ଉତ୍ତରକାଶୀ: ତିନି ମାସ ଭିତରେ ଜନ୍ମ ନେଇନି ଜଣେ ବି ଶିଶୁକନ୍ୟା


ଉତ୍ତରକାଶୀ:  ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ୩ ମାସ ହେବ କୌଣସି ଝିଅ ଜନ୍ମଲାଭ କରିନାହାନ୍ତି। ଏମିତି ଏକ ରିପୋର୍ଟ ସାମ୍ନାକୁ ଆସିବା ପରେ ଜିଲ୍ଲା ପ୍ରଶାସନ ଚିନ୍ତାରେ ପଡ଼ିଛି। କାରଣ କେନ୍ଦ୍ର ସରକାର ଲିଙ୍ଗଗତ ସମାନୁପାତ ରଖିବା ପାଇଁ ‘ବେଟି ବଚାଓ, ବେଟି ପଢ଼ାଓ’ ଅଭିଯାନ ଆରମ୍ଭ କରିଥିବାବେଳେ ଉତ୍ତରକାଶୀର ଏହାର କିଛି ପ୍ରଭାବ ପଡି ନ ଥିବା ଦେଖିବାକୁ ମିଳିଛି।
ଅନ୍ତିମ ୩ ମାସର ରିପୋର୍ଟ ଅନୁଯାୟୀ ପାଖାପାଖି ୧୩୨ଟି ଗାଁରେ ୨୧୬ ଜଣ ଶିଶୁ ଜନ୍ମଲାଭ କରିଛନ୍ତି। ହେଲେ ଏହି ସମସ୍ତ ଶିଶୁ ହେଉଛନ୍ତି ପୁଅ। ଉତ୍ତରକାଶୀର ଜିଲ୍ଲାପାଳ ଆଶିଷ ଚୌହ୍ୱାନ ପ୍ରତିକ୍ରିୟାରେ କହିଛନ୍ତି, ଏହାର ଅନୁସନ୍ଧାନ ପାଇଁ ଏକ ଟିମ୍ ଗଠନ କରାଯାଇଛି। ଏହି ଟିମ୍ ଯେଉଁ ଅଞ୍ଚଳରେ ୩ ମାସ ହେବ ଝିଅ ଜନ୍ମ ଲାଭ କରି ନାହାନ୍ତି ସେହି ସବୁ ସ୍ଥାନକୁ ଚିହ୍ନଟ କରିଛି। ଏକ ସର୍ଭେ କରିବା ପରେ ଝିଅ ଜନ୍ମ ନହେବା ପଛର କାରଣ କଣ, ତା’ର ଅନୁସନ୍ଧାନ କରାଯିବ ବୋଲି ସେ କହିଛନ୍ତି।
ଏଥିସହ ଜିଲ୍ଲାପାଳ ସ୍ଥାନୀୟ ଆଶାକର୍ମୀଙ୍କୁ ନେଇ ଏକ ଜରୁରୀ ବୈଠକ କରି ପ୍ରସ୍ତୁତ ହୋଇଥିବା ରିପୋର୍ଟ ବାବଦରେ ଅଧିକ ତଥ୍ୟ ଦେବାକୁ କହିଛନ୍ତି। ତେବେ ଜିଲ୍ଲାରେ ଝିଅ ଜନ୍ମ ଶୂନ ହେବା ପରେ ସାମାଜିକ କର୍ମୀ କଳ୍ପନା ଠାକୁର ଭ୍ରୂଣ ହତ୍ୟା କରାଯାଉଥିବା ଅଭିଯୋଗ କରିଛନ୍ତି।
ସୂଚନାଥାଉ କି, ଏବେ ଜିଲ୍ଲାର ଲିଙ୍ଗ ଅନୁପାତ ହାର ଅନୁସାରେ ୧୦୦୦ ପୁରୁଷରେ ମାତ୍ର ୯୫୮ ମହିଳା ରହିଛନ୍ତି। କିନ୍ତୁ ୧୦୦ ବର୍ଷ ତଳେ ଏଠିକାର ଦୃଶ୍ୟପଟ୍ଟ ଭିନ୍ନ ଥିଲା। ୧୯୦୯ରୁ ୧୯୩୧ ମଧ୍ୟରେ ଏଠାରେ ୧୦୧୫ ମହିଳାରେ ପୁରୁଷ ଥିଲେ ୧୦୦୦।
You might also like