ଆସନ୍ତାବର୍ଷ ସୁଦ୍ଧା କମ୍‌ ଦାମ୍‌ରେ ମିଳିବ କରୋନା ଟିକା

ନୂଆଦିଲ୍ଲୀ:କରୋନା ଭାଇରସକୁ ନେଇ ସାରା ଦେଶ ଆତଙ୍କିତ ଅବସ୍ଥାରେ ଥିବାବେଳେ ପୁଣେ ସ୍ଥିତ ସେରମ ଇନିଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ଏହି ଚିନ୍ତା ଦୂର କରିବାକୁ ଯାଉଛି। ରବିବାର କମ୍ପାନୀ ପକ୍ଷରୁ କୁହାଯାଇଛି, ଚଳିତବର୍ଷ ଶେଷ ସୁଦ୍ଧା କରୋନା ଟିକା ପ୍ରସ୍ତୁତି କାମ ଶେଷ ହୋଇଯିବ ।  ଆସନ୍ତା ବର୍ଷ ପ୍ରଥମାର୍ଦ୍ଧ ସୁଦ୍ଧା ଦେଶରେ କରୋନା ଟିକା ଯୋଗାଇ ଦିଆଯାଇ ପାରିବ। ପ୍ରାୟ ୨୦ କୋଟି କରୋନା ଟିକା ଉତ୍ପାଦନ କରିବ ସେରମ ଇନିଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ। ଏନେଇ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି ।

ଖାଲି ସେତିକି ନୁହେଁ,  ବିଶ୍ୱର ଅନ୍ୟ ପଛୁଆ ଦେଶରେ ଶସ୍ତା ଦରରେ ଏହି ଟିକା ବିତରଣ କରିବ। ଏଥିପାଇଁ କମ୍ପାନୀକୁ ବିଲ୍ ଏଣ୍ଡ ମିଲିଣ୍ଡା ଗେଟ୍ସ ଫାଉଣ୍ଡେସନ ଆର୍ଥିକ ସହଯୋଗ ଯୋଗାଇ ଦେବା ନେଇ ବୁଝାମଣା ହୋଇଛି । ସେରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ବା ଏସଆଇଆଇ ପକ୍ଷରୁ କୁହାଯାଇଛି ଯେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ଅନ୍ୟ ସରକାରୀ ସଂସ୍ଥା ପକ୍ଷରୁ ମଞ୍ଜୁରୀ ମିଳିବା ପରେ ୨୦୨୧ର ପ୍ରଥମ ୬ ମାସ ମଧ୍ୟରେ ଟିକାର ବଣ୍ଟନ କରାଯିବ ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏସଆଇଆଇ ପକ୍ଷରୁ ପ୍ରସ୍ତୁତ ହେଉଥିବା ଟିକାର ଦର। ଟିକାର ଦର ଅପେକ୍ଷାକୃତ କମ ରହିଛି। ଏହାର ଦାମ୍‌ ୩ ଆମେରିକୀୟ ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ ୨୨୫ ଟଙ୍କା ରହିବ ବୋଲି ପୂର୍ବରୁ କୁହାଯାଇଛି। ତେବେ କମ୍ପାନୀର ସିଇଓ ଅଦାର ପୁନାୱାଲାଙ୍କ କହିଛନ୍ତି, ଆସନ୍ତା ୨ ମାସ ମଧ୍ୟରେ ଏହାର ଚୂଡାନ୍ତ ଦର ଧାର୍ଯ୍ୟ କରାଯିବ।

 

You might also like