ପର ହୋଇଗଲା ପୁଅ : ବୃଦ୍ଧ ମହିଳାଙ୍କୁ ନୂଆ ଜୀବନ ଦେଲେ କରୋନା ଯୋଦ୍ଧା

  • କରୋନା ସଂକ୍ରମିତ ମା’କୁ ମେଡ଼ିକାଲରେ ଛାଡ଼ି ଫେରାର ମାରିଲେ ପୁଅବୋହୂ
  • ହସ୍ପିଟାଲରେ ଭର୍ତ୍ତି କରିବା ସମୟରେ ଦେଲେ ଭୁଲ ନାମ ଓ ଠିକଣା
  • ଡାକ୍ତର ଓ ନର୍ସମାନେ ଦିନ ରାତି ସେବା କରି ବୃଦ୍ଧ ମହିଳାଙ୍କୁ ନୂଆ ଜୀବନ ଦେଲେ

ରାଞ୍ଚି : ପର ହୋଇଗଲା ପୁଅ, ଆପଣାର କରି ନୂଆ ଜୀବନ ଦେଲେ କରୋନା ଯୋଦ୍ଧା । ସଂକ୍ରମଣ ଭୟ ଭିତରେ ଛିଣ୍ଡିଗଲା ମମତାର ଡୋର । ପୁଅ ଭୁଲିଗଲା ମା’ର ନିସ୍ୱାର୍ଥପର ଭଲପାଇବା । ଜୀବନ ସାରା ଜଳି ଜଳି ମୁହଁରେ ଆହାର ଦେଉଥିବା ବୁଢ଼ୀ ମା’ ଅଦୃଶ୍ୟ ଭାଇସର ଭୟ ଭିତରେ ଅଜଣା ହୋଇଗଲା । ଭୂତାଣର ଚକ୍ରବ୍ୟୁହରେ ପଡ଼ି ଅଣନିଶ୍ୱାସୀ ହୋଇ ଛଟପଟ ହେଉଥିଲା ବୁଢ଼ୀ ମା’ । ସେବା କରିବା ପରିବର୍ତ୍ତେ ହସ୍ପିଟାଲରେ ଛାଡ଼ି ଦେଇଗଲେ ପୁଅବୋହୂ । କେବଳ ଯେ ଛାଡ଼ି ଦେଇଗଲେ ତା’ ନୁହେଁ କୌଣସି ସୁବିଧା ଅସୁବିଧା ହେଲେ ମେଡିକାଲରୁ ଡକରା ଯିବା ଭୟରେ ଭୁଲ ଠିକଣା ଦେଇ ମା’କୁ ମେଡିକାଲରେ ଆଡମିଟ୍ କରିଥିଲା ରେଲବାଇରେ ଏକ ଭଲ ପୋଷ୍ଟରେ କାମ କରୁଥିବା ପୁଅ । ରାଞ୍ଚିରେ ଏପରି ଦୁଃଖଦ ଘଟଣା ଘଟିଛି ।

ଏପ୍ରିଲ୍ ୨୯ରେ ରାଞ୍ଚି ସଦର ଡାକ୍ତରଖାନାରେ ଜଣେ କରୋନା ସଂକ୍ରମିତ ବୃଦ୍ଧା ଆଡମିଟ ହୋଇଥିଲେ । ମେ ୨ ତାରିଖରେ ବୃଦ୍ଧ ମହିଳାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା । ଭୁଲ ନାମ ଏବଂ ଠିକଣାରେ ଆଡମିଟ୍ କରାଇ ନିଜ କର୍ତ୍ତବ୍ୟ ଶେଷ କରି ଘରକୁ ଚାଲିଗଲେ ପୁଅବୋହୂ । ଯେଉଁ ସମୟରେ ପରିବାର ଲୋକ ମନୋବଳ ବଢ଼ାଇବା କଥା ସେହି ସମୟରେ ଏକା ଏକା ଭାଇରସ ସହ ଲଢ଼ୁଥିଲେ ବୃଦ୍ଧା । ହସ୍ପିଟାଲକୁ ଦେଖି ଆସିବା ଦୂରର କଥା ଫୋନରେ କେହି ଆହା ପଦେ କହିଲେନି । ହେଲେ ଡାକ୍ତରଖାନା କର୍ତ୍ତୃପକ୍ଷ ତାଙ୍କ ଚିକିତ୍ସାରେ ଟିକିଏ ବି ହେଳା କରିନଥିଲେ ।

ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର ଏବଂ ନର୍ସମାନେ ତାଙ୍କର ସମ୍ପୂର୍ଣ୍ଣ ଯତ୍ନ ନେଇଥିଲେ। ତାଙ୍କର ଶଯ୍ୟା ବଦଳାଇବା ଠାରୁ ଆରମ୍ଭ କରି ମୁଣ୍ଡ କୁଣ୍ଡାଇବା ସହ ବେଡସିଟ୍ ସଫା କରିବା ସମସ୍ତ କାମ କରୁଥିଲେ । ଫଳରେ ଦୀର୍ଘ ଦିନର ଚିକିତ୍ସା ପରେ ତଥା ଯୋଦ୍ଧାଙ୍କ ସ୍ନେହ ପ୍ରେମ ପାଇ କରୋନା ଯୁଦ୍ଧରେ ଜିତି ଯାଇଛନ୍ତି ବୃଦ୍ଧ ମହିଳା । ତେବେ ଭଲ ହେବା ପରେ ମଧ୍ୟ ବୃଦ୍ଧାଙ୍କୁ କେହି ନଆସିବାରୁ ଅସଲ କଥା ସାମ୍ନାକୁ ଆସିଥିଲା । ବୃଦ୍ଧ ମହିଳାଙ୍କ ପୁଅ ଏବଂ ଜ୍ୱାଇଁ ରେଲୱେରେ କାମ କରନ୍ତି । ସବୁଠାରୁ ବଡ କଥା ହେଲା ମହିଳାଙ୍କ ସ୍ୱାମୀ ମଧ୍ୟ ରେଲୱେରେ କାମ କରୁଥିଲେ । ମହିଳାଙ୍କ ସ୍ୱାମୀଙ୍କ ଅକାଳ ବିୟୋଗ ପରେ ପୁଅକୁ ବାପାର ଚାକିରି ମିଳିଥିଲା । ତଥାପି ଶେଷ ସମୟରେ ମା’ର ଯତ୍ନ ନେବାକୁ ନାରାଜ ପୁଅ ।

ସେପଟେ ମହିଳା ଜଣକ ତେଲୁଗୁ ଭାଷୀ ହୋଇଥିବାରୁ ଡାକ୍ତର ଓ ନର୍ସମାନେ ତାଙ୍କ କଥା କିଛି ବୁଝି ପାରୁନଥିଲେ । ଏହା ପରେ ପ୍ରଶାସନର ଉଦ୍ୟମରେ ବୁଧବାର ଦିନ ତାଙ୍କୁ ଏକ ବୃଦ୍ଧ ଆଶ୍ରମ ପଠାଯାଇଥିଲା। ମହିଳାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କିଛି ଲୋକ ତାଙ୍କ ପୁଅ ଓ ଜ୍ୱାଇଁଙ୍କୁ ଏ ସମ୍ପର୍କରେ ଖବର ଦେଇଥିଲେ । ପ୍ରକୃତ କଥା ଜଣାପଡ଼ିଲା ପରେ ଲୋକହସା ହୋଇଥିଲେ ରେଲବାଇରେ କାର୍ଯ୍ୟରତ ବଡ଼ ବାବୁ । ଶେଷର ନିନ୍ଦା ଅପବାଦ ଭୟରେ ବୃଦ୍ଧାଶ୍ରମ ଯାଇ ବୃଢ଼ୀ ମା’କୁ ଫେରାଇ ଆଣିଛି କୁଳାଙ୍ଗାର ପୁଅ । ତେବେ ଘରକୁ ନେଇଥିଲେ ସୁଦ୍ଧା ବିପଦ ସମୟରେ ମାକୁ ଏକଟିଆ ଛାଡ଼ି ଦେଇଥିବା ପୁଅ, ମା’ର କେତେ ଯେ ସେବା ଯତ୍ନ କରିବ ତାହା କହିବା କଷ୍ଟକର ।

You might also like