ଦିବଙ୍ଗତ ନେତ୍ରୀ ଶୀଲା ଦୀକ୍ଷିତଙ୍କ ଆଜି ହେବ ଶେଷକୃତ୍ୟ

ନୂଆଦିଲ୍ଲୀ: ଦିବଙ୍ଗତ ନେତ୍ରୀ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ଶେଷକୃତ୍ୟ ଆଜି ନୂଆଦିଲ୍ଲୀରେ ସମ୍ପନ୍ନ ହେବ। ଏନେଇ ନିଗମ୍‌ ବୋଧ୍‌ ଘାଟରେ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି। ତାଙ୍କ ପାର୍ଥିବ ଶରୀରକୁ କଂଗ୍ରେସ ମୁଖ୍ୟାଳୟ ନେବା ପୂର୍ବରୁ ଲୋକଙ୍କ ଶେଷ ଦର୍ଶନ ପାଇଁ ଦିଲ୍ଲୀର ନିଜାମୁଦ୍ଦିନ୍‌ ଅଞ୍ଚଳରେ ଥିବା ତାଙ୍କ ବାସଭବନରେ ରଖାଯାଇଛି।

ନିଗମ୍‌ ବୋଧ୍‌ ଘାଟରେ ଆଜି ଅପରାହ୍ନ ୨ଟା ୩୦ ମିନିଟ୍‌ରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବା ପୂର୍ବରୁ କଂଗ୍ରେସ ମୁଖ୍ୟାଳୟରେ ତାଙ୍କର ଶେଷ ଦର୍ଶନ ହେବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧି, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବରିଷ୍ଠ ଅଭିନେତ୍ରୀ ଶର୍ମିଲା ଟାଗୋରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ତାଙ୍କର ଶେଷ ଦର୍ଶନ କରିଛନ୍ତି। ଆଜି ବି ବହୁ ସଂଖ୍ୟାରେ କଂଗ୍ରେସ କର୍ମୀ ଶୀଲାଙ୍କୁ ଅନ୍ତିମ ବିଦାୟ ଦେବା ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି।

ଗତକାଲି ଅପରାହ୍ନରେ ନୂଆଦିଲ୍ଲୀର ଫର୍ଟିସ ଏସକର୍ଟ ହସ୍ପିଟାଲରେ ୮୧ ବର୍ଷ ବୟସରେ ଶୀଲା ଦୀକ୍ଷିତଙ୍କ ପରଲୋକ ଘଟିଥିଲା। ହୃଦ୍‌ରୋଗରେ ପୀଡ଼ିତ ଥିବା ଶୀଲା ଗତ କିଛିଦିନ ଧରି ଅସୁସ୍ଥ ଥିଲେ। ଶୀଲା ଦୀକ୍ଷିତଙ୍କ ପରଲୋକକୁ ନେଇ ଦିଲ୍ଲୀ ସରକାର ୨ ଦିନିଆ ରାଜ୍ୟ ସ୍ତରୀୟ ଶୋକ ଘୋଷଣା କରିଛନ୍ତି। ଏନେଇ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି।

You might also like