ଅଫଜଲର ଫାଶୀ ଉପରେ ପ୍ରଶ୍ନ ଉଠାଇ ବିବାଦରେ ଆଲିଆ ଭଟ୍ଟଙ୍କ ମା ସୋନି ରାଜଦାନ୍

ନୂଆଦିଲ୍ଲୀ: ଆତଙ୍କବାଦୀ ଅଫଜଲ୍‌ ଗୁରୁକୁ ଫାଶୀ ଦେବା ନେଇ ପ୍ରଶ୍ନ ଉଠାଇ ବିବାଦରେ ଫଶିଛନ୍ତି ଆଲିଆ ଭଟ୍ଟଙ୍କ ମା ତଥା ଅଭିନେତ୍ରୀ ସୋନି ରାଜଦାନ୍‌। ୨୦୦୧ ସଂସଦ ଆକ୍ରମଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଅଫଜଲ୍‌କୁ ୨୦୧୩ ମସିହା ଫେବୃଆରୀରେ ଫାଶୀ ଦିଆଯାଇଥିଲା।

ତେବେ ବର୍ତ୍ତମାନ ଏହି ବିବାଦ ଆସିବାର କାରଣ ହେଉଛି ଜମ୍ମୁ-କଶ୍ମୀରର ଜଣେ ଡିଏସ୍‌ପି ଦେବିନ୍ଦର ସିଂହଙ୍କ ଗିରଫ ଘଟଣା। ଭାରତର ସଂସଦ ଉପରେ ହୋଇଥିବା ଆକ୍ରମଣରେ ଦେବିନ୍ଦରର ହାତ ଥିବା ନେଇ ପୂର୍ବରୁ ଅଫଜଲ୍‌ ତା’ର ଓକିଲକୁ ଚିଠି ଲେଖିଥିଲା। ଏବେ ଦେବିନ୍ଦର ଗିରଫ ହେବାପରେ ଏହି ମାମଲାକୁ ନେଇ ବିଭିନ୍ନ ଲୋକ ଭିନ୍ନ ଭିନ୍ନ ମତ ରଖୁଛନ୍ତି।

ତେବେ ଏହି ଘଟଣା ପରେ ସୋନି ଅଫଜଲ୍‌ ସମ୍ପର୍କରେ ଟ୍ୱିଟ୍‌ କରି ଲେଖିଥିଲେ, “ଏହା ନ୍ୟାୟ ବିରୋଧୀ କାର୍ଯ୍ୟ। ଯଦି ସେ ନିର୍ଦ୍ଦୋଷ, ଜଣେ ମୃତ ଲୋକକୁ କେମିତି ଫେରାଇ ଆଣିହେବ? ସେଥିପାଇଁ ମୃତ୍ୟୁଦଣ୍ଡକୁ ହାଲକାରେ ନିଆଯାଏନି। ଆଉ ସେଥିପାଇଁ ଅଫଜଲ୍‌କୁ ବଳିର ବୋଦା କରାଯାଇଥିବା ନେଇ ତଦନ୍ତ ହେବାର ଆବଶ୍ୟକତା ରହିଛି।”

ସୋନିଙ୍କ ଏହି ମନ୍ତବ୍ୟକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ଏହି ବିବାଦ ପରେ ସେ କଥା ବଦଳାଇଥିଲେ। ସେ କହିଥିଲେ, କେହି କହୁନାହାନ୍ତି ସେ ସଚ୍ଚୋଟ। କିନ୍ତୁ ଯଦି ତା’କୁ ନିର୍ଯାତନା ଦିଆଯାଇଥିବ ଏବଂ ଏହି ନିର୍ଯାତନା ବଳରେ ଯାହା କରିବାକୁ କୁହାଯାଇଥିବ ସେ କରିଥିବ, ତାହାର ତଦନ୍ତ ହେବା ଆବଶ୍ୟକ। ଦେବିନ୍ଦର ନାମରେ ଆସିଥିବା ଅଭିଯୋଗକୁ କେହି କାହିଁକି ଗୁରୁତର ସହ ବିଚାର କରୁନାହାନ୍ତି, ତାହା ଠିକ ନୁହେଁ।

ଅଫଜଲ୍‌ ଚିଠିରେ ଲେଖିଥିଲା ଦେବିନ୍ଦର ତା’କୁ ନିର୍ଯାତନା ଦେବାପରେ ମହମ୍ମଦ ନାମକ ଜଣେ ଆତଙ୍କବାଦୀ ସହ ପରିଚୟ କରାଇଥିଲା। ଏହାପରେ ମହମ୍ମଦକୁ ଦିଲ୍ଲୀଯାଏ ଛାଡ଼ିଦେବା ପାଇଁ ଏବଂ ଦିଲ୍ଲୀରେ ଏକ ଭଡ଼ାଘରେ ରଖାଇ ଦେବାପାଇଁ କହିଥିଲା।

You might also like