ଭିତରେ ଓ ବାହାରେ ବରଫ…ଆଉ ତା’ ଭିତରେ ପର୍ଯ୍ୟଟକ ପିଉଛନ୍ତି କଫି ସାଙ୍ଗକୁ ଚା’

ବାହାରେ ବରଫ, ଭିତରେ ବରଫ

ଜାମ୍ମୁ-କାଶ୍ମୀର: ବାହାରେ ବରଫ, ଭିତରେ ବରଫ ଆଉ ତା ଭିତରେ ଖାଦ୍ୟ ଓ ପାନୀୟର ମଜା ନେଉଛନ୍ତି ପର୍ଯ୍ୟଟକ। କେବଳ ଏତିକି ନୁହେଁ ଏହାସହ ସ୍କେଟିଂ ବି କରୁଛନ୍ତି ଲୋକେ। କାଶ୍ମୀର ଗୁଲମାର୍ଗରେ ଖୋଲିଛି ଭାରତର ପ୍ରଥମ ଓ ଏସିଆର ବୃହତ୍ତମ ଇଗ୍ଲୁ କାଫେ।

ବରଫ ଘର, ବରଫ କାନ୍ଥ, ବରଫ ଟେବୁଲ ଚେୟାର୍, ବରଫରେ ଡେକୋରେସନ୍ ବାହାରେ ବରଫ, ଭିତରେ ବି ବରଫ। ଯୁଆଡ଼େ ଦେଖିବେ ସିଆଡ଼େ କେବଳ ବରଫ ହିଁ ବରଫ। ଆଉ ଏମିତି ଜାଗାରେ ବସି ଆପଣ ନେଇପାରିବେ ଖାଦ୍ୟ ଓ ପାନୀୟର ମଜା। ଏଭଳି ଏକ ଅସାଧାରଣ ଅନୁଭୂତି ସାଉଁଟିବାକୁ ହେଲେ, ଆପଣଙ୍କୁ କୌଣସି ବିଦେଶକୁ ନୁହେଁ, ବରଂ ଯିବାକୁ ପଡ଼ିବ କାଶ୍ମୀରର ଗୁଲ୍ମାର୍ଗକୁ। ସେଠି ଖୋଲିଛି ଦେଶର ପ୍ରଥମ ଓ ଏସିଆର ବୃହତ୍ତମ ଇଗ୍ଲୁ କାଫେ।

ମେରୁ ଅଞ୍ଚଳରେ ଏସ୍କିମୋ ମାନେ ବରଫରେ ଇଗ୍ଲୁ ତିଆରି କରି ତାହାରି ମଧ୍ୟରେ ରହନ୍ତି। ହେଲେ ଏଠି ଏହା ଇଗ୍ଲୁ କେବଳ ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ଓ ସେମାନଙ୍କୁ ଏକ ନିଆରା ଅନୁଭୂତି ଦେବା ପାଇଁ ଉଦ୍ଦିଷ୍ଟ।

କୋଲାହୋଇ ଗ୍ରୁପ୍ ଅଫ୍ ହୋଟେଲ୍ସ ଆଣ୍ଡ୍ ରିସୋର୍ଟ୍ସ୍ ପକ୍ଷରୁ ସ୍କି ରିସୋର୍ଟରେ ତିଆରି ହୋଇଛି ଏହି ଇଗ୍ଲୁ କାଫେ। ଏଠି ଆପଣ ବରଫରେସାଇକେଲ୍ ବି ଚଲାଇପାରିବେ, ଆଉ ତା ସହ ବରଫ କାଫେ ଭିତରେ ମଜା ବି କରିପାରିବେ। ୩ଫୁଟ୍ ମୋଟେଇର ବରଫରେ ତିଆରି ଏହି ଇଗ୍ଲୁ କାଫେ ସାଢ଼େ ୧୨ ଫୁଟ୍ ଉଚ୍ଚ ଓ ୨୨ ଫୁଟ୍ ଗୋଲେଇର। ଏଠି ପଡ଼ିଛି ୪ଟି ବରଫ ତିଆରି ଟେବୁଲ୍ ଓ ୧୬ ଜଣଙ୍କ ପାଇଁ ଚେୟାର୍। ଆଉ ଏହା ଭିତରେ ଗରମ ଚା କି କଫି ପିଇଲେ ଆପଣ ଭାବୁଥିବେ ହୁଏତ ଫ୍ରିଜ୍ ଭିତରେ ପଶି ଚା ପିଇଲା ଭଳି ଲାଗୁଥିବ। କିନ୍ତୁ ନା, ବରଫ ତାପର କୁପରିବାହୀ ହୋଇଥିବାରୁ ବାହାର ଅପେକ୍ଷା ଏହା ଭିତରର ପରିବେଶ ବେଶ୍ ଉଷୁମ୍ ରହିଛି। ତେବେ ମୋଟ ଉପରେ କହିବାକୁ ଗଲେ, ଏଠକୁ ଆସିବାକୁ ଅନେକ ପର୍ଯ୍ୟଟକ ଇଚ୍ଛା ପ୍ରକାଶ କରୁଛନ୍ତି।

You might also like