ଦୋସାରେ ବିଷ ଦେଇ ଓଡ଼ିଆ ବୈଜ୍ଞାନିକଙ୍କୁ ହତ୍ୟା ଉଦ୍ୟମ !

ନୂଆଦିଲ୍ଲୀ: ଇସ୍ରୋ ବୈଜ୍ଞାନିକ ତପନ ମିଶ୍ରଙ୍କୁ ବିଷ ଦେଇ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ସୋସିଆଲ ମିଡିଆରେ ନିଜେ ତପନ ମିଶ୍ର ଏହି ସାଂଘାତିକ ଅଭିଯୋଗ ଆଣିଛନ୍ତି। ଏହାସହ ଘଟଣାର ତଦନ୍ତ କେନ୍ଦ୍ର ସରକାର କରନ୍ତୁ ବୋଲି ସେ ଦାବି କରିଛନ୍ତି।

ତପନ ମିଶ୍ରଙ୍କ ଅଭିଯୋଗ ଅନୁଯାୟୀ, ୩ ବର୍ଷ ତଳେ ତାଙ୍କୁ ବିଷ ଦେଇ ମାରିଦେବାକୁ ଉଦ୍ୟମ ହୋଇଥିଲା। ୨୦୧୭ ମେ’ ୨୩ ତାରିଖରେ ବିଷ ଦେଇ ହତ୍ୟା ଉଦ୍ୟମ ହୋଇଥିଲା। ବେଙ୍ଗାଲୁରୁ ମୁଖ୍ୟାଳୟରେ ପ୍ରମୋସନ ସାକ୍ଷାତକାର ବେଳେ ଏହି ଘଟଣା ଘଟିଥିଲା।

ସେ ଆହୁରି ଅଭିଯୋଗ ଆଣିଛନ୍ତି, ଦୋସା ଓ ଚଟଣିରେ ବିଷ ଦେଇ ମାରିଦେବାକୁ ଉଦ୍ୟମ ହୋଇଥିଲା। Arsenic trioxide ମିଶାଇ ଖାଇବାକୁ ଦିଆଯାଇଥିଲା। ଏହାପରେ ଶ୍ୱାସକ୍ରିୟା, ଚର୍ମ, ଫଙ୍ଗାଲ ଇନ୍‌ଫେକସନ ହୋଇଥିଲା।

ଏହି ଘଟଣାକୁ ନେଇ ଦିଲ୍ଲୀ ଏମ୍ସର ମେଡିକାଲ ରିପୋର୍ଟ ମଧ୍ୟ ଦର୍ଶାଇଛନ୍ତି ତପନ। ଗୁରୁତ୍ୱପୂର୍ଣ୍ଣ ପଦବୀରୁ ହଟାଇ ଦେବା ପାଇଁ ଏପରି ଷଡ଼ଯନ୍ତ୍ର ହୋଇଥିଲା ବୋଲି ସେ ଅଭିଯୋଗ ଆଣିଛନ୍ତି।

ସେ ଚିଠିରେ ଉଲ୍ଲେଖ କରିଛନ୍ତି, ୨୦୧୭ ମେ’ ୨୩ରେ ମାରାତ୍ମକ Arsenic Trioxide ମୋତେ ଦିଆଯାଇଥିଲା। ମଧ୍ୟାହ୍ନ ଭୋଜନ ପରେ ସ୍ନାକ୍ସରେ ଦୋସା ଓ ଚଟଣିରେ ବିଷ ମିଶାଇ ମୋତେ ଖାଇବାକୁ ଦିଆଯାଇଥିଲା। ଏହା ପରେ ପରେ ମୁଁ ଅସୁସ୍ଥ ଅନୁଭବ କରିଥିଲି। ଶ୍ୱାସକ୍ରିୟା ଜନିତ ସମସ୍ୟା ଭୋଗିଥିଲି। ଏହାସହ ଚର୍ମ ରୋଗ ମଧ୍ୟ ଦେଖା ଦେଇଥିଲା ଓ ଫଙ୍ଗାଲ ଇନ୍‌ଫେକସନ ହୋଇଥିଲା। ଏହାପରେ ଦୁଇ ବର୍ଷରୁ ଅଧିକ ଦିନ ଧରି TMH ମୁମ୍ବାଇ ଓ ଦିଲ୍ଲୀ ଏମ୍ସରେ ଚିକିତ୍ସା କରାଇଥିଲି ବୋଲି କହିଛନ୍ତି ଇସ୍ରୋ ବୈଜ୍ଞାନିକ ତପନ ମିଶ୍ର।

ତପନ ମିଶ୍ର ଏବେ ଇସ୍ରୋରେ ବରିଷ୍ଠ ପରାମର୍ଶଦାତା ଭାବେ କାର୍ଯ୍ୟରତ ଓ ଚଳିତ ମାସ ଶେଷରେ ସେ ଅବସର ନେବେ। ଏହା ପୂର୍ବରୁ ସେ ଇସ୍ରୋର ଅହମ୍ମଦାବାଦରେ ଥିବା ସ୍ପେଶ ଆପ୍ଲିକେସନ ସେଣ୍ଟରରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟ ତୁଲାଇଛନ୍ତି।

You might also like