କଂଗ୍ରେସର ଶୋଚନୀୟ ପରାଜୟ ପାଇଁ ସୋନିଆ ଓ ମନମୋହନ ଦାୟୀ

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଆତ୍ମକଥାକୁ ନେଇ ବିବାଦ ମୁହାଁମୁହିଁ

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଆତ୍ମକଥାକୁ ନେଇ ବିବାଦ ମୁହାଁମୁହିଁ। ପୁଅ ଅଭିଜିତ୍ ଓ ଝିଅ ଶର୍ମିଷ୍ଠା ରୁପା ଦ୍ୱାରା ପ୍ରକାଶ ପାଇବାକୁ ଯାଉଥିବା ଆତ୍ମକଥାରେ ପ୍ରଣବ ୨୦୧୪ ନିର୍ବାଚନରେ ଶୋଚନୀୟ ପରାଜୟ ପାଇଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ମନମୋହନ ସିଂହଙ୍କୁ ଦାୟୀ କରିଛନ୍ତି। ଆତ୍ମକଥାର କିଛି ଅଂଶକୁ ପ୍ରକାଶନ ସଂସ୍ଥା ଛାପିବା ପରେ ଏହାକୁ ନେଇ ଆପତ୍ତି ଉଠାଇଥିଲେ ପୁଅ ଅଭିଜିତ୍ ମୁଖାର୍ଜୀ। ତାଙ୍କର ବିନା ଅନୁମତିରେ ଓ ଉଦ୍ଦେଶ୍ୟମୂଳକ ଭାବେ ଏହି ଅଂଶକୁ ପ୍ରକାଶ କରାଯାଇଥିବା ସେ ଅଭିଯୋଗ ଆଣିଛନ୍ତି। ସେ ପୁରା ବହି ପଢି ଅନୁମତି ନଦେବା ଯାଏଁ ଏହାକୁ ପ୍ରକାଶିତ ନକରିବା ଲାଗି ଟୁଇଟ କରି ଦାବି କରଛନ୍ତି ଅଭିଜିତ୍।

ସୋନିଆ ଓ ମନମୋହନଙ୍କ ପାଇଁ ୨୦୧୪ ନିର୍ବାଚନରେ ଶୋଚନୀୟ ପରାଜୟର ସମ୍ମୁଖୀନ ହେଲା କଂଗ୍ରେସ। ନିଜ ଆତ୍ମକଥା ଦି ପ୍ରେସିଡେନସିଆଲ ଇଅରରେ ଏଭଳି କଡ଼ା ଟିପ୍ପଣୀ ଦେଇଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ। ପ୍ରଣବ ଲେଖିଛନ୍ତି, ଅନେକ କଂଗ୍ରେସ ନେତା ମାନନ୍ତି, ୨୦୦୪ରେ ଯଦି ତାଙ୍କୁ ପ୍ରଧାନମନ୍ତ୍ରୀ କରାଯାଇଥାଆନ୍ତା ତାହେଲେ ୨୦୧୪ର ଦଳର ଏଭଳି ସ୍ଥିତି ହୋଇ ନଥାଆନ୍ତା। ସେ ନିଜେ ଏଥିରେ ସହମତି ନଥିଲେ ମଧ୍ୟ ତାଙ୍କୁ ରାଷ୍ଟ୍ରପତି କରିଦିଆଯିବା ପରେ ଦଳ ଲକ୍ଷ୍ୟଭ୍ରଷ୍ଟ ହୋଇଯାଇଥିଲା ବୋଲି ଲେଖିଛନ୍ତି ପ୍ରଣବ। ଦଳୀୟ ବ୍ୟାପାର ବୁଝିବାରେ ସୋନଆ ଅସମର୍ଥ ଥିବା ବେଳେ ମନମୋହନ ବହୁଦିନ ଧରି ଗୃହରେ ଉପସ୍ଥିତ ନରହିବା କାରଣରୁ ଅନ୍ୟ ସାଂସଦମାନଙ୍କ ସହ ଯୋଗସୂତ୍ର ରକ୍ଷା କରିପାରିନଥିଲେ।

ପ୍ରଣବଙ୍କ ଆତ୍ମକଥାର କିଛି ଅଂଶ ପ୍ରକାଶିତ ହେବା ପରେ ମୁହାଁମୁହିଁ ହୋଇଛନ୍ତି ପୁଅ ଅଭିଜିତ୍ ଓ ଝିଅ ଶର୍ମିଷ୍ଠା। ତାଙ୍କ ବିନା ଅନୁମତିିରେ ଓ ଉଦ୍ଦେଶ୍ୟମୂଳକ ଭାବେ ଏହି ଅଂଶକୁ ପ୍ରକାଶ କରାଯାଇଥିବା ଅଭିଜିତ୍ ଅଭିଯୋଗ କରିଛନ୍ତି। ପୁରା ବହି ବଢି ସେ ଲିଖିତ ଅନୁମତି ନଦେବା ଯାଏ ଏହାକୁ ନଛାପିବା ଲାଗି ସେ ପ୍ରକାଶନ ସଂସ୍ଥାକୁ କହିଛନ୍ତି। ତେବେ ଅଭିଜିତ୍ ଏହି ଟୁଇଟ୍ କରିବା ପରେ ତୁରନ୍ତ ତାର ଜବାବ ଦେଇଛନ୍ତି। ଭଉଣୀ ଶର୍ମିଷ୍ଠା ଅସୁସ୍ଥ ହେବା ପୂର୍ବରୁ ପ୍ରଣବ ପୁସ୍ତକର ପାଣ୍ଡୁଲିପି ପ୍ରସ୍ତୁତ କରିସାରିଥିଲେ। ଏଥିରେ ବାପାଙ୍କ ହାତ ଲେଖା ନୋଟ୍ ଓ ମନ୍ତବ୍ୟ ରହିଛି। ସେ ଯାହା ବି ଲେଖିଛନ୍ତି ସେ ସମସ୍ତ ତାଙ୍କର ନିଜସ୍ୱ ମତ। ଚର୍ଚ୍ଚାରେ ରହିବା ଲାଗି ବହି ଛପାରେ ବାଧା ସୃଷ୍ଟି ନକରିବାକୁ ସେ ଭାଇ ଅଭିଜିତଙ୍କୁ ଅନୁରୋଧ କରିଛନ୍ତି। ଏହା କଲେ ତାଙ୍କ ବାପାଙ୍କ ପ୍ରତି ଅସମ୍ମାନ ହେବ ବୋଲି ଟୁଇଟରେ ଲେଖିଛନ୍ତି ଶର୍ମିଷ୍ଠା। ତେବେ ଭାଇ ଭଉଣୀଙ୍କ ମଧ୍ୟରେ ପ୍ରକାଶ ପାଇଥିବା ମତ ପାର୍ଥକ୍ୟରେ ରାଜନୀତି କମ୍, ତିକ୍ତ ବ୍ୟକ୍ତିଗତ ସଂପର୍କର ଅଧିକ ଭୂମିକା ରହିଥିବା କୁହାଯାଉଛି।

You might also like