ନିଜ ଅପାରଗତାକୁ ଲୁଚାଇବା ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ଦୋଷ ଦେଉଛନ୍ତି-ସ୍ୱାସ୍ଥ୍ୟମନ୍ତ୍ରୀ
ନୂଆଦିଲ୍ଲୀ: କରୋନା ମୁକାବିଲା କ୍ଷେତ୍ରରେ ନିଜର ଅପାରଗତାରୁ ଧ୍ୟାନ ହଟାଇବାକୁ ନିନ୍ଦନୀୟ ପ୍ରୟାସ କରୁଛନ୍ତି କିଛି ରାଜ୍ୟ ।କୋଭିଡ୍ ଭ୍ୟାକ୍ସିନ ସଙ୍କଟ ପ୍ରସଙ୍ଗକୁ ନେଇ ବିଭିନ୍ନ ରାଜ୍ୟ ପ୍ରଶ୍ନ ଉଠାଇବା ପରେ ଏଭଳି କଡ଼ା ଜବାବ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ।
ଟୁଇଟ୍ କରି ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଦର୍ଶାଇଛନ୍ତି, କୋଭିଡ୍ ଭଳି ଗୁରୁତର ସ୍ୱାସ୍ଥ୍ୟ ପ୍ରସଙ୍ଗର ରାଜନୀତିକରଣ ଓ ଟିକା ଯୋଗାଣକୁ ନେଇ ଆତଙ୍କ ସୃଷ୍ଟି କରିବା ପାଇଁ କିଛି ନେତାଙ୍କ ଏଭଳି ମନ୍ତବ୍ୟ ଦେଉଛନ୍ତି। ଏଭଳି ମନ୍ତବ୍ୟ ନିନ୍ଦନୀୟ ଏବଂ ଏହା ସେମାନଙ୍କ ନିଜର ଭ୍ରାନ୍ତ ଧାରଣା । କରୋନାକୁ ନିୟନ୍ତ୍ରଣ କରିବାରେ ନିଜର ବିଫଳତା ଉପରୁ ଲୋକଙ୍କ ନଜର ହଟାଇବାକୁ ସେମାନେ ଏଭଳି ଦାୟିତ୍ୱହୀନ ମନ୍ତବ୍ୟ ଦେଉଛନ୍ତି । କରୋନା ସଂକ୍ରମଣକୁ ନେଇ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରୁଛନ୍ତି । ବିଭିନ୍ନ ରାଜ୍ୟରେ କେତେ ଟିକା ଖର୍ଚ୍ଚ ହେଉଛି ତା ଉପରେ ତୀକ୍ଷ୍ଣ ନଜର ରଖାଯାଉଛି । ଦେଶରେ କୌଣସି ଭାଗରେ ଟିକାର ଅଭାବ ନାହିଁ ବୋଲି ସେ କହିଛନ୍ତି
ସୂଚନାଥାଉ କି, ରାଜ୍ୟରେ ଆବଶ୍ୟକ ପରିମାଣର କରୋନା ଟିକା ନାହିଁ ବୋଲି କହି ମହାରାଷ୍ଟ୍ର, ଦିଲ୍ଲୀ ଏବଂ ଓଡ଼ିଶା ସରକାରଙ୍କ ପକ୍ଷରୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଏହାର ଉତ୍ତର ରଖିବାକୁ ଯାଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଏପରି କହିଛନ୍ତି। ସେ କହିଛନ୍ତି, କରୋନାର ଦ୍ୱିତୀୟ ଲହରକୁ ନେଇ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ଏପରି ସ୍ଥିତିରେ ଟିକା ଅଭାବ ଅଭିଯୋଗ ଗ୍ରହଣୀୟ ନୁହେଁ। ଏହାଦ୍ୱାରା ଲୋକେ ଅଧିକ ଭୟଭୀତ ହେବେ। ଗୁରୁତର ସ୍ୱାସ୍ଥ୍ୟ ପ୍ରସଙ୍ଗକୁ ଏପରି ରାଜନୀତିକରଣ କରିବା ଉଚିତ୍ ନୁହେଁ।
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ କୋଭିଡ୍ ଟିକାକୁ ନେଇ କିଛି ରାଜ୍ୟ ହୀନ ରାଜନୀତି କରୁଛନ୍ତି ବୋଲି କହିଛନ୍ତି । ଏହା ସହ ଏହାକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି । ସଂପୃକ୍ତ ରାଜ୍ୟ ସରକାରମାନେ ସେମାନଙ୍କ ବିଫଳତାକୁ ଲୁଚାଇବାକୁ ଯାଇ ଏମିତି କରୁଥିବା ଟ୍ୱିଟ କରି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପୂର୍ବରୁ ମହାରାଷ୍ଟ୍ର ଓ ଦିଲ୍ଲୀ ସରକାର ଟିକା ସଂକଟ ପ୍ରସଙ୍ଗରେ କେନ୍ଦ୍ରକୁ ଟାର୍ଗେଟ୍ କରିଥିବା ବେଳେ, ଓଡ଼ିଶାରେ ମଧ୍ୟ କୋଭିସିଲ୍ଡର ଅଭାବ ନେଇ କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ । ଯେତିକି କୋଭିସିଲଡ୍ ଟିକା ଅଛି ତାହା ୨ରୁ ୩ ଦିନ ଯିବ । ଅଧିକ ଟିକା ଯୋଗାଇ ଦେବା ପାଇଁ କେନ୍ଦ୍ରକୁ ଚିଠି ଲେଖାଯାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଥିଲେ ।
ଦେଶରେ ଗୁରୁବାର ୧ ଲକ୍ଷ ୨୬ ହଜାର ୭୮୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ ମହାମାରୀ ୬୮୫ ଜଣଙ୍କର ଜୀବନ ନେଇଛି । ଗତ ୨୪ ଘଣ୍ଟାରେ ହୋଇଥିବା ୬୩୦ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କରୋନା ଜନିତ ମୃତ୍ୟୁସଂଖ୍ୟା ୧,୬୬,୮୬୨ରେ ପହଞ୍ଚିଛି । ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୨୯ ଲକ୍ଷ ୨୮ ହଜାର ପାର କରିଥିବା ବେଳେ ଆଜି ସୁଦ୍ଧା ଭାଇରସକୁ ମାତ ଦେଇ ୧କୋଟି ୧୮ ଲକ୍ଷରୁ ଅଧିକ ସୁସ୍ଥ ହେଲେଣି ।
ଜାନୁଆରୀ ୧୬ ତାରିଖରୁ ଦେଶରେ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା। ଏପ୍ରିଲ ୭ ତାରିଖ ସୁଦ୍ଧା ସାରା ଦେଶରେ ୯ କୋଟି ୧ ଲକ୍ଷ ୯୮ ହଜାର ୬୭୩ କରୋନା ଡୋଜ ଦିଆଯାଇଛି। ଆଜି ସୁଦ୍ଧା ଦେଶରେ ୩୩ ଲକ୍ଷ ୩୭ ହଜାର ଟିକା ଦିଆଯାଇଛି। ଭାକ୍ସିନର ଦ୍ୱିତୀୟ ଡୋଜ ଅଭିଯାନ ଫେବ୍ରୁଆରୀ ୧୩ ତାରିଖରୁ ଆରମ୍ଭ ହୋଇଛି । ଏପ୍ରିଲ ୧ରୁ ୪୫ ବର୍ଷରୁ ଅଧିକ ଲୋକଙ୍କୁ ଟିକା ଲଗାଯାଇଛି।
Politicising the important public health issue of #COVID19 & spreading panic regarding vaccine supply is a damning indictment of certain leaders & their own fallacies
Let’s focus energies, defeat the pandemic & fulfil our solemn public duty
My statement-https://t.co/0nxiNYweiK
— Dr Harsh Vardhan (@drharshvardhan) April 7, 2021