ରେଷ୍ଟୁରାଣ୍ଟରୁ ଆରମ୍ଭ ହେଲା ସୋନିଆଙ୍କ ପ୍ରେମ..ଅମିତାଭଙ୍କ ଘରେ ହେଲା ବାହାଘର

ନୂଆଦିଲ୍ଲୀ:କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କର ଆଜି ୭୩ ତମ ଜନ୍ମଦିନ। ଇଟାଲିର ଏକ ଛୋଟ ଗାଁରେ ଅତି ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିବା ସୋନିଆ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଘରକୁ ବୋହୂ ହୋଇ ଆସିବା ଏବଂ ପ୍ରଧାନମନ୍ତ୍ରୀଙ୍କ ପତ୍ନୀର ମାନ୍ୟତା ପାଇବା ତଥା କଂଗ୍ରେସ ପରି ଏକ ଜାତୀୟ ଦଳ ମୁଖ୍ୟ ହେବା….ଯେମିତି ପରୀ ରାଇଜର କାହାଣୀ।

ସୋନିଆଙ୍କର ଭାରତ ସହ ସମ୍ପର୍କ ଏକ ସାଧାରଣ ପ୍ରେମ କାହାଣୀରୁ ଆରମ୍ଭ ହୋଇଥିଲା। ତିନି ଭଉଣୀଙ୍କ ମଧ୍ୟରେ ମଝିଆଁ ଥିଲେ ସୋନିଆ। ତାଙ୍କ ଅନ୍ୟ ଦୁଇ ଭଉଣୀଙ୍କ ନାମ ପାଓଲା ଓ ଷ୍ଟେଫାନୋ। ଇଟାଲିର ଟ୍ୟୁରିନ ସହରରେ ତାଙ୍କର ଘର । ସୋନିଆଙ୍କ ବାପା ତିନି ଭଉଣୀଙ୍କୁ ପାରମ୍ପରିକ ଢଙ୍ଗରେ ବଡ କରିଥିଲେ। କଟକଣା ସତ୍ତ୍ୱେ ସୋନିଆଙ୍କ ବାପା ଥିଲେ ଆଧୁନିକ ଚିନ୍ତାଧାରାର। ତେଣୁ ସୋନିଆଙ୍କୁ ବିଦେଶରେ ପାଠ ପଢିବାର ସୁଯୋଗ ମିଳିଥିଲା।

ସୋନିଆ ଇଂରାଜୀ ଶିଖିବାକୁ ଚାହୁଁଥିଲେ। ତେଣୁ ସେ ଇଂଲଣ୍ଡ ଯିବା ପାଇଁ ବାପାଙ୍କୁ  ଅନୁମତି ମାଗିଥିଲେ। ସୋନିଆ କେମ୍ବ୍ରିଜର ଲାଙ୍ଗୁଏଜ କଲେଜରେ ନାମ ଲେଖାଇଥିଲେ। ପ୍ରଥମେ ପ୍ରଥମେ ସେଠାରେ ରହିବା, ଖାଇବା ନେଇ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ହେଲେ କିଛି ଦିନ ପରେ କେମ୍ବ୍ରିଜ୍‌ରେ ଏକ ଗ୍ରୀକ୍‌ ରେଷ୍ଟୁରାଣ୍ଟର ସନ୍ଧାନ ପାଇଥିଲେ। ଅଧିକାଂଶ ସମୟ ସେ ସେଠାକୁ ଖାଇବାକୁ ଯାଉଥିଲେ। ରାଜୀବ ଗାନ୍ଧି ମଧ୍ୟ ସେଠାକୁ ଆସୁଥାନ୍ତି। ଜଣେ ବନ୍ଧୁଙ୍କ ମାଧ୍ୟମରେ ଦୁହିଁଙ୍କର ପ୍ରଥମ ସାକ୍ଷାତ ହୋଇଥିଲା।

ଦିନେ ଲଞ୍ଚ ସମୟରେ ସୋନିଆ ଏକୁଟିଆ ଖାଇବା ପାଇଁ ରେଷ୍ଟୁରାଣ୍ଟ ଆସିଥିଲେ। ତାଙ୍କ ପାଖରେ ବସିବା ପାଇଁ ସିଟ୍‌ ନ ଥିଲା। ରାଜୀବ ତାଙ୍କ ବନ୍ଧୁ ଏଲୋକ୍ସିକ୍ସଙ୍କୁ  ରାଉଣ୍ଡ ଟେବୁଲ୍‌ରେ ଅପେକ୍ଷା କରିଥିଲେ। ସେତେବେଳେ ସୋନିଆ ତାଙ୍କ ପାଖ ସିଟ୍‌ରେ ବସିଲେ କିଛି ଅସୁବିଧା ହେବ କି ବୋଲି ପଚାରିଥିଲେ। ତୁରନ୍ତ ରାଜୀବ କହିଲେ ‘ ବିଲୁକୁଲ୍‌ ନୁହେଁ।’

ବାସ୍‌, ତା ପରଠାରୁ ଦୁହିଁଙ୍କ ବନ୍ଧୁତା ଏତେ ବଢିଗଲା ଯେ ଚେଷ୍ଟା କରି ବି କେହି ସେମାନଙ୍କୁ ଅଲଗା କରିପାରି ନ ଥିଲେ। ଏ ସମ୍ପର୍କରେ ସୋନିଆ କୁହନ୍ତି, ’ମୁଁ ଏଥିପାଇଁ ରାଜୀବଙ୍କୁ ଦୋଷ ଦିଏ ନାହିଁ। ସେ ନିଜେ ସେତିକି ସୁନ୍ଦର ଥିଲେ।’

କହିବାକୁ କହିଲେ, ରାଜୀବ ଏବଂ ସୋନିଆଙ୍କ ସମ୍ପର୍କ ଏହି ରେଷ୍ଟୁରାଣ୍ଟରୁ ହିଁ ଆରମ୍ଭ ହୋଇଥିଲା। ଏହି ସମ୍ପର୍କ ଥିଲା ଅତୁଟ। ସବୁ ପ୍ରେମ କାହାଣୀ ପରି ସେମାନଙ୍କ ସମ୍ପର୍କରେ ମଧ୍ୟ ଜୁଆର ଭଟ୍ଟା ଆସିଥିଲା। ଦୁହେଁ ଯେତେବେଳେ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ ସେତେବେଳେ ପରିବାର ଲୋକେ ସହଜରେ ଗ୍ରହଣ କରିପାରି ନ ଥିଲେ। କାରଣ ରାଜୀବ ଗାନ୍ଧୀ ଭାରତର ପ୍ରଧାନମନ୍ତ୍ରୀ ଇନ୍ଦିରାଙ୍କ ପୁଅ ଥିଲେ ଆଉ ସୋନିଆ ଥିଲେ ଜଣେ ସାଧାରଣ ପରିବାରର ଝିଅ।

ସୋନିଆଙ୍କ ବାପା ମଧ୍ୟ ଏହି ବାହାଘର ପାଇଁ ରାଜି ନ ଥିଲେ। ନିଜ ଝିଅକୁ ଅନ୍ୟ ଏକ ଦେଶକୁ ଛାଡ଼ିବାକୁ ସେ ଚାହୁଁ ନ ଥିଲେ। ତାଙ୍କର ଭୟ ଥିଲା, କାଳେ ତାଙ୍କ ଝିଅକୁ ସେମାନେ ସ୍ୱୀକାର ନ କରିବେ ! ହେଲେ ସୋନିଆ-ରାଜୀବଙ୍କ ଭଲ ପାଇବା ଆଗରେ ସବୁକିଛି ହାର ମାନିଲା। ରାଜୀବଙ୍କ ସହ ସାକ୍ଷାତ ପରେ ସୋନିଆଙ୍କ ବାପା ବାହାଘର ପାଇଁ ରାଜି ହୋଇଥିଲେ।

ବାହାଘର ପୂର୍ବରୁ ସୋନିଆ ଭାରତ ଆସିଥିଲେ। ସେତେବେଳେ ଇନ୍ଦିରା ପ୍ରଧାନମନ୍ତ୍ରୀ ଥିଲେ। ସେଥିପାଇଁ ବାହାଘର ନ କରି ସୋନିଆଙ୍କୁ ଘରକୁ ଆଣିବାକୁ ସେ ଚାହୁଁ ନ ଥିଲେ। ସେଥିପାଇଁ ସୋନିଆଙ୍କୁ ଅମିତାଭ ବଚ୍ଚନଙ୍କ ଘରେ ରହିବାକୁ ପଡ଼ିଥିଲା। କାରଣ ସେତେବେଳେ ରାଜୀବ-ଅମିତାଭ ବହୁତ ଭଲ ବନ୍ଧୁ ଥିଲେ। ୧୯୬୮, ଜାନୁଆରୀ ୧୩ରେ ସୋନିଆ ଦିଲ୍ଲୀ ପହଞ୍ଚିଲେ ଏବଂ ଅମିତାଭଙ୍କ ଘରେ ରହିଲେ। ସେଠାରେ ଭାରତୀୟ ପରମ୍ପରା ବିଷୟରେ ଅନେକ କଥା ଶିଖିବାର ସୁଯୋଗ ପାଇଥିଲେ ସୋନିଆ। ଅମିତାଭଙ୍କ ଘରେ ହିଁ ସୋନିଆଙ୍କର ବାହାଘର ହୋଇଥିଲା।

ଶାଶୁ ଇନ୍ଦିରାଙ୍କ ସହ ସୋନିଆଙ୍କ ସମ୍ପର୍କ ବହୁତ ଭଲ ଥିଲା। ଭଲ ପାଇବା ଧୈର୍ଯ୍ୟ ଏବଂ ସହଭାଗୀତା ମଧ୍ୟରେ ସେମାନଙ୍କର ସମ୍ପର୍କ ଗଢି ଉଠିଥିଲା। ତେବେ ଗୋଟିଏ ଜିନିଷରେ ସେ ଇନ୍ଦିରାଙ୍କ ସହ ଭାଗିଦାରୀ ହୋଇପାରି ନ ଥିଲେ ସୋନିଆ। ତାହା ହେଉଛି ରାଜନୀତି।

ଏହା ପରେ ଗୋଟିଏ ଗୋଟିଏ ହୋଇ ଅନେକ ଦୁଃଖଦ ଘଟଣା ଘଟିଗଲା। ବିମାନ ଦୁର୍ଘଟଣାରେ ସଞ୍ଜୟ ଗାନ୍ଧିଙ୍କ ମୃତ୍ୟୁ, ଏହାପରେ ଇନ୍ଦିରାଙ୍କ ହତ୍ୟା ଏବଂ ଶେଷରେ ରାଜୀବଙ୍କ ହତ୍ୟା। ଏସବୁ ଘଟଣା ପରେ ସୋନିଆଙ୍କର ବିଶ୍ୱାସ ହେଲା ଯେ ରାଜୀବ ଏବଂ ତାଙ୍କ ଜୀବନରେ ସବୁଠାରୁ ବଡ ଶତ୍ରୁଥିଲା ରାଜନୀତି।

You might also like