କରୋନା ପରେ କେରଳରେ ‘ଶିଗେଲା’ ଭୟ; ୧୧ ବର୍ଷ ବାଳକର ମୃତ୍ୟୁ

ଥିରୁଅନନ୍ତପୁମ୍‌: କରୋନା ଭାଇରସର ଭୟ ଦୂର ହୋଇ ନାହିଁ, ପୁଣି କେରଳରେ ଦେଖା ଦେଇଛି ଶିଗେଲା ପରି ସଂକମଣ ରୋଗ। ରାଜ୍ୟର ଏର୍ଣ୍ଣାକୁଲାର ଅଞ୍ଚଳରେ ଏହି ରୋଗର ଏକ ନମୂନା ଦେଖିବାକୁ ମିଳିଛି। ବୁଧବାର ଜଣେ ୫୬ ବର୍ଷର ମହିଳାଙ୍କ ଶରୀରରେ ଏହି଼ ରୋଗ ଠାବ କରାଯାଇଛି। ଏହି ଖବର ଜଣାପଡ଼ିବା ପରେ ଏଠାରେ ଭୟର ବାତାବରଣ ଦେଖା ଦେଇଛି।

ମହିଳା ଜଣକ ଜ୍ୱରରେ ପୀଡିତ ହୋଇଥିଲେ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏଠି କହି ରଖିବୁ, ଏହା ପୂର୍ବରୁ ଶିଗେଲା କୋଝିକୋଡରେ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କ ଶରୀରରେ ଏହି ରୋଗ ଦେଖିବାକୁ ମିଳିଛି। ପୂର୍ବରୁ ୧୧ ବର୍ଷ ଜଣେ ବାଳକର ଏହି ରୋଗରେ ମୃତ୍ୟୁ ଘଟିଛି।

ତେବେ ଏହି ରୋଗକୁ ନେଇ ଏର୍ଣ୍ଣାକୁଲମ ଜିଲ୍ଲା କଲେକ୍ଟର ଏସ.ସୁହାସ ଆଶ୍ୱାସନା ଦେଇ କହିଛନ୍ତି, ଏହାକୁ ନେଇ ଚିନ୍ତା କରିବାର କୌଣସି କାରଣ ନାହିଁ। ରୋଗୀଙ୍କ ଉପରେ ଧ୍ୟାନ ରଖାଯାଇଛି। ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ, ଏସବୁ ଅଞ୍ଚଳରେ ଇମ୍ୟୁନାଇଜେଶନ ପ୍ରକ୍ରିୟା ଜାରି ରହିଛି। ଏଥି ସହିତ ଇନ୍‌ଫେକ୍ସନ ରୋକିବା ପାଇଁ ମଧ୍ୟ ଉଦ୍ୟମ ଚାଲିଛି। ଲୋକଙ୍କୁ ବ୍ୟାକ୍ଟେରିଆଲ ପିଲ୍‌ସ ଦିଆଯାଇଛି।

ତେବେ ଏହି ଶିଗେଲା ରୋଗ କ’ଣ ?  ଏହା ଏକ ଭାଇରାଲ ଇନ୍‌ଫେକ୍ସନ। ବ୍ୟାକ୍ଟେରିଆ ଯୋଗୁ ଏହା ବ୍ୟପିଥାଏ। ବିଶେଷକରି ୧୦ ବର୍ଷରୁ କମ୍‌ ବୟସର ପିଲାଙ୍କ ପାଖରେ ଏହି ବ୍ୟାକ୍ଟେରିଆ ଇନ୍‌ଫେକ୍ସନ ଭୟ ବେଶି ଥାଏ। ଦୂଷିତ ପାଣି, ବାସି ଖାଦ୍ୟ କିମ୍ବା ସଂକ୍ରମିତ ବ୍ୟକ୍ତିଙ୍କ ଟୟଲେଟ ବ୍ୟବହାର କଲେ ଏହି ରୋଗ ସଂକ୍ରମିତ ହେବାର ଭୟ ରହିଥିବା ଡାକ୍ତର କହିଛନ୍ତି । ଏହି ରୋଗରୁ ବଞ୍ଚିବାକୁ ହେଲେ କରୋନା ପରି ଲଗାତାର ସାବୁନ୍‌ରେ ହାତ ଧୋଇବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି।

ଏହି ରୋଗ ହେଲେ ଆକ୍ରାନ୍ତ ବ୍ୟକ୍ତିଙ୍କ ଶରୀରର ତାପାମାତ୍ରା ବଢିଥାଏ। ସଂକ୍ରମଣ ହେବାର ଦିନେ ବା ଦୁଇଦିନ ପରେ ଏହି ରୋଗ ସାମ୍ନାକୁ ଆସିଥାଏ। ଏହା ୭ ଦିନ ଯାଏ ରହିଥାଏ।

You might also like