ସୁଧୁରୁନି ପ୍ରଖ୍ୟାତ ଗାୟକ ଏସ୍ପି ବାଲାସୁବ୍ରମଣ୍ୟମଙ୍କ ସ୍ୱାସ୍ଥ୍ୟାବସ୍ଥା; ଏବେବି ଗୁରୁତର
ଚେନ୍ନାଇ: କରୋନା ଆକ୍ରାନ୍ତ ପ୍ରଖ୍ୟାତ ଗାୟକ ଏସପି ବାଲାସୁବ୍ରମଣ୍ୟମ(ଏସ୍ବିପି)ଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର। ଚେନ୍ନାଇର ଏମ୍ଜିଏମ୍ ହେଲ୍ଥ କେୟାର ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଛି। ତାଙ୍କୁ ଆଇସିୟୁର ଭେଣ୍ଟିଲେଟର୍ ଓ ଲାଇଫ୍ ସପୋର୍ଟ ସିଷ୍ଟମରେ ରଖାଯାଇଛି।
ବାଲାସୁବ୍ରମଣ୍ୟମଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ନେଇ ଏମଜିଏମ୍ ହେଲ୍ଥ କେୟାର ପକ୍ଷରୁ ସୂଚନା ଦିଆଯାଇଛି। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ବିଶେଷଜ୍ଞଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ଟିମ୍ ତାଙ୍କର ଚିକିତ୍ସା କରୁଛନ୍ତି। ଏହି ଟିମ୍ ସୁବ୍ରମଣ୍ୟମଙ୍କ ସ୍ୱାସ୍ଥ୍ୟର ପ୍ରତିଟି ଦିଗ ଉପରେ ନଜର ରଖିଛନ୍ତି।
ଏସ୍ବିପିଙ୍କ ଆରୋଗ୍ୟା କାମନା କରୁଥିବା ଫ୍ୟାନ୍ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ସୁବ୍ରମଣ୍ୟମଙ୍କ ପୁଅ ଏସ୍ପି ଚରଣ। ସେ ଇନ୍ଷ୍ଟାର ଏକ ଭିଡିଓ ପୋଷ୍ଟ କରି ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହିତ ବାପାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସେମିତି କିଛି ପରିବର୍ତ୍ତନ ଦେଖାଯାଉ ନଥିବା ସେ କହିଛନ୍ତି। କେବଳ ଫ୍ୟାନ କାହିଁକି ବହୁ ବଡ଼ ବଡ଼ ଅଭିନେତା ଓ ନେତା ଏସ୍ବିପିଙ୍ ଆରୋଗ୍ୟ କାମନା କରିଛନ୍ତି।
୭୪ ବର୍ଷୀୟ ସୁବ୍ରମଣ୍ୟମ ଅସୁସ୍ଥତା କାରଣରୁ ଗତ ୫ ତାରିଖରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପରେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ସୂଚନା ଦେଇଥିଲେ। ତାଙ୍କୁ ଚେନ୍ନାଇ ଏମଜିଏମ୍ ହେଲ୍ଥ କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।