ଶ୍ରୀଲଙ୍କାରେ ପ୍ରସ୍ତାବିତ ମାତା ସୀତାଙ୍କ ମନ୍ଦିର ନିର୍ମାଣକୁ ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ

ଭୋପାଲ: ଶ୍ରୀଲଙ୍କାରେ ପ୍ରସ୍ତାବିତ ମାତା ସୀତାଙ୍କ ମନ୍ଦିର ନିର୍ମାଣ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ଓ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ମଧ୍ୟରେ କଥା କଟାକଟି ପରିସ୍ଥିତି ସୃଷ୍ଟି ହୋଇଛି।

ମାତା ସୀତା ଅପହରଣ ହୋଇଥିଲେ କି ନାହିଁ, ତା’ର ତଦନ୍ତ କରିବାକୁ ଶ୍ରୀଲଙ୍କାକୁ ମଧ୍ୟ ପ୍ରଦେଶର କମଲନାଥ ସରକାର ଏକ ଟିମ୍ ପଠାଇଛନ୍ତି।

ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଏପରି ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ‘ଏହାଦ୍ୱାରା କୋଟି କୋଟି ଭକ୍ତଙ୍କର ଭାବନାକୁ ଆଘାତ ଲାଗିଛି।’

ସେ କହିଛନ୍ତି, ରାଜ୍ୟରେ ଥିବା କଂଗ୍ରେସ ସରକାର ମନ୍ଦିର ଯୋଜନାକୁ ସମ୍ପୂର୍ଣ୍ଣ କରିବା ପରିବର୍ତ୍ତେ ଏଭଳି ନିଷ୍ପତ୍ତି ନେବା ଗ୍ରହଣୀୟ ନୁହେଁ।

ସେ ଆହୁରି କହିଛନ୍ତି, ସାରା ଦେଶ ଓ ବିଶ୍ୱ ଜାଣିଛି ଯେ ରାବଣ ଲଙ୍କାର ଅଶୋକ ବାଟିକାରେ ମାତା ସୀତାଙ୍କୁ ରଖିଥିଲ ଓ ଏନେଇ ମାତା ସୀତାଙ୍କୁ ଅଗ୍ନି ପରୀକ୍ଷା ଦେବାକୁ ପଡ଼ିଥିଲା। ମୁଁ ଯେତେବେଳେ ଶ୍ରୀଲଙ୍କା ଯାଇଥିଲି ସେତେବେଳେ ସେଠାରେ ଏକ ମନ୍ଦିର ନିର୍ମାଣ ହେବା ଦରକାର ବୋଲି ଭାବିଥିଲି। କିନ୍ତୁ ମୁଁ ଭାବିକି ଆଶ୍ଚର୍ଯ୍ୟ ହେଉଛି ଯେ, କମଲନାଥ ସରକାର ମାତା ସୀତାଙ୍କ ଅପହରଣ ବାବଦରେ ଅଧିକ ତଥ୍ୟ ସଂଗ୍ରହ କରିବା ଏକ ଟିମ୍‌କୁ ଶ୍ରୀଲଙ୍କା ପଠାଇଛନ୍ତି।

ସୂଚନାଯୋଗ୍ୟ, ୨୦୧୦ରେ ଶିବରାଜ ସରକାର ମାତା ସୀତାଙ୍କ ମନ୍ଦିର ନିର୍ମାଣ କରିବା ପାଇଁ ୧ କୋଟି ଟଙ୍କା ଘୋଷଣା କରିଥିଲେ। ରାବଣ ମାତା ସୀତାଙ୍କୁ ଅପହରଣ କରି ଯେଉଁ ସ୍ଥାନରେ ରଖିଥିଲା ସେଠାରେ ଏହି ମନ୍ଦିର ହେବାର ଥିଲା। ତେବେ ଗତ ୯ ବର୍ଷ ଭିତରେ ମନ୍ଦିର କାମ ଆଗେଇ ନଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ଶିବରାଜଙ୍କ ଏଭଳି ଅଭିଯୋଗକୁ ନେଇ ମଧ୍ୟ ପ୍ରଦେଶର ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପିସି ଶର୍ମା କହିଛନ୍ତି,  ଶିବରାଜ ରାଜନୀତିକ ଫାଇଦା ଉଦ୍ଦେଶ୍ୟରେ ସେତେବେଳେ ଶ୍ରୀଲଙ୍କା ଗସ୍ତ କରିଥିଲେ। ତେବେ ମନ୍ଦିର କାମରେ କୌଣସି ଅଗ୍ରଗତି ହୋଇ ନଥିଲା।

You might also like