ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ପରଲୋକ
ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ପରଲୋକ ହୋଇଛି। ଗତକାଲି ବିଳମ୍ବିତ ରାତି ୩ଟା ୩୦ ମିନିଟ୍ରେ ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲ୍ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା।
ତାଙ୍କର ଏକାଧିକ ଅଙ୍ଗପ୍ରତ୍ୟଙ୍ଗ ଅଚଳ ହେବା ପରେ ଦେହାନ୍ତ ହୋଇଥିବା ତାଙ୍କ ପୁଅ ଫୈସଲ ପଟେଲ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଅକ୍ଟୋବର ୧ ତାରିଖରେ ଅହମ୍ମଦଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିଲା। ଏହାପରେ ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ତେବେ ଚଳିତ ମାସ ୧୫ ତାରିଖରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା।
ଅହମ୍ମଦ ପଟେଲ ଗୁଜରାଟରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ଏହାକୁ ମିଶାଇ ସେ ମୋଟ୍ ୮ ଥର ସାଂସଦ ହୋଇଥିଲେ। ଦଳରେ ଅହମ୍ମଦ ପଟେଲଙ୍କର ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା।ଦୀର୍ଘ ବର୍ଷ ଧରି ସେ ସୋନିଆ ଗାନ୍ଧିଙ୍କ ରାଜନୈତିକ ପରାମର୍ଶଦାତା ଭାବେ କାମ କରିଥିଲେ। ସୋନିଆଙ୍କ ନିକଟତମ ରାଜନେତାଙ୍କ ମଧ୍ୟରେ ସେ ଥିଲେ ଅନ୍ୟତମ।