ବିଦ୍ରୋହକୁ ପ୍ରଶମିତ କରିବା ଲାଗି ନେତାଙ୍କ ସହ କଥା ହେବେ ସୋନିଆ

ନୂଆଦିଲ୍ଲୀ: କଂଗ୍ରେସରେ ଦେଖା ଦେଇଥିବା ବିଦ୍ରୋହକୁ ପ୍ରଶମିତ କରିବା ଲାଗି ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ପ୍ରୟାସ। ଦଳରେ ସାଂଗଠନିକ ସ୍ଥିତିରେ ପରିବର୍ତ୍ତନ ଆଣିବା ଲାଗି ଗତ ଅଗଷ୍ଟ ମାସରେ ଚିଠି ଲେଖିଥିବା ୨୩ ଜଣ ନେତାଙ୍କ ମଧ୍ୟରୁ କିଛି ନେତାଙ୍କୁ ସୋନିଆ ଶନିବାର ଦିନ ସାକ୍ଷାତ କରିବେ। ଉଭୟ ପକ୍ଷରୁ ଉଦ୍ୟମ ପରେ କାଲି ସେମାନଙ୍କୁ ଭେଟିବା ଲାଗି ସୋନିଆ ସ୍ଥିର କରିଛନ୍ତି। ରାଜ୍ୟସଭାରେ କଂଗ୍ରେସ ସଂସଦୀୟ ଦଳ ନେତା ତଥା ବିରୋଧୀ ଦଳ ନେତା ଗୁଲାମନବୀ ଆଜାଦ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆନନ୍ଦ ଶର୍ମା, ବରିଷ୍ଠ ନେତା କପିଲ ସିବଲ, ମନୀଷ ତିଓ୍ୱାରୀ, ଥିରୁବନନ୍ତପୁରମ ସାଂସଦ ଶଶୀ ଥରୁର, ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂ ହୁଡା ଓ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ପୃଥ୍ବୀରାଜ ଚୌହାନ ଏମାନଙ୍କ ମଧ୍ୟରେ ଅଛନ୍ତି।

ଏହାଛଡ଼ା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ, ଏ. କେ. ଆଣ୍ଟୋନି ଓ ଏଆଇସିସି ସାଧାରଣ ସଂପାଦକ କେ. ସି. ବେଣୁଗୋପାଳ ବୈଠକରେ ଉପସ୍ଥିତ ରହିପାରନ୍ତି। ତେବେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥ ଏହି ବୈଠକ ଆୟୋଜନ କରିଛନ୍ତି। ସୋନିଆ ଗୋଆରୁ ଫେରିବା ପରେ କମଳନାଥ ତାଙ୍କୁ ଦୁଇଥର ଭେଟି ଏ ସଂପର୍କରେ ଆଲୋଚନା କରିବା ସହ ବୈଠକର ଆୟୋଜନ କରିଥିଲେ।

You might also like