ଶୀତ ଦାଉରୁ ରକ୍ଷା ପାଇବେ ଯବାନ: ଥ୍ରୀ ଇଡ଼ିଅଟ୍ସ ଚିନ୍ତାଧାରରେ ଯବାନଙ୍କ ପାଇଁ ଟେଣ୍ଟ ନିର୍ମାଣ କଲେ ଅସଲି ରାଞ୍ଚୋ
ନୂଆଦିଲ୍ଲୀ: ଶୀତ ଦାଉରୁ ରକ୍ଷା ପାଇବେ ଯବାନ। ଲଦାଖରେ ପ୍ରବଳ ଶୀତରୁ ରକ୍ଷା ପାଇବା ପାଇଁ ଭାରତୀୟ ଯବାନଙ୍କ ପାଇଁ ପ୍ରସ୍ତୁତ ହୋଇଛି ସୋଲାର ହିଟେଡ୍ ଟେଣ୍ଟ। ଥ୍ରୀ ଇଡିଅଟ୍ସ ସିନେମାର ଚିନ୍ତାଧାରାରେ ଏହି ଟେଣ୍ଟ ନିର୍ମାଣ ହୋଇଛି।ପ୍ରସିଦ୍ଧ ବୈଜ୍ଞାନିକ ସୋନମ ଓ୍ୱାଙ୍ଗଚୁକ୍ ତଥା ଅସଲି ରାଞ୍ଚୋ ଏହି ଟେଣ୍ଟ ପ୍ରସ୍ତୁତ କରିଛନ୍ତି। ଏହା ହେଉଛି ବିଶ୍ୱର ପ୍ରଥମ ସୋଲାର ହିଟେଡ୍ ଟେଣ୍ଟ। ତେବେ ଓ୍ୱାଙ୍ଗଚୁକ୍ ଏହି ସୋଲାର ଟେଣ୍ଟର କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି।
SOLAR HEATED MILITARY TENT
for #indianarmy at #galwanvalley
+15 C at 10pm now.
Min outside last night was -14 C,
Replaces tons of kerosesne, pollution #climatechange
For 10 jawans, fully portable all parts weigh less than 30 Kgs. #MadeInIndia #MadeInLadakh #CarbonNeutral pic.twitter.com/iaGGIG5LG3— Sonam Wangchuk (@Wangchuk66) February 19, 2021
ଭାରତର ବୀରପୁତ୍ର ମାନେ ମାଇନସ୍ ଡିଗ୍ରିରେ ମଧ୍ୟ ନିୟୋଜିତ ରହି ଦେଶ ସେବା କରୁଛନ୍ତି। ଶୀତ ଦିନର ହାଡ଼ଭଙ୍ଗା ଜାଡ଼ରେ ରକ୍ତ ଜମାଟ ବାନ୍ଧିବା ପରି ପରିସ୍ଥିତି ହୋଇଗଲେ ମଧ୍ୟ କାମରୁ ବିରତି ନିଅନ୍ତି ନାହିଁ। ଶୀତକାକରରେ ଦେଶବାସୀଙ୍କୁ ରାତି ରାତି ଜଗି ସୁରକ୍ଷା ଦେଉଛନ୍ତି ଭାରତୀୟ ଯବାନ। ତେବେ ପ୍ରବଳ ଶୀତ ସମୟରେ ଥଣ୍ଡାରୁ ମୁକ୍ତି ପାଇବାକୁ ସେମାନେ ଓଜନିଆ ଜୋତା ଏବଂ କପଡ଼ା ପିନ୍ଧିନ୍ତି। ଗୋଟିଏ ପଟେ ଦେଶର ସୁରକ୍ଷା ଭାର, ଆଉ ଏପଟେ ଓଜନିଆ ପୋଷାକର ଭାର। ଏପରିକି ଥଣ୍ଡା ଦାଉରୁ ରକ୍ଷା ପାଇବାକୁ ନିଆଁ ଉପରେ ନିର୍ଭର କରିବାକୁ ପଡ଼େ। ତେବେ ୱାଙ୍ଗଚୁକଙ୍କ ଏହି ଟେଣ୍ଟ ନିର୍ମାଣ ଯୋଗୁଁ ଯବାନ ମାନଙ୍କର ସମସ୍ୟାର ସମାଧାନ ହୋଇପାରିବ ବୋଲି ଆଶା କରାଯାଉଛି।
ବାହାରେ ମାଇନସ୍ ୧୪ ଡିଗ୍ରୀ ସେଲସିୟସ ତାପମାତ୍ରା ଥିବା ବେଳେ ଏହି ଟେଣ୍ଟ ଭିତରେ ୧୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ରହିପାରିବ। ଲଦାଖର ଗଲଓ୍ୱାନ ଭ୍ୟାଲିରେ ବିଯୁକ୍ତ ତାପମାତ୍ର ରହୁଥିବା ବେଳେ ଯବାନଙ୍କ ପାଇଁ ଏହା ବେଶ୍ ସହାୟକ ହେବ। ଏହି ଟେଣ୍ଟ ବ୍ୟବହାର ଦ୍ୱାରା ଅଯଥା କିରୋସିନ୍ ଖର୍ଚ୍ଚ ବଞ୍ଚିବା ସହ ପ୍ରଦୂଷଣ ମଧ୍ୟ ରୋକାଯାଇ ପାରିବ। ଗୋଟିଏ ଟେଣ୍ଟରେ ୧୦ ଜଣ ଯବାନ ଆରାମରେ ରହିପାରିବେ। ଟେଣ୍ଟର ଓଜନ ୩୦ କିଲୋଗ୍ରାମ୍ ହୋଇଥିବା ବେଳେ ଏହାକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ମଧ୍ୟ ନେଇହେବ। ଏହି ଟେଣ୍ଟ ଭିତରେ ଅତ୍ୟଧିକ ଥଣ୍ଡା ରାତି କାଟିବାକୁ ଭାରତୀୟ ଯବାନଙ୍କୁ ସହଜ ହେବ। ମେଡ୍ ଇନ୍ ଇଣ୍ଡିଆ ହିଟେଡ୍ ଟେଣ୍ଟକୁ ଲଦାଖରେ ହିଁ ତିଆରି କରିଛନ୍ତି ଓ୍ବାଙ୍ଗଚୁକ।
ଶୀତ ଦାଉରୁ ମୁକ୍ତି ପାଇବେ ଯବାନ। ଯବାନଙ୍କ ପାଇଁ ପ୍ରସ୍ତୁତ ହୋଇଛି ସୋଲାର ହିଟେଡ୍ ଟେଣ୍ଟ। ପ୍ରସିଦ୍ଧ ବୈଜ୍ଞାନିକ ସୋନମ ଓ୍ୱାଙ୍ଗଚୁକ୍ ପ୍ରସ୍ତୁତ କରିଛନ୍ତି ଟେଣ୍ଟ। #SonamWangchuk #SolarHeatedTent pic.twitter.com/PRcC5s55uA
— ଓଟିଭି (@otvkhabar) February 21, 2021