ବରିଷ୍ଠ କଂଗ୍ରେସ ନେତ୍ରୀ ଶୀଲା ଦୀକ୍ଷିତ୍‌ଙ୍କ ପରଲୋକ

ନୂଆଦିଲ୍ଲୀ :  ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ପରଲୋକ ହୋଇଯାଇଛି। ନୂଆଦିଲ୍ଲୀର ଫର୍ଟିସ ଏସକର୍ଟ ହସ୍ପିଟାଲରେ ୮୧ ବର୍ଷ ବୟସରେ ଶୀଲାଙ୍କର ପରଲୋକ ହୋଇଯାଇଛି।

ହୃଦରୋଗରେ ପୀଡ଼ିତ ଥିବା ଶୀଲା ଗତ କିଛିଦିନ ଧରି ଅସୁସ୍ଥ ଥିଲେ । ଗତକାଲି ଶ୍ୱାସ ପ୍ରଶ୍ୱାସରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଆଜି ତାଙ୍କର ମୃତ୍ୟୁ ହୋଇଯାଇଛି।

ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଘନିଷ୍ଠ ସହଯୋଗୀ ଭାବେ ଜଣାଶୁଣା ଶୀଲା ଲଗାତର ୩ ଥର ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି। ୧୯୯୮ରୁ ୨୦୧୩ ପର୍ଯ୍ୟନ୍ତ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରହିଥିଲେ ଶୀଲା। ତେବେ ୨୦୧୩ ନିର୍ବାଚନରେ ଅରବିନ୍ଦ କେଜରିଓ୍ୱାଲଙ୍କ ଆମ୍ ଆଦମୀ ପାର୍ଟିର ବିପୁଳ ବିଜୟ ପରେ କ୍ଷମତାରୁ ବାହାରିଥିଲେ ଶୀଲା।

ଏହାପରେ ୟୁପିଏ-୨ ସରକାର ତାଙ୍କୁ କେରଳର ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଥିଲା। ହେଲେ କେନ୍ଦ୍ରରେ ସରକାର ବଦଳିବା ପରେ ଶୀଲା ରାଜ୍ୟପାଳ ପଦ ଛାଡ଼ିଥିଲେ। ଗତବର୍ଷ ଦଳ ତାଙ୍କୁ ଦିଲ୍ଲୀ ପ୍ରଦେଶ କଂଗ୍ରେସର ସଭାପତି କରିଥିଲା। ଗତ ନିର୍ବାଚନରେ ଉତ୍ତର ଉତ୍ତର-ପୂର୍ବ ଦିଲ୍ଲୀ ଲୋକସଭା ଆସନରେ ଦଳୀୟ ଟିକେଟରେ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ।

ଶୀଲାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଶୋକବ୍ୟକ୍ତ କରିଛନ୍ତି। ସେହିପରି କଂଗ୍ରେସ ପକ୍ଷରୁ ମଧ୍ୟ ଶୋକ ପ୍ରକାଶ କରାଯାଇଛି।

You might also like