ମୁମ୍ବାଇ : ଝାଟିମାଟି ଚାଳ ଛପର ଘରୁ ଇସ୍ରୋ ବୈଜ୍ଞାନିକ । ବାପାମା’ଙ୍କ ସ୍ୱପ୍ନ ସାକାର କରିଛି ସୁନା ପୁଅ । କଠିନ ପରିଶ୍ରମ ଆଗରେ ବାଧା ସୃଷ୍ଟି କରିପାରିନି ଦାରିଦ୍ର‌୍ୟ । ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ମାତ୍ ଦେଇ ଗରିବ ମଳିମୁଣ୍ଡିଆ ମଣିଷର ପୁଅ ଆଜି ପରିବାର ପାଇଁ ରାଜ୍ୟ ପାଇଁ ଗୌରବ ଆଣିଛି । ଆଉ ପୁଅର ସଫଳତାରେ ଓଳିଏ ଖାଇ ଓଳିଏ ଉପାସ ରହୁଥିବା ବାପାମା’ଙ୍କ ଆଖିରୁ ଆଜି ଧାର ଧାର ବହିପଡ଼ୁଛି ଆନନ୍ଦର ଅଶ୍ରୁ । ଦୃଢ଼ ଇଚ୍ଛା ଶକ୍ତି ବଳରେ ମହାରାଷ୍ଟ୍ରର ପଣ୍ଢରପୁରର ଗରିବ ଯୁବକ ଭାରତୀୟ ମହାକାଶ ଗବେଷଣା ସଂଗଠନରେ ବୈଜ୍ଞାନିକ ହୋଇପାରିଛନ୍ତି ।

ମହାରାଷ୍ଟ୍ରର ପଣ୍ଢରପୁରର ତହସିଲ ସରକୋଲିର ଯୁବକ ସୋମନାଥ ନନ୍ଦୁ ମାଲି । କେରଳ ଥିରୁବନ୍ତପୁରମ ବିକ୍ରମ ସାରାଭାଇ ମହାକାଶ କେନ୍ଦ୍ରରେ ଜଣେ ବରିଷ୍ଠ ବୈଜ୍ଞାନିକ ଭାବରେ ମନୋନୀତ ହୋଇଛନ୍ତି । ସୋମନାଥଙ୍କ ସଂଘର୍ଷ ଓ ପରିଶ୍ରମର କାହାଣୀ ସସସ୍ତଙ୍କୁ ପ୍ରେରଣା ଯୋଗାଇବ ନିଶ୍ଚୟ । ପିଲା ଦିନ ତାଙ୍କର ବେଶ୍ ଅଭାବ ଅନଟନ ଭିତରେ କଟିଛି । ବାପାମା’ ଦିନ ମଜୁରିଆ । ଝାଟି ମାଟି ଘରୁ ଇସ୍ରୋ ବୈଜ୍ଞାନିକ ହେବାର ଯାତ୍ରା ତାଙ୍କ ପାଇଁ ଏତେ ସହଜ ନଥିଲା । ସୋମନାଥଙ୍କୁ ପାଠ ପଢ଼ାଇବା ପାଇଁ ତାଙ୍କ ଭାଇ ମଧ୍ୟ ଅନ୍ୟ ନିକଟରେ ମୂଳ ଲାଗନ୍ତି । ଆଜିର ମହଙ୍ଗା ଯୁଗରେ ମଜୁରୀ କାମ କରି ପେଟ ପୋଷିବା ବଡ଼ ମୁସ୍କିଲ । ଯେତେ ପରିଶ୍ରମ କଲେ ସୁଦ୍ଧା ଚାରି ପ୍ରାଣୀ କୁଟୁମ୍ବ ପେଟ ଅପୋଷା ରହୁଥିଲା । ନିଜ ଅସୁବିଧା କଥା ଚିନ୍ତା ନକରି ସୋମନାଥଙ୍କୁ ପାଠ ପଢ଼ାଇଥିଲେ ପରିବାର ଲୋକ ।

ବାପାମା’ଙ୍କ କଷ୍ଟକୁ ବୁଝି ପିଲାବେଳୁ କଠିନ ପରିଶ୍ରମ କରୁଥିଲେ ସୋମନାଥ । ଗାଁ ସ୍କୁଲରୁ ଆରମ୍ଭ ହୋଇଥିଲା ପାଠପଢ଼ା । ଗାଁର ଜିଲ୍ଲା ପରିଷଦ ପ୍ରାଥମିକ ସ୍କୁଲରୁ ସପ୍ତମ ଓ ମାଧ୍ୟମିକ ସ୍କୁଲରୁ ଦଶମ ପାଠ ପଢ଼ିଥିଲେ । ୨୦୧୧ ରେ ୮୧ ପ୍ରତିଶତ ନମ୍ବର ରଖି ସେ ଦ୍ୱାଦଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ଆଉ ତା’ପରେ ବିଟେକ୍ ପଢ଼ିବା ପାଇଁ ମୁମ୍ବାଇ ଚାଲିଯାଇଥିଲେ । ଆଉ ତା’ ପର ଠାରୁ ସେ ପଛକୁ ଫେରି ଚାହିଁ ନାହାନ୍ତି । କଠିନ ପରିଶ୍ରମ କରି ଗୋଟିଏ ପରେ ଗୋଟିଏ ସଫଳତାର ଶିଡ଼ି ଚଢ଼ି ଚଢ଼ି ଗଲେ ।

ବିଟେକ୍ ପରେ ଆଇଆଇଟି ଦିଲ୍ଲୀ ପାଇଁ ମେକାନିକାଲ ଡିଜାଇନର ଭାବରେ ମନୋନୀତ ହୋଇଥିଲେ । ଆଉ ସେହି ସମୟରେ ସର୍ବଭାରତୀୟ ସ୍ତରରେ ଗେଟ୍ ପରୀକ୍ଷାରେ ୯୧୬ ସ୍ଥାନରେ ରହି ଉତ୍ତୀର୍ଣ୍ଣ ହୋଇଥିଲେ । ପରେ ତାଙ୍କୁ ତାଙ୍କୁ ଏୟାରକ୍ରାପ୍ଟ ଇଞ୍ଜିନ ଡିଜାଇନରେ କାମ କରିବାକୁ ସୁଯୋଗ ମିଳିଥିଲା । ଶେଷରେ ସୋମନାଥ ୨ ଜୁନ୍ ରେ ଇସ୍ରୋର ଜଣେ ବୈଜ୍ଞାନିକ ଭାବରେ ମନୋନୀତ ହୋଇଛନ୍ତି । ଆଜି ସୋମନାଥ କେବଳ ତାଙ୍କ ଗାଁ ଏବଂ ଜିଲ୍ଲା ପାଇଁ ନୁହେଁ ବରଂ ସମଗ୍ର ମହାରାଷ୍ଟ୍ର ପାଇଁ ଗୌରବ ।

Other Stories