ମୁମ୍ବାଇରେ ଗ୍ୟାସ ଲିକ୍‌କୁ ନେଇ କୋକୁଆ ଭୟ

ମୁମ୍ବାଇ: ଗତ ରାତିରେ ମୁମ୍ବାଇର ବିଭିନ୍ନ ସ୍ଥାନରେ ଦୁର୍ଗନ୍ଧ ହେବାକୁ ନେଇ ଗ୍ୟାସ ଲିକ୍ ହେଉଥିବା ସନ୍ଦେହ କରି ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିଲା। ଚେମ୍ବୁର, ଘାଟକୋପର, କଂଜୁମାର୍ଗ, ବିଖ୍ରୋଲି, ପୋଓ୍ୱାଇ, ଅନ୍ଧେରୀ ଓ ମନଖୁର୍ଦ ଅଞ୍ଚଳରେ ଦୁର୍ଗନ୍ଧ ହେଉଥିବା ନେଇ ଶହ ଶହ ଅଭିଯୋଗ ଟ୍ୱିଟ୍ ମାଧ୍ୟମରେ ବ୍ରିହନ ମୁମ୍ବାଇ ମ୍ୟୁନିସପାଲ୍ କର୍ପୋରେସନକୁ ଆସିଥିଲା।

ଏଭଳି ଅଭିଯୋଗ ମିଳିବା ପରେ ବିଏମସି ପକ୍ଷରୁ ତତକ୍ଷଣାତ ଫାୟାର ବ୍ରିଗେଡକୁ ସଂପୃକ୍ତ ଅଞ୍ଚଳକୁ ପଠାଯିବା ସହ ଭୟଭୀତ ନ ହେବାକୁ ଲୋକଙ୍କୁ କୁହାଯାଇଥିଲା। ତେବେ ଘଟଣା ସଂପର୍କରେ ଜାଣିବା ପରେ ସମାଧାନ ଲାଗି ପଦକ୍ଷେପ ନିଆଯାଇଛି ବୋଲି ମହାରାଷ୍ଟ୍ର ମନ୍ତ୍ରୀ ଆଦିତ୍ୟ ଠାକରେ ସୂଚନା ଦେଇଥିଲେ। ତେବେ ସହରର କୌଣସି ସ୍ଥାନରେ ବି ଗ୍ୟାସ ଲିକ୍ ହୋଇନଥିବା ଅଗ୍ନିଶମ ବିଭାଗ କହିବା ପରେ ସ୍ଥିତି ସ୍ୱାଭାବିକ ହୋଇଛି।

ପ୍ରକାଶଥାଉକି ଗତ ମାସରେ ବିଶାଖାପାଟନମ୍‌ ଏଲ୍‌ଜି ପଲିମର୍ସ ପ୍ଲାଣ୍ଟ ଗ୍ୟାସ୍ ଲିକ୍‌ ହୋଇଥିଲା। ଫଳରେ ଗ୍ୟାସ୍‌ ନିକଟସ୍ଥ ଅଞ୍ଚଳରେ ବ୍ୟାପିଯିବା ପରେ ଲୋକେ ବେହୋସ୍ ହୋଇଯାଇଥିଲେ। କେହି କେହି ବାନ୍ତି କରି ମୁଣ୍ଡ ବୁଲାଇ ତଳେ ପଡ଼ିଯାଇଥିଲେ। ଏହି ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା।

You might also like