କରୋନା ରୋଗୀଙ୍କ ଚିକିତ୍ସା କରୁ କରୁ କରୋନା ନେଇଗଲା ଜୀବନ
ନୂଆଦିଲ୍ଲୀ: କରୋନାରେ ଆକ୍ରାନ୍ତ ହୋଇ ଦିଲ୍ଲୀ ଏମ୍ସର ବରିଷ୍ଠ ଡାକ୍ତର ଜିତେନ୍ଦ୍ର ନାଥ ପାଣ୍ଡେ ପ୍ରାଣ ହରାଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ହୋଇଛି।
ଡାକ୍ତର ପାଣ୍ଡେ ଏମ୍ସରେ କରୋନା ରୋଗୀଙ୍କ ଚିକିତ୍ସା ଦାୟିତ୍ୱରେ ଥିଲେ। ଗତ ୧୯ ତାରିଖରେ ସେ ଓ ତାଙ୍କ ପତ୍ନୀ କରୋନାରେ ଆକ୍ରାନ୍ତ ହୋଇଥିବା କରୋନା ଟେଷ୍ଟ ରିପୋର୍ଟରୁ ଜଣାପଡ଼ିଥିଲା।
ଡାକ୍ତର ପାଣ୍ଡେଙ୍କ ମୃତ୍ୟୁ ନେଇ ଦିଲ୍ଲୀର ଜଣେ ବରିଷ୍ଠ ଡାକ୍ତର ସଙ୍ଗୀତା ରେଡ୍ଡୀ ସୂଚନା ଦେଇଛନ୍ତି। ସେ ଟ୍ୱିଟ୍ କରି ଡାକ୍ତର ପାଣ୍ଡେଙ୍କ ମୃତ୍ୟୁକୁ ନେଇ ଶୋକ ବ୍ୟକ୍ତ କରିବା ସହ କରୋନା ଲଢ଼େଇରେ ଜିତେନ୍ଦ୍ର ନାଥଙ୍କ ଭୂମିକା ଓ ଅଦମ୍ୟ ସାହାସର କଥାକୁ ଉଲ୍ଲେଖ କରିଛନ୍ତି। ତାଙ୍କ ମୃତ୍ୟୁରେ ଏମ୍ସ ସମେତ ଦିଲ୍ଲୀରେ ଥିବା ଡାକ୍ତରଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି।
Deeply saddened to hear that today @covid19 claimed it’s most illustrious victim Dr. J.N Pande Director & Prof of Pulmonology @aiims_newdelhi
A stalwart of the medical world his work in pulmonology will continue to ensure better health for manyMy Condolences to his family🙏 pic.twitter.com/ByE83ikItS
— Dr. Sangita Reddy (@drsangitareddy) May 23, 2020
ଗତ ଦୁଇ ଦିନ ତଳେ ଏମ୍ସର ଜଣେ ମେସ୍ କର୍ମଚାରୀଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିଲା। ଏହା ପୂର୍ବରୁ ଦିଲ୍ଲୀ ଏମ୍ସରେ କାର୍ଯ୍ୟରତ ଜଣେ ପୁଲିସ୍ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ, ହସ୍ପିଟାଲ୍ରେ ନିଯୁକ୍ତି ପାଇଥିବା କିଛି ପୁଲିସ୍ କର୍ମଚାରୀଙ୍କୁ କ୍ୱାରେଣ୍ଟିନ୍ରେ ରଖାଯାଇଥିଲା।
କେବଳ ଏମ୍ସ ନୁହେଁ ଗତ ମାସରେ ହିନ୍ଦୁ ରାଓ, ବାବୁ ଜଗଜୀବନ ରାମ୍ ମେମୋରିଆଲ ଏବଂ ଦିଲ୍ଲୀ କ୍ୟାନ୍ସର ଇନ୍ଷ୍ଟିଚ୍ୟୁଟ୍ ସିଲ୍ କରାଯାଇଥିଲା। ଏହିସବୁ ହସ୍ପିଟାଲ୍ରେ କିଛି ଡାକ୍ତର ଓ ନର୍ସଙ୍କ କରୋନା ଟେଷ୍ଟ୍ ରିପୋର୍ଟ ପଜିଟିଭ୍ ଆସିବା ପରେ ହସ୍ପିଟାଲ୍କୁ ସିଲ୍ କରି ଦିଆଯାଇଥିଲା।
ଦିଲ୍ଲୀରେ ଏ ଯାବତ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ହଜାରରୁ ଅଧିକ ରହିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୨୦୮ଜଣଙ୍କ ମୃତ୍ୟୁ ଘଟିଛି।