ଦୂର ହେବ କି କଂଗ୍ରେସର ଅନ୍ତଃକନ୍ଦଳ: ସୋନିଆଙ୍କ ନେତା ମନାଇବା ଅଭିଯାନ ଆରମ୍ଭ
ନୂଆଦିଲ୍ଲୀ: କଂଗ୍ରେସରେ ଦେଖା ଦେଇଥିବା ଆଭ୍ୟନ୍ତରୀଣ କନ୍ଦଳ ଦୂର କରିବା ଲାଗି ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ପଦକ୍ଷେପ ନେଇଛନ୍ତି। ଆଜିଠାରୁ ୧୦ ଦିନ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ଦଳୀୟ ନେତା ଓ ଅସନ୍ତୁଷ୍ଟ କର୍ମୀଙ୍କ ସହ ଆଲୋଚନା କରିବେ ସୋନିଆ। ଯାହାର ପ୍ରଥମ ପର୍ଯ୍ୟାୟ ବୌଠକ ଆଜିଠାରୁ ଆରମ୍ଭ ହୋଇଯାଇଛି।
ଆଜି ଅସନ୍ତୁଷ୍ଟ ନେତାଙ୍କ ମଧ୍ୟରୁ କିଛି ନେତାଙ୍କ ସହ ସୋନିଆ ବୈଠକ କରିଛନ୍ତି। ୧୦ ଜନପଥରେ ଥିବା ତାଙ୍କ ବାସଭବନରେ ସୋନିଆ ବରିଷ୍ଠ ନେତାଙ୍କ ସହ ଆଲୋଚନା ଜାରି ରଖିଛନ୍ତି। ଏହି ବୈଠକରେ ବରିଷ୍ଠ ନେତା ଗୁଲାମନବୀ ଆଜାଦ, ଆନନ୍ଦ ଶର୍ମା, ଶଶୀ ଥରୁର, ମନୀଷ ତିଓ୍ୱାରୀଙ୍କ ଭଳି ବରିଷ୍ଠ ନେତା ଅଛନ୍ତି। ସେପଟେ ଗାନ୍ଧି ପରିବାରର ଅନୁଗତ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍, ଏ. କେ. ଆଣ୍ଟୋନି, ପି. ଚିଦାମ୍ବରମ ପ୍ରମୁଖ ମଧ୍ୟ ଏହି ବୈଠକରେ ସାମିଲ ହୋଇଛନ୍ତି।
ଗତ ଅଗଷ୍ଟ ମାସରେ ଦଳର ସାଂଗଠନିକ ପରିବର୍ତ୍ତନ ଓ ନିର୍ବାଚିତ ସଭାପତି ନିଯୁକ୍ତ ପାଇଁ ୨୩ ଜଣ ବରିଷ୍ଠ କଂଗ୍ରେସ ନେତା ସୋନିଆଙ୍କୁ ଚିଠି ଲେଖିଥିଲେ। ଏହି ଚିଠିରେ ଫୁଲ୍ ଟାଇମ୍ ଓ ଦୃଢ଼ ନେତୃତ୍ୱ କଥା ବରିଷ୍ଠ ନେତାମାନେ କହିଥିଲେ। ଏହି ଚିଠିରେ ପ୍ରତିକ୍ରିୟା ରଖି ଏହା ବିଜେପିର ଷଡ଼ଯନ୍ତ୍ର ବୋଲି ରାହୁଲ ଅଭିଯୋଗ କରିଥିଲେ। ରାହୁଲଙ୍କର ଏହି ଅଭିଯୋଗ ବରିଷ୍ଠ ନେତାଙ୍କ ମରମକୁ ବାଧିଥିଲା। ଏପରିକି କେତେକ ନେତା ବୁଲେଇ ବଙ୍କେଇ ଇସ୍ତଫା ଧମକ ମଧ୍ୟ ଦେଇଥିଲେ।
ତେବେ ଆଜିର ଆଲୋଚନା ପୂର୍ବରୁ ଗତ ରାତିରେ ରଣଦୀପ ସୂର୍ଜେୱାଲାଙ୍କ ପ୍ରତିକ୍ରିୟା ଚର୍ଚ୍ଚାର ବିଷୟ ହୋଇଛି। ଦଳର ୯୯.୯ ପ୍ରତିଶତ ନେତା ରାହୁଲଙ୍କୁ ପୁଣିଥରେ ସଭାପତି କରିବାକୁ ଚାହୁଁଥିବା ସେ ସୂର୍ଯ୍ୟେୱାଲା କହିଛନ୍ତି।