ଇତିହାସ ସୃଷ୍ଟି କଲେ ଆଦିତ୍ୟ ଠାକ୍‌ରେ; ମୁଖ୍ୟମନ୍ତ୍ରୀ ପଦ ଦାବିକଲା ଶିବସେନା

ମୁମ୍ବାଇ: ଠାକରେ ପରିବାର ପାଇଁ ଇତିହାସ ସୃଷ୍ଟି କରିଛନ୍ତି ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ। ଦୀର୍ଘ ବର୍ଷ ଧରି ମହାରାଷ୍ଟ୍ର ରାଜନୀତିରେ ନିଜର ଦବଦବା ଦେଖାଇ ଆସିଥିବା ଠାକରେ ପରିବାରର ପ୍ରଥମ ସଦସ୍ୟ ଭାବେ ଆଦିତ୍ୟ ଠାକରେ ଚଳିତ ବର୍ଷ ନିର୍ବାଚନ ଲଢ଼ି ବିଜୟ ହୋଇଛନ୍ତି। ୱର୍ଲି ଆସନରୁ ନିର୍ବାଚନ ଲଢ଼ୁଥିବା ଆଦିଦ୍ୟ ଏନ୍‌ସିପି ନେତା ସୁରେଶ ମାନେଙ୍କୁ ପଛରେ ପକାଇ ୬୭ ହଜାରରୁ ଅଧିକ ଭୋଟରେ ଜିତିଛନ୍ତି। ତେବେ ଏହି ୱର୍ଲି ଆସନଟି ଶିବସେନାର ଗଡ଼ ଭାବେ ପରିଚିତ। ଏଠାରେ ୨୦୧୪ରେ ଶିବସେନା ୬୦ ହଜାର ଭୋଟରେ ଜିତିଥିଲା।

Image result for aditya thackeray

ଆଉ ଆଦିତ୍ୟ ଜିତିବା ପରେ ମନେ ମନେ ଯୋଜନା କରି ରଖିଥିବା ଶିବସେନା ପେଟର କଥାକୁ ପ୍ରକାଶ କରିଛି। ଆଦିତ୍ୟଙ୍କ ପାଇଁ ସିଧା ସିଧା ମୁଖ୍ୟମନ୍ତ୍ରୀ ପଦ ଦାବି କରିଛି ଦଳ। ଆଉ ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ବିଜେପି ଓ ସହଯୋଗୀ ଶିବସେନା ମଧ୍ୟରେ କ୍ଷମତା ଯୁଦ୍ଧ ଆରମ୍ଭ ହୋଇଯାଇଛି।

Related image

ବିଜେପି ଓ ଶିବସେନା ମେଣ୍ଟ କରିବା ପୂର୍ବରୁ ହିଁ ଦେବେନ୍ଦ୍ର ଫଡନାଭିସ ମୁଖ୍ୟମନ୍ତ୍ରୀ ରହିବେ ବୋଲି ନିଷ୍ପତ୍ତି ହୋଇଥିଲା। ହେଲେ ଏବେ ଆଦିତ୍ୟ ଠାକରେ ଜିତିବା କ୍ଷଣି ଶିବସେନା ମୁଖ୍ୟମନ୍ତ୍ରୀ ପଦ ଦାବି କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Related image

ଶିବସେନାର ବରିଷ୍ଠ ନେତା ସୁଶୀଲ ସିନ୍ଧେ ଆଜି ଗଣମାଧ୍ୟମ ଆଗରେ କହିଛନ୍ତି ଯେ “ଆମ ଦଳକୁ ମୁଖ୍ୟମନ୍ତ୍ରୀ ପଦ ମିଳୁ। ଠାକରେ ପରିବାରର ପ୍ରଥମ ସଦସ୍ୟ ଭାବେ ଆଦିତ୍ୟ ନିର୍ବାଚନ ଲଢ଼ିଥିଲେ। ସେ ୬୭ ହଜାରରୁ ଅଧିକ ଭୋଟରେ ଜିତିଛନ୍ତି। ତେଣୁ ମରାଠାବାସୀ ଶିବସେନାର ମୁଖ୍ୟମନ୍ତ୍ରୀ ଦେଖିବାକୁ ଚାହୁଁଛନ୍ତି। ତେଣୁ ଆଦିତ୍ୟ ହିଁ ମୁଖ୍ୟମନ୍ତ୍ରୀ ହେବା ଉଚିତ।”

Related image

ଏହାପୂର୍ବରୁ ଅନ୍ୟତମ ବରିଷ୍ଠ ନେତା ସଞ୍ଜୟ ରାଉତ ମଧ୍ୟ ପରୋକ୍ଷରେ ଶିବସେନାରୁ ଜଣେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ସଙ୍କେତ ଦେଇଥିଲେ।

ବିଶେଷସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ବିଜେପି ମୁଖ୍ୟମନ୍ତ୍ରୀ ପଦ ନିଜ ପାଖରେ ରଖିବ। ଅର୍ଥାତ ଦେବେନ୍ଦ୍ର ଫଡନାଭିସ ହିଁ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ସେହିପରି ଶିବସେନାକୁ ଦଳ ଉପ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବ ବୋଲି ଜଣାପଡ଼ିଛି।

 

 

You might also like