ସଂକ୍ରମିତ ହୋଇ ଏକଟିଆପଣ ସହ ଲଢ଼ୁଥିଲେ ବୁଢ଼ାବାପା : ଚଳନ୍ତି ଠାକୁରଙ୍କ ପାଇଁ ୱାର୍ଡବୟ ସାଜିଲା ପୁଅ

  • ବାପାଙ୍କ ପାଇଁ କୋଭିଡ ହସ୍ପିଟାଲରେ ପୁଅ ସାଜିଲା ୱାର୍ଡବୟ
  • ଡବଲ ସିପ୍ଟରେ କାମ କଲା ପୁଅ
  • ଅନ୍ୟ ରୋଗୀଙ୍କ ମଧ୍ୟ ସେବାଶୁଶ୍ରୁଷା ମଧ୍ୟ କରୁଥିଲେ ଚନ୍ଦନ

ଲକ୍ଷ୍ନୌ : ମହାମାରୀକୁ ନଡରି ବାପାଙ୍କ ପାଇଁ ୱାର୍ଡବୟ ସାଜିଲା ପୁଅ । ସଂକ୍ରମଣ ଭୟ ଭିତରେ ଚଳନ୍ତି ଠାକୁରଙ୍କୁ ଏକୁଟିଆ ଅନୁଭବ କରିବାକୁ ଦେଲାନି । କେବଳ ବାପାଙ୍କ ପାଇଁ ଦିନରାତି ଡବଲ ସିପ୍ଟରେ ଡ୍ୟୁଟି କରୁଥିଲା । ଲକ୍ଷ୍ନୌ ନିବାସୀ ଜଣେ ବୃଦ୍ଧ କରୋନା ସଂକ୍ରମିତ ହୋଇ ହସ୍ପିଟାଲରେ ଆଡମିଟ୍ ହୋଇଥିଲେ । ହସ୍ପିଟାଲର ମାହୋଲ ଆଉ ଅଦୃଶ୍ୟ ଭାଇରସର ଦୌରାତ୍ମ୍ୟରେ ସେ ନିଜକୁ ଏକା ଅନୁଭବ କରୁଥିଲେ । ଚିଡଚିଡ ହୋଇଯିବା ସହ ମନମାରି ବସି ରହୁଥିଲେ । ତେଣେ ଏକଥା ଜାଣି ବାପାଙ୍କ ଏକୁଟିଆପଣ ଦୂର କରିବାକୁ ଯାଇ ହସ୍ପିଟାଲରେ ୱାର୍ଡବୟ ଚାକିରି କଲା ପୁଅ । ଆଉ ଲଗାତାର ବାପାଙ୍କର ସେବା ମଧ୍ୟ କଲା । ତେବେ ସବୁଠାରୁ ଦୁଃଖର ହେଲା ସମସ୍ତଙ୍କ ପ୍ରାର୍ଥନା ତାଙ୍କ ସାଥୀରେ ଥିଲେ ସୁଦ୍ଧା ସେ ତାଙ୍କ ବାପାଙ୍କୁ ବଞ୍ଚାଇ ପାରିଲେନି ।

ଲକ୍ଷ୍ନୌର ସୁରେଶ ପ୍ରସାଦ କରୋନାରେ ଆକ୍ରାନ୍ତ ହୋଇ ଜୀବନ ହାରିଛନ୍ତି । ସାଇକିଲ ଦୋକାନ ଦୋକାନ କରି ଘର ଚଳାଉଥିବା ସୁରେଶଙ୍କୁ କିଛି ଦିନ ପୂର୍ବରୁ ନିଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟା ହୋଇଥିଲା । ଫଳରେ ପରିବାର ଲୋକେ ତାଙ୍କୁ ଡିଆରଡିଓରେ ତିଆରି ହୋଇଥିବା ଅସ୍ଥାୟୀ କୋଭିଡ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ଚକିତ୍ସା ଚାଲିଥିବା ବେଳେ ସେ ମହାମାରୀ ସହ ଲଢ଼ି ଲଢ଼ି ବିଷାଦଗ୍ରସ୍ତ ହୋଇପଡ଼ିଥିଲେ । ହସ୍ପିଟାଲର ମାହୋଲ ତାଙ୍କୁ ଆଦୌ ଭଲ ଲାଗୁନଥିଲା । ଦିନକୁ ଦିନ ସେ କଥାବାର୍ତ୍ତା କରିବା ବନ୍ଦ କରିଦେଉଥିଲେ । ଅନ୍ୟପଟେ ଏକମାତ୍ର ପୁଅ ଚନ୍ଦନ ସହ କଥାବାର୍ତ୍ତା ହୋଇପାରୁନଥିଲା । ଫଳରେ ସେ ଆହୁରି ଏକୁଟଆ ଅନୁଭବ କରୁଥିଲେ । ମହାମାରୀ ସହ ବିଷାଦଗ୍ରସ୍ତ ହେବା ଦ୍ୱାରା ସେ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଲେ ।

ସେପଟେ ଜଣେ ହସ୍ପିଟାଲ କର୍ମଚାରୀଙ୍କ ଜରିଆରେ ପୁଅ ଚନ୍ଦନକୁ କହି ପଠାଇଲେ କରୋନା ସଂକ୍ରମିତ ବାପା । ତାଙ୍କର ଦେଖାଶୁଣା କେହି କରିବାକୁ କେହି ନାହାନ୍ତି । ହସ୍ପିଟାଲରେ ରହିବେନି , ଶେଷ ସମୟରେ ଘରେ ରହିବାକୁ ଚାହୁଁଛନ୍ତି ବୋଲି ପୁଅକୁ ଖବର ଦେଇଥିଲେ । ଏହା ଶୁଣି ଚନ୍ଦନଙ୍କ ମନ ଆଉ ଘରେ ଲାଗିଲାନି । କରୋନା ରୋଗୀଙ୍କୁ ଘରକୁ ନେବାକୁ ଅନୁମତି ନଥିବାରୁ ସଂକ୍ରମଣ ଭୟ ଭିତରେ ସେ ଚରମ ନଷ୍ପତି ନେଇଥିଲେ । ବାପାଙ୍କୁ ମହାମାରୀ ସହ ଲଢ଼ିବାରେ ସାହସ ଦେବାସହ ଏକୁଟିଆପଣ ଦୂର କରିବା ପାଇଁ କୋଭିଡ ହସ୍ପିଟାଲରେ ୱାର୍ଡବୟ ଚାକିରି କରିବା ଆରମ୍ଭ କରିଦେଲେ । ସେ ନିଜ ବାପାଙ୍କ ପୂରା ଧ୍ୟାନ ରଖିବା ସହ ଅନ୍ୟ ରୋଗୀଙ୍କର ମଧ୍ୟ ଧ୍ୟାନ ରଖୁଥିଲେ ।

ଚନ୍ଦନ ହସ୍ପିଟାଲରେ ଡବଲ ସିପ୍ଟରେ ଡ୍ୟୁଟି କରୁଥିଲେ । ୧୬ ଘଣ୍ଟା କାମ କରିବା ସହ କିଛିି ଘଂଟା ବାପାଙ୍କ ସହ ରହିବା ସହ ବାକି ସମୟ ଅନ୍ୟରୋଗୀ ସେବାରେ କଟାଇ ଦେଉଥିଲେ । ଅଧିକ ସମୟ କାମ କରି କରି ତାଙ୍କ ପାଦ ନାଲି ପଡ଼ିଯାଉଥିଲା । ତଥାପି ନିଜ କଷ୍ଟ ଭୁଲି ବାପାଙ୍କ କଥା ଚିନ୍ତା କରି ସେ ଦିନରାତି କାମ କରୁଥିଲେ । ହେଲେ ଦୁଃଖର ବିଷୟ ଏତେ ସବୁ କଲା ପରେ ବି ବାପାଙ୍କୁ ବଞ୍ଚେଇ ପରିଲେନି ଚନ୍ଦନ । ସଂକ୍ରମଣରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଜୀବନ ଚାଲିଗଲା ।

You might also like