ମୁମ୍ବାଇ : ଅବହେଳା ପାଇଁ ଠିକାଦାରଙ୍କୁ ସର୍ବସମ୍ମୁଖରେ ଅପମାନିତ କଲେ ବିଧାୟକ । ଶିବସେନା ବିଧାୟକ ଦିଲ୍ଲୀପଙ୍କ ଏକ ଭିଡିଓ ଏବେ ଜୋରସୋରରେ ଭାଇରାଲ ହେଉଛି । ନାଳ ସଫା ହୋଇ ନଥିବାରୁ ଠିକାଦାର ଉପରେ ଅଳିଆ ଆବର୍ଜନା ଫୋପାଡ଼ୁଥିବା ଭିଡିଓରେ ଦେଖିବାକୁ ମିଳୁଛି । ଶନିବାର ଅପରହ୍ନ ୪ଟାରେ ଚାନ୍ଦବାଲି ଅଞ୍ଚଳରେ ଏପରି ଅଭାବନୀୟ ଘଟଣା ଘଟିଛି । ନାଳ ସଫା ହେଉନଥିବାରୁ ମଇଳା ପାଣି ଘର ଭିତରକୁ ପଶି ଆସୁଥିବା ଅଭିଯୋଗ କରିଥିଲେ ସ୍ଥାନୀୟ ଲୋକେ । ଆଉ ଏଥିରେ ଅସନ୍ତୁଷ୍ଟ ହୋଇ ବିଧାୟକ ଘଟଣାସ୍ଥଳରେ ନିଜ କାର୍ଯ୍ୟକର୍ତ୍ତାଙ୍କ ସହ ପହଞ୍ଚିଥିଲେ ଓ ଠିକାଦାରଙ୍କୁ ଡାକି ତାଙ୍କ ଉପରେ ମଇଳା ପକାଇବାକୁ ନିର୍ଦ୍ଦେଶ ଦେଇଥିଲେ ।

ଚାନ୍ଦବାଲି ଅଞ୍ଚଳରେ ନାଳ ସଫା ହେଉନଥିବାରୁ ଲୋକଙ୍କ ଘରକୁ ଡ୍ରେନ୍ ପାଣି ପଶିଯାଉଥିଲା । ଘରେ ରହିପାରୁ ନଥିଲେ ଲୋକେ । ଦୁର୍ଗନ୍ଧ ପାଣି ଯୋଗୁଁ ଘରେ ରହିବା ଖାଇବା, ପିଇବା, ଉଠାବସା ସବୁ ଅସହ୍ୟ ହେଲା । ଶେଷରେ ଅନ୍ୟଉପାୟ ନପାଇ ବିଧାୟକଙ୍କ ନିକଟରେ ଫେରାଦ ହୋଇଥିଲେ ସ୍ଥାନୀୟ ଲୋକେ । ତେବେ ଏକଥା ଶୁଣିବା ପରେ ଶିବସେନା ବିଧାୟକ ଦିଲ୍ଲୀପ ନିଜ କାର୍ଯ୍ୟକର୍ତ୍ତାଙ୍କୁ ଧରି ଡ୍ରେନ୍ ସଫା କରାଇଥିଲେ । ଆଉ ତା’ପରେ ଠିକାଦାରକୁ ଘଟଣାସ୍ଥଳକୁ ଡକାଇ ଦଣ୍ଡ ସ୍ୱରୂପ ତାଙ୍କ ଉପରେ ମଇଳା ଓ ଡ୍ରେନ୍ ପାଣି ଢ଼ାଳିବା ପାଇଁ କାର୍ଯ୍ୟକର୍ତ୍ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଅନ୍ୟପଟେ ଏ ସମ୍ପର୍କରେ ଜଣାପଡ଼ିବା ପରେ ବିଧାୟକ କ୍ଷମା ମାଗିବା ପରିବର୍ତ୍ତେ ସଫେଇ ଦେଇଛନ୍ତି । ସେ କହିଛନ୍ତି ଠକାଦାର ନିଜର କର୍ତ୍ତବ୍ୟ କରିନାହାନ୍ତି, ଏଥିପାଇଁ ତାଙ୍କୁ ଏପରି ଦଣ୍ଡ ଦିଆଗଲା । ଠିକାଦାରର କାମ ମଇଳା ସଫା କରିବା, ହେଲେ ସେ ସଫେଇ ନକରେଇବାରୁ କାର୍ଯ୍ୟକର୍ତ୍ତାଙ୍କୁ ଧରି ମୋତେ ନାଳ ସଫା କରିବାକୁ ପଡ଼ିଲା ।

ଭିଡିଓ ଭାଇରାଲ ହେବା ପରେ ଏ ମାମଲାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ସତ୍ତାରେ ଶିବସେନା ଥିଲାବେଳେ ମାଡ଼ଗାଡ଼ି ଖାଉଛି ବିଚରା ଠିକାଦାର ବୋଲି କହିଛି ବିଜେପି । ଯଦି ଅପମାନିତ କରିବାର ଅଛି, ତେବେ ନିଜ ନେତା, ଯିଏ ମୁମ୍ବାଇ ନଗରପାଳିକାରେ ବସିରହିଛନ୍ତି ତାଙ୍କର କର । ଯାହା ଆଖି ସାମ୍ନାରେ କୋଟି କୋଟି ଟଙ୍କାର ଭ୍ରଷ୍ଟାଚାର ହେଉଛି ତାକୁ ଧରି ମାଡ଼ ମାର । ଶିବସେନାର ଏପରି ନାଟକ ସମ୍ପର୍କରେ ମୁମ୍ବାଇ ଓ ମହାରାଷ୍ଟ୍ରର ଜନତା ଭଲଭାବେ ଅବଗତ ବୋଲି ବିଜେପି କହିଛି ।

Other Stories