ଘରୋଇ ହସ୍ପିଟାଲକୁ ୬୦୦ ଟଙ୍କାରେ କୋଭିସିଲ୍ଡ ବିକ୍ରି ନେଇ ସଫେଇ ଦେଲା ସେରମ୍

ନୂଆଦିଲ୍ଲୀ: କରୋନା ଭାଇରସ୍ ଭ୍ୟାକ୍ସିନ୍ କୋଭିସିଲ୍ଡର ମୂଲ୍ୟକୁ ନେଇ ସମାଲୋଚନାର ସାମ୍ନା କରୁଥିବା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ, ଶନିବାର ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛି। ଏଥିରେ କମ୍ପାନୀ ନିଜ ପକ୍ଷ ରଖିଛି। କମ୍ପାନୀ ଏହି ବିବୃତ୍ତିରେ କହିଛି ଯେ ଭାରତ ସମେତ ବିଶ୍ୱର ଅନେକ ଦେଶ ପାଇଁ ସରକାରମାନେ ଏହି ଭ୍ୟାକ୍ସିନ କିଣୁଥିବାରୁ ଏହାର ମୂଲ୍ୟ ବହୁତ କମ ରହିଛି। କାରଣ ଏହାର ବ୍ୟବହାର ଏକ ବଡ଼ ପରିମାଣରେ କରାଯାଉଛି। ବଜାରରେ ଏବେ ବି କିଛି ଟିକା ବିକ୍ରି ହେଉଛି, ଯାହାର ଦାମ ସରକାରଙ୍କୁ ଦିଆଯାଉଥିବା ଟିକାର ମୂଲ୍ୟଠାରୁ ଢ଼େର ଅଧିକ।

ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ ବିବୃତ୍ତିରେ କୁହାଯାଇଛି ଯେ, ସାରା ବିଶ୍ୱରେ ସବୁଠୁ ଶସ୍ତା ଟିକା ହେଉଛି କୋଭିସିଲ୍ଡ। କାରଣ ଆରମ୍ଭରୁ ଏହି ଟିକା ବିକଶିତ କରିବା ପାଇଁ ଅନେକ ଦେଶ ଆର୍ଥିକ ସହଯୋଗ ଯୋଗାଇ ଦେଇଥିଲେ। ଭାରତ ମଧ୍ୟ ଏଥିପାଇଁ ଅନେକ ସହାୟତା ଯୋଗାଇଛି। ତେଣୁ ଭାରତ ସରକାରଙ୍କୁ କୋଭିସିଲ୍ଡ ଟିକା ଖୁବ୍ ଶସ୍ତାରେ ଦିଆଯାଇଛି। ବିଭିନ୍ନ ଦିଗରୁ କୋଭିସିଲ୍ଡ ଟିକା ବିକାଶିତ ବେଳେ ଫଣ୍ଡିଂ ଆସିଥିବାରୁ, ଟିକାକରଣ ପାଇଁ ଭାରତ ସମେତ ବିଭିନ୍ନ ଦେଶମାନଙ୍କୁ ଖୁବ୍ କମ୍ ଦରରେ କୋଭିସିଲ୍ଡ ଟିକା ଯୋଗାଇ ଦିଆଯାଇଛି। ଅନ୍ୟ ଦେଶରେ ଟିକା ମୂଲ୍ୟ ସହ ଭାରତରେ ଟିକା ମୂଲ୍ୟକୁ ଭିନ୍ନ ଢଙ୍ଗରେ ତୁଳନା କରାଯାଉଛି। ଏଭଳି କରିବା ଉଚିତ ନୁହେଁ।

କମ୍ପାନୀ ନିଜ ବିବୃତ୍ତିରେ କହିଛି ଯେ ସାମ୍ପ୍ରତିକ ପରିସ୍ଥିତି ଅତ୍ୟନ୍ତ ଚ୍ୟାଲେଞ୍ଜିଂ ରହିଛି। ଭୂତାଣୁ କ୍ରମାଗତ ଭାବରେ କଡ଼ ଲେଉଟାଉଛି ଏବଂ ସାଧାରଣ ଜୀବନ ବିପଦରେ ପଡ଼ିଛି। ଅନିଶ୍ଚିତତାକୁ ଦୃଷ୍ଟିରେ ରଖି ଟିକା ଉତ୍ପାଦନକୁ ବୃଦ୍ଧି କରିବା ଏବଂ ବିସ୍ତାର କରିବା ପାଇଁ ଆମକୁ ନିବେଶ ଜାରି ରଖିବାକୁ ହେବ। ଯାହାଦ୍ୱାରା ଆମେ ପୂର୍ଣ୍ଣ କ୍ଷମତା ସହ କରୋନା ମହାମାରୀ ସହ ଲଢ଼େଇ କରିପାରିବା ଏବଂ ଲୋକଙ୍କ ଜୀବନ ରକ୍ଷା କରିପାରିବା।

କୁହାଯାଇଛି ଯେ, ଏକ ସୀମିତ ସଂଖ୍ୟକ କୋଭିସିଲ୍ଡ ଟିକା ଘରୋଇ ଡାକ୍ତରଖାନାକୁ ୬୦୦ ଟଙ୍କା ମୂଲ୍ୟରେ ବିକ୍ରି ହେବ। ଟିକାର ଏହି ମୂଲ୍ୟ କରୋନା ଭାଇରସ୍ ଏବଂ ଅନ୍ୟାନ୍ୟ ଚିକିତ୍ସା ଖର୍ଚ୍ଚଠାରୁ ବହୁତ କମ୍ ରହିଛି। କମ୍ପାନୀ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ, ଲୋକଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ସାରା ବିଶ୍ୱରେ ଉପଲବ୍ଧ ଦ୍ୱିତୀୟ ଟିକା ପାଇଁ ବଜାର ଖୋଲିବା ଉଚିତ। ଏହାଦ୍ୱାରା ଦେଶରେ ଟିକାକରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାରେ ସହଜ ହେବ।

ତେବେ ସେରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ପକ୍ଷରୁ ଏଭଳି ସ୍ପଷ୍ଟୀକରଣ ଦିଆଯିବା ପରେ ଅନେକାଂଶରେ ସମାଲୋଚନା କମିଥିବା ଦେଖାଯାଇଛି। କମ୍ପାନୀ ମଧ୍ୟ ଏହା ଆଶା ରଖିଛି ଯେ, ଏହି ସ୍ପଷ୍ଟୀକରଣ ପରେ ଟିକା ମୂଲ୍ୟକୁ ନେଇ ଅଯଥା ଆଲୋଚନା ଓ ସମାଲୋଚନା କରାଯିବ ନାହିଁ।

You might also like