ରାଫେଲ୍ କିଣା ଦୁର୍ନୀତି ମାମଲାରେ ସରକାରଙ୍କୁ ଝଟ୍‌କା

ନୂଆଦିଲ୍ଲୀ: ରାଫେଲ୍ କିଣା ଦୁର୍ନୀତି ମାମଲାରେ ସରକାରଙ୍କୁ ଝଟ୍‌କା ଲାଗିଛି। ପ୍ରତିରକ୍ଷା ମନ୍ତ୍ରାଳୟରୁ ଲିକ୍ ହୋଇଥିବା ୩ଟି ଡକ୍ୟୁମେଣ୍ଟକୁ ବିଚାର ପାଇଁ ଗ୍ରହଣୀୟ ବୋଲି କୋର୍ଟ କହିଛନ୍ତି।

ଡିସେମ୍ବର ୧୪ରେ କୋର୍ଟ ଦେଇଥିବା ରାୟରୁ ପୁନର୍ବିଚାର କରିବା ଲାଗି ହୋଇଥିବା ଆବେଦନର ଶୁଣାଣି କରି କୋର୍ଟ ଏହି ରାୟ ଦେଇଛନ୍ତି। ପୂର୍ବରୁ ଲିକ୍ ହୋଇଥିବା ଡକ୍ୟୁମେଣ୍ଟ ବିଚାର ପାଇଁ ଗ୍ରହଣୀୟ ନୁହଁ ବୋଲି ଆଟର୍ଣ୍ଣି ଜେନେରାଲ କୋର୍ଟରେ ଯୁକ୍ତି ଉପସ୍ଥାପନ କରିଥିଲେ।

ଆଇନଜୀବୀ ପ୍ରଶାନ୍ତ ଭୂଷଣ, ବରିଷ୍ଠ ନେତା ଯଶୱନ୍ତ ସିହ୍ନା ଓ ବରିଷ୍ଠ ସାମ୍ବାଦିକ ଅରୁଣ ସୌରୀଙ୍କ ପକ୍ଷରୁ ‘ଦି ହିନ୍ଦୁ’ରେ ପ୍ରକାଶ ପାଇଥିବା ରିପୋର୍ଟକୁ ନେଇ ସୁପ୍ରିମକୋର୍ଟଙ୍କ ଏକ ମାମଲା ହୋଇଥିଲା।

ତେବେ କେନ୍ଦ୍ର ସରକାର ଏହି ଆବେଦନକୁ ବିରୋଧ କରି କୋର୍ଟରେ ନିଜର ପକ୍ଷ ରଖିଥିଲେ। ପ୍ରତିରକ୍ଷା ମନ୍ତ୍ରଣାଳୟରୁ ଗୋପନୀୟ ଦସ୍ତାବିଜର ଫଟୋକପି ନେଇ ଏପରି ଖବର ଛପାଯାଇଛି ବୋଲି ଦର୍ଶାଯାଇଥିଲା। ଏହା ଗୋପନୀୟତା ନିୟମର ଉଲ୍ଲଂଘନ କରୁଥିବାରୁ ଆବେଦନକାରୀଙ୍କ ଦ୍ୱାରା ଦାୟର ହୋଇଥିବା ଆବେଦନକୁ ଗ୍ରହଣ ନକରିବା ପାଇଁ କେନ୍ଦ୍ର ନିଜ ପକ୍ଷ ରଖି କହିଥିଲା। କିନ୍ତୁ ଖଣ୍ଡପୀଠ ଏହି ଯୁକ୍ତିକୁ ଖାରଜ କରିଦେଇଛନ୍ତି।

ଜବାବରେ ଆବେଦନକାରୀ ଦର୍ଶାଇଥିଲେ ଯଦି କୌଣସି ଦୁର୍ନୀତିକୁ ଉଜାଗର କରିବା ପାଇଁ ଗୋପନୀୟତା ନିୟମ ସତ୍ତ୍ୱେ କୌଣସି ସୂତ୍ରରୁ ତଥ୍ୟ ପ୍ରମାଣ ସାମ୍ନାକୁ ଆସୁଛି, ତାହେଲେ ‘ଦି ହିନ୍ଦୁରେ’ ପ୍ରକାଶ ପାଇଥିବା ରିପୋର୍ଟକୁ ଗ୍ରହଣୀୟ ହେବାରେ ଅସୁବିଧା କ’ଣ ରହିଛି। ତେବେ ହୁଇସିଲ ବ୍ଲୋଅର ଆକ୍ଟ ଅନୁଯାୟୀ ଦୁର୍ନୀତି ପ୍ରସଙ୍ଗରେ ପ୍ରମାଣ ଦେଇଥିବା ବ୍ୟକ୍ତିଙ୍କୁ କେହି ତଦନ୍ତ ପରିସରଭୁକ୍ତ କରିପାରିବେ ନାହିଁ କିମ୍ବା ତଥ୍ୟର ସୂତ୍ର ପ୍ରକାଶ କରିବାକୁ ବାଧ୍ୟ କରିପାରିବେ ନାହିଁ ବୋଲି ଆବେଦନକାରୀ ସୁପ୍ରିମକୋର୍ଟରେ କହିଛନ୍ତି।

‘ଦି ହିନ୍ଦୁ’ର ରିପୋର୍ଟ ଅନୁଯାୟୀ, ପ୍ରତିରକ୍ଷା ମନ୍ତ୍ରଣାଳୟର ଆପତ୍ତି ସତ୍ତ୍ୱେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଫ୍ରାନ୍ସ ସହ ଡିଲ୍ କରିଥିଲା। ଏଥିସହ ଫ୍ରାନ୍ସ ସରକାର ବ୍ୟାଙ୍କ ଗ୍ୟାରେଣ୍ଟି ଦେବାକୁ ମନା କରିବାରୁ ଡିଲ୍ ବାବଦରେ ଅଧିକ ଅର୍ଥ ଖର୍ଚ୍ଚ କରାଯାଇଥିଲା ବୋଲି ରିପୋର୍ଟ ପ୍ରକାଶ ପାଇଥିଲା। ତେବେ ଦି ହିନ୍ଦୁ ଖବରକାଗଜ ପକ୍ଷରୁ ଏହି ତଥ୍ୟ କେଉଁ ସୂତ୍ରରୁ ସେମାନେ ପାଇଥିଲେ, ତାହା ଉଜାଗର କରାଯିବ ନାହିଁ ବୋଲି କୁହାଯାଇଛି।

 

You might also like