ନିଜ ବାହାଘରରେ ପହଞ୍ଚି ପାରିଲେନି ଯବାନ

ମନାଲି:ବାହାଘରରେ ଆମେ ଆପଣାର ମଣିଷମାନଙ୍କୁ ଆମନ୍ତ୍ରଣ କରିଥାଉ। କାରଣ ନିଜଲୋକଙ୍କ ଗହଣରେ ଖୁସିର ମୁହୂର୍ତ୍ତସବୁ ଆହୁରି ଜୀବନ୍ତ ହୋଇଉଠନ୍ତି। ସେମାନଙ୍କ ମଧ୍ୟରୁ କେହି ଯଦି ପହଞ୍ଚି ନ ପାରନ୍ତି ଆମ ମନ ଦୁଃଖ ହୁଏ। ହେଲେ ବାହାଘରରେ ଯଦି ନିଜେ ବର ବା କନ୍ୟା  ପହଞ୍ଚି ନ ପାରେ ତେବେ କ’ଣ ହେବ ? ଏମିତି ଏକ ଘଟଣା ଘଟିଛି ଭାରତୀୟ ସେନା ବାହିନୀର ଜଣେ ଯବାନଙ୍କ କ୍ଷେତ୍ରରେ।

ହିମାଚଳ ପ୍ରଦେଶର ମଣ୍ଡିରେ ରହୁଥିବା ଜଣେ ଯବାନ ନିଜ ବାହାଘରରେ ପହଞ୍ଚି ପାରିଲେନି। କାରଣ ଆଉ କିଛି ନୁହେଁ, ବରଫ ପାତ। ଏହି ଯବାନଜଣକ ଏବେ କାଶ୍ମୀରେ ମୁତୟନ ଅଛନ୍ତି। ସେଠାରେ ଗତ ୨ ସପ୍ତାହ ହେଲା ଏତେମାତ୍ରାରେ ବରଫପାତ ହେଉଛି, ଯଦ୍ୱାରା ସେ ଘାଟିରୁ ବାହାରି ଆସି ପାରୁନାହାନ୍ତି।

ଗୁରୁବାର ଥିଲା ଯବାନ ସୁନିଲ୍‌ଙ୍କ ବାହାଘର। ପରିବାର ଲୋକେ ପୁଅ ବାହାଘର ବୋଲି ଘରକୁ ସୁନ୍ଦର ଭାବେ ସଜେଇଥିଲେ। ବନ୍ଧୁବାନ୍ଧବଙ୍କ ଭିଡ଼ ବି ଜମି ଯାଇଥିଲା। ବୁଧବାର ରାତିରୁ ବାହାଘର ବିଧିବିଧାନ ଅନୁସାରେ ଆରମ୍ଭ ହୋଇଥିଲା। ଗୁରୁବାର ଖେର ଗାଁରୁ ବାହାରିଥାନ୍ତା ସୁନିଲ୍‌ଙ୍କ ବାରାତ୍‌। ସମସ୍ତେ ଅପେକ୍ଷା କରିଥିଲେ ସୁନିଲଙ୍କୁ । ସୁନିଲ ମଧ୍ୟ ବାହାଘର ପାଇଁ ଜାନୁଅରୀ ୧ ଛୁଟି ନେଇଥିଲେ। ସେ ଘରକୁ ଆସିବେ ବୋଲି କିଛି ଦିନ ପୂର୍ବରୁ ବାହାରି ବାନ୍ଦିପୋରାସ୍ଥିତ ଟ୍ରାଞ୍ଜିଟ୍‌ କ୍ୟାମ୍ପରେ ପହଞ୍ଚି ଯାଇଥିଲେ।

ହେଲେ ପାଗ ଖରାପ ଥିବାରୁ ସବୁ ରାସ୍ତା ବନ୍ଦ ହୋଇ ଯାଇଥିଲା। ଏହି ଖବର କନ୍ୟାପକ୍ଷ ଲୋକେ ଜାଣିବା ପରେ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ସୁନିଲ ଶ୍ରୀନଗରରୁ ସମସ୍ତଙ୍କ ସହ ଫୋନରେ କଥାବାର୍ତ୍ତା ହୋଇ ଖରାପ ପାଗ ଯୋଗୁ ଫ୍ଲାଇଟ୍ ଟେକ୍‌ଅଫ କରି ପାରୁ ନ ଥିବା ବୁଝାଇଥିଲେ। ଏକଥା ଶୁଣିବା ପରେ କନ୍ୟ ଘର ପକ୍ଷ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି।

କନ୍ୟାର ଚାଚା ସଞ୍ଜୟ କୁମାରଙ୍କ କହିବା ଅନୁଯାୟୀ, ବିବାହ ପାଇଁ ଆମେ ଦୁଇ ପରିବାର ପ୍ରସ୍ତୁତ ହେଉଥିଲୁ। ବନ୍ଧୁବାନ୍ଧବ ପହଞ୍ଚି ଯାଇଥିଲେ। ସମସ୍ତେ ସୁନିଲଙ୍କୁ ଅପେକ୍ଷା କରିଥିଲେ। ହେଲେ ସେ ସୀମାନ୍ତରେ ରହି ଦେଶ ସେବା କରୁଛନ୍ତି। ଆଉ ଏଥିପାଇଁ ସେ ଆସି ପାରିଲେ ନାହିଁ। ତାଙ୍କର ଏହି କାମ ପାଇଁ ଆମେ ଗର୍ବିତ। ଏବେ ଗୋଟିଏ ମାତ୍ର ବିକଳ୍ପ ରହିଛି, ବିବାହର ତାରିଖ ଗଡ଼ାଇ ଦେବା।

ସିଦ୍ଧପୁର ପଞ୍ଚାୟତର ମୁଖ୍ୟ ଦଲୀପ କୁମାରଙକ କହିବା ଅନୁଯାୟୀ, ସୁନିଲ ଶ୍ରୀନଗରେ ପହଞ୍ଚି ଯାଇଛନ୍ତି। ପାଗ ଖରାପ ଯୋଗୁ ସେ ଆସି ପାରି ନାହାନ୍ତି। ପାଗ ବଦଳିଲେ ସେ ଘରକୁ ଆସିବେ। ତା’ପରେ ବିବାହ ପାଇଁ ଆଉଥରେ ତାରିଖ ଧାର୍ଯ୍ୟ ହେବ।

You might also like