କରୋନାରେ ପତ୍ନୀଙ୍କ ମୃତ୍ୟୁକୁ ସହି ପାରିଲେନି, ଜୀବନ ହାରିଲେ ସ୍ୱାମୀ

ଇଂଲଣ୍ଡ: ସେ ଦୁହିଁଙ୍କ ଭଲ ପାଇବା ଥିଲା  ଅନାବିଳ ପ୍ରେମର ଆଉ ଏକ ଉଦାହରଣ। ହାତ ଧରି ଚାଲିବେ ବୋଲି ଦୁହେଁ ଦୁହିଁଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।  ଆଉ ସେଇ ପ୍ରତିଶ୍ରୁତି ରକ୍ଷା କରି ହାତ ଧରାଧରି ହୋଇ ଚାଲିଗଲେ ଆରପାରିକୁ। ଏହା ଗପ ନୁହେଁ, ଏକ ଅଙ୍ଗେନିଭା ଘଟଣା ଯାହା ଘଟିଛି  ଇଂଲଣ୍ଡର ସାଉଥହମ୍ପଟନ ସହରରେ।

ସାଉଥହମ୍ପଟନ ସହରରେ ଏକ ବୃଦ୍ଧ ଦମ୍ପତ୍ତି ଡାକ୍ତରଖାନାରେ ପଡ଼ିଥିଲେ। ପତ୍ନୀଙ୍କର କରୋନା ଭାଇରସରେ ମୃତ୍ୟୁ ଘଟିଲା। ପତ୍ନୀଙ୍କ ମୃତ୍ୟୁ ଖବର ଯେମିତି ସ୍ୱାମୀ ଜାଣିପାରିଲେ, ସେ ତାଙ୍କ ମୁହଁରେ ଲାଗିଥିବା ଅକ୍ସିଜେନ ମାସ୍କକୁ ବାହାର କରିଦେଲେ।  ସ୍ତ୍ରୀ ମରିବାର ୫ଘଣ୍ଟା ଭିତିରେ ସ୍ୱାମୀ ମଧ୍ୟ ମୃତ୍ୟୁବରଣ କରିଥିଲେ। ସାଧାରଣତଃ ପାଶ୍ଚାତ୍ୟ ଜଗତରେ ଦାମ୍ପତ୍ୟ ସମ୍ପର୍କ କ୍ଷଣଭଙ୍ଗୁର ହୋଇଥିବାବେଳେ ଏହି ବୃଦ୍ଧ ଦମ୍ପତ୍ତି ଏହାର ଏକ ବ୍ୟତିକ୍ରମ।

ଖବର ଅନୁଯାୟୀ, ବିଲ ଡାର୍ଟନାଲ୍‌ ନାମକ ଏହି ୯୦ ବର୍ଷର ବୃଦ୍ଧ ତାଙ୍କ ପତ୍ନୀଙ୍କୁ ବହୁତ ଭଲପାଉଥିଲେ। ୮୧ ବର୍ଷ ବୟସ୍କ ମେରି  ଜେନ୍‌କି ମଧ୍ୟ ସ୍ୱାମୀଙ୍କର ଖୁବ ଅନୁଗତ ଥିଲେ । ଗତ ସପ୍ତାହରେ ଜଣାପଡିଲା ଯେ ଡାର୍ଟନାଲ୍‌ଙ୍କ ପତ୍ନୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି।  ତାଙ୍କୁ ମେଡିକାଲରେ ଭର୍ତ୍ତି କରାଗଲା। ମେରିକୁ ମେଡିକାଲ ନେବାର କିଛି ଘଣ୍ଟା ମଧ୍ୟରେ ତାଙ୍କ ସ୍ୱାମୀ ଡାର୍ଟନାଲ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାକୁ ଲାଗିଲା। ତାଙ୍କୁ ମଧ୍ୟ ସେହି ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ସେ ଦୁହିଁଙ୍କର ଏକ ଝିଅ ମଧ୍ୟ ଅଛି। ତାଙ୍କ ନାଁ ରୋଜମେରି। ରୋଜମେରି କହିଛନ୍ତି,‘ବାପା ଯେତେବେଳେ ଜାଣିବାକୁ ପାଇଲେ ଯେ ମା’ଙ୍କର ମୃତ୍ୟୁ ହୋଇଛି , ସେ ସାଙ୍ଗେ ସାଙ୍ଗେ ନିଜ ମୁହଁରୁ ଅକ୍ସିଜେନ୍‌କୁ କାଢ଼ିବାକୁ ଲାଗିଲେ।‘

ରୋଜମେରୀ କହିଥିଲେ,  ‘ବାପା ଏକଥା ମଧ୍ୟ କହିଥିଲେ ଯେ ‘ମୁଁ ତୋ ମା’ଙ୍କ ବିନା ବଞ୍ଚିପାରିବି ନାହିଁ।’ ମା’ଙ୍କର ମୃତ୍ୟୁର ୫ ଘଣ୍ଟା ପରେ ବାପାଙ୍କର ମୃତ୍ୟୁ ଘଟିଲା। ବିଲ ଆଉ ମେରି ୧୯୫୦ ମସିହାରେ ଦୁହେଁ ପ୍ରେମ ବିବାହ କରିଥିଲେ।

You might also like