ଶାହୀନବାଗରେ ଗୁଳିମାଡ଼: ସିଏଏ ବିକ୍ଷୋଭକାରୀଙ୍କୁ ଏମିତି ଧମକ ଦେଲା ଯୁବକ

ନୂଆଦିଲ୍ଲୀ: ଜାମିଆ ପରେ ଆଜି ଶାହୀନବାଗର ସିଏଏ ବିରୋଧୀ ବିକ୍ଷୋଭ ସ୍ଥଳରେ ଜଣେ ଯୁବକ ଗୁଳି ଚଳାଇଛି। ଏହି ଘଟଣା ପରେ ପୁଲିସ ଉକ୍ତ ଯୁବକକୁ କାବୁ କରିନେଇଛି।

ଶାହୀନ ବାଗର ଜସୋଲା ରେଡ୍ ଲାଇଟ୍‌ ନିକଟରେ ୪ଟା ୫୩ ମିନିଟ୍‌ରେ ଏହି ଗୁଳିମାଡ଼ ହୋଇଥିଲା। ଏଥିରେ କାହାର କୌଣସି କ୍ଷତି ହୋଇ ନାହିଁ। କାରଣ ଯୁବକ ଜଣକ କାହାକୁ ଗୁଳି ନ ମାରି ଉପରକୁ ଫାଇରିଂ କରିଥିଲା ବୋଲି ଦିଲ୍ଲୀ ଡିସିପି ଚିନ୍ମୟ ବିଶ୍ୱାଳ ଏନ୍‌ଆଇକୁ କହିଛନ୍ତି।


ତେବେ ପିଟିଆଇ ଖବର ଅନୁସାରେ, ଯୁବକ ଜଣକ ବିକ୍ଷୋଭ ସ୍ଥଳର ଏକ ସାଇଟ୍‌ରେ ଛିଡ଼ା ହୋଇ ଏହି ଫାଇରିଂ କରିଥିଲା। ଏହି ସ୍ଥାନରୁ ଜସୋଲା ୫୦୦ ମିଟର ଦୂରରେ ରିହିଛି। ସେଠାରେ ଉପସ୍ଥିତ ଲୋକେ ଯୁବକୁ ଧରି ପୁଲିସ ଜିମା ଦେଇଥିଲେ ବୋଲି ପିଟିଆଇ ଖବର ପ୍ରକାଶ କରିଛି। ଅନ୍ୟପକ୍ଷରେ ପୁଲିସ୍‌ କିନ୍ତୁ ଅଲଗା କଥା କହୁଛି। ଯୁବକଜଣକ ଗୁଳି କରିବା ସମୟରେ ତାକୁ କାବୁ କରି ନିଆଯାଇଥିଲା ବୋଲି ପୁଲିସ୍‌ କହିଛି।

ଜଣେ ସାମ୍ବାଦିକା ଟ୍ୱିଟ୍‌ କରୁଥିବା ଭିଡିଓରେ ଯୁବକ ଜଣକ କହୁଛି ” ଏହି ଦେଶରେ କାହାର ଚାଲିବ ନାହିଁ କେବଳ ହିନ୍ଦୁଙ୍କର ଚାଲିବ।”

ତେବେ ଦେଖଣାହାରୀଙ୍କ କହିବା ଅନୁସାରେ, ଯୁବକ ଜଣକ ସିଏଏ ବିକ୍ଷୋଭକାରୀଙ୍କୁ ଡରାଉଥିଲା। ଏବଂ ହାୱାର ଫାଇରିଂ କରିବା ପୂର୍ବରୁ ବିକ୍ଷୋଭକାରୀଙ୍କୁ ସେହି ସ୍ଥାନ ଖାଲି କରିବା ପାଇଁ ବାରମ୍ବାର ଧମକାଉ ଥିଲା। ଡିସେମ୍ବର ମାସରୁ ବିକ୍ଷୋଭକାରୀମାନେ ସିଏଏ, ଏନ୍‌ଆର୍‌ସି ଓ ଏନ୍‌ପିଆର୍ ବିରୋଧରେ ଆନ୍ଦୋଳନ କରୁଛନ୍ତି।

ତେବେ ଗୁଳି କରିଥିବା ଯୁବକ ଜଣକ ହେଲେ କପିଲ ଗୁଜ୍ଜର। ତାଙ୍କ ଘର ଉତ୍ତର ପ୍ରଦେଶର ନୋଏଡ଼ ନିକଟସ୍ଥ ପଶ୍ଚିମ ଦିଲ୍ଲୀର ଦଲ୍ଲୁପୁରାରେ ବୋଲି ଯୁବକ ନିଜେ ପୁଲିସ୍‌କୁ କହିଛି।

କପିଲ୍‌ ଯୁକ୍ତ ଦୁଇ ଫେଲ୍‌ ହୋଇଛି। ସେ କୌଣସି ଗ୍ରୁପ୍‌ରେ ନାହିଁ। ଦୀର୍ଘଦିନ ଧରି ବିକ୍ଷୋଭ ଚାଲୁଥିବାରୁ ଏଥିରେ ଅତିଷ୍ଟ ହୋଇ ସେ ବିକ୍ଷୋଭକାରୀଙ୍କୁ କେବଳ ଡରେଇବାକୁ ଚେଷ୍ଟା କରିଥିଲା ବୋଲି କପିଲ୍‌ ପୁଲିସ୍‌କୁ କହିଛି। ବିକ୍ଷୋଭକାରୀଙ୍କୁ ଡରାଇବା ପାଇଁ ସେ ଏକ ଦେଶୀ ବନ୍ଧୁକର ବ୍ୟବହାର କରିଥିଲା ବୋଲି କପିଲ୍ କହିଛି।

ନିକଟରେ ଜାମିଆ ମିଲିଆ ଇସ୍ଲାମିଆ ବିଶ୍ୱବିଦ୍ୟାଳୟ ନିକଟରେ ମଧ୍ୟ ଏମିତି ଜଣେ ବିକ୍ଷୋଭକାରୀଙ୍କୁ ଗୁଳି ମାଡ଼ ହୋଇଥିଲା। ଏହାପରେ ତୁରନ୍ତ ପୁଲିସ୍‌ ଯୁବକକୁ କାବୁ କରିଥିଲା।

 

You might also like