଛନ୍ତି, ଏହା ଭାରତୀୟ ବାୟୁସେନାର ରୁଟିନ୍ ଟେଷ୍ଟ୍ ଫ୍ଲାଇଟ୍ ବେଳେ ସୁପରସୋନିକ୍ ବିମାନର ବୁମ୍ ଶବ୍ଦ ଥିଲା। ବେଙ୍ଗାଲୁରୁ ବିମାନବନ୍ଦରରୁ ସହର ବାହାରେ ନିର୍ଦ୍ଧାରିତ ଆକାଶ ପଥରେ ଏହା ଉଡ଼ିଥିଲା। ଏହି ବିମାନଟି Aircraft and Systems Testing Establishment(ASTE)ର ଥିଲା ଏବଂ ଏହାର ଟେଷ୍ଟ୍ ପାଇଲଟ୍ ଓ ଫ୍ଲାଇଟ୍ ଟେଷ୍ଟ ଇଞ୍ଜିନିୟର୍ ନିୟମିତ ଭାବେ ସମସ୍ତ ବିମାନର ପରୀକ୍ଷଣ କରୁଥିଲେ। ବିମାନଟି ପୃଥିବୀ ପୃଷ୍ଠରୁ ପ୍ରାୟ ୪୦ ହଜାର ଫୁଟ୍ ଉପରେ ଥିବାବେଳେ ସ୍ପିଡ୍ କମାଇବାରୁ ଏହି ଶବ୍ଦଟି ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି। ତେବେ ବିମାନଟି ସହରଠୁ ବହୁ ଦୂରରେ ଥିଲା ଏବଂ ସୋନିକ ବୁମ୍ ୬୫ରୁ ୮୦ କିଲୋମିଟର ଦୂରରୁ ମଧ୍ୟ ଶୁଭିଥାଏ ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ସୂଚନାଥାଉ କି, ଗତକାଲି ପାଖାପାଖି ଅପରାହ୍ଣ ସାଢେ ୧ଟା ସମୟରେ ସାରଜାପୁର, କଲ୍ୟାଣ ନଗର, ସେଣ୍ଟ୍ରାଲ ବେଙ୍ଗାଲୁରୁର ଏମଜି ରୋଡ, ମାରାଥାଲ୍ଲୀ, ଏୟାରପୋର୍ଟ ଅଞ୍ଚଳ, ହ୍ବାଇଟଫିଲ୍ଡ ଓ Hebbagodiରେ ବହୁତ ଜୋରରେ ଏହି ଶବ୍ଦ ଶୁଣିବାକୁ ମିଳିଥିଲା। ଏପରିକି ଆଇଟି ହବ୍ କୁହାଯାଉଥିବା ଇଲେକ୍ଟ୍ରୋନିକ ସିଟିରେ ମଧ୍ୟ ଏହି ଶବ୍ଦ ଶୁଣିବାକୁ ମିଳିଥିଲା। ଯାହାକୁ ନେଇ ଲୋକମାନେ ଆତଙ୍କିତ ହୋଇ ପଡ଼ିଥିଲେ। ଏହି ଶବ୍ଦରେ ଘରର ଝରକା, କବାଟ ମଧ୍ୟ ଥରି ଉଠିଥିଲା।

You might also like