ସବରକରଙ୍କୁ ଭାରତରତ୍ନ ଦେବା ପାଇଁ ଯିଏ ବିରୋଧ କରୁଛନ୍ତି ସେମାନଙ୍କୁ ଆଣ୍ଡାମାନ୍‌ ଜେଲ୍‌ ପଠାଅ; ସଞ୍ଜୟ ରାଉତ

ମୁମ୍ବାଇ: ନିଜ ବିସ୍ଫୋରକ ମନ୍ତବ୍ୟ ପାଇଁ ପରିଚିତ ଶିବସେନା ନେତା ସଞ୍ଜୟ ରାଉତ୍ ଆଜି ପୁଣି ଏକ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଯେଉଁମାନେ ବୀର ସବରକରଙ୍କୁ ଭାରତ ରତ୍ନ ଦେବାରେ ବିରୋଧ କରୁଛନ୍ତି ସେମାନଙ୍କୁ ଆଣ୍ଡାମାନର ସେହି ସେଲୁଲାର ଜେଲ୍‌ର କାଳ କୋଠରୀକୁ ଦୁଇ ଦିନ ପାଇଁ ପଠାଇ ଦେବା ଦରକାର। ତେବେ ଯାଇ ସେମାନେ ବୁଝିବେ ଯେ ସବରକର ଦେଶ ପାଇଁ କେତେ ବଡ଼ ତ୍ୟାଗ ଓ ବଳିଦାନ ଦେଇଥିଲେ।

ସଞ୍ଜୟ ରାଉତଙ୍କ ମନ୍ତବ୍ୟକୁ ସମର୍ଥନ କରିଛନ୍ତି ସବରକରଙ୍କ ନାତି ରଞ୍ଜିତ ସବରକର। ସବରକରଙ୍କୁ ବିରୋଧ ନକରିବାକୁ ଶିବସେନା କଂଗ୍ରେସ ନେତାମାନଙ୍କୁ ବୁଝାଇବ ବୋଲି ସେ ଆଶା କରନ୍ତି । ଏଥିସହିତ ସଞ୍ଜୟ ରାଉତ ଇନ୍ଦିରା ଗାନ୍ଧିଙ୍କ ଉପରେ ଦେଇଥିବା ମନ୍ତବ୍ୟକୁ ମଧ୍ୟ ସେ ସମର୍ଥନ କରନ୍ତି ବୋଲି କହିଥିଲେ ରଞ୍ଜିତ।

କିନ୍ତୁ ଏହାର ତୁରନ୍ତ ପରେ ରଞ୍ଜିତ୍ ତାଙ୍କ କଥାରୁ ଓହରି ଯାଇଥିଲେ। କହିଥିଲେ, “ଯଦି କେହି ଭାବନ୍ତି ଯେ ମୋ ମନ୍ତବ୍ୟ ଇନ୍ଦିରା ଗାନ୍ଧିଙ୍କ ଛବିକୁ ଖରାପ କରିବା ସହିତ କାହାର ଭାବନକୁ ଆଘାତ ଦେଇଛି ତେବେ ମୁଁ ମୋ କଥାକୁ ଫେରାଇ ନେଉଛି।”

ସେ ତାଙ୍କର ସଫେଇରେ କହିଥିଲେ “ ପୂର୍ବଥର ମୁଁ ଇନ୍ଦିରା ଗାନ୍ଧୀଙ୍କ ସପକ୍ଷରେ ମନ୍ତବ୍ୟ ଦେଇଥିଲି। ଯେଉଁମାନେ ଇନ୍ଦିରାଙ୍କ ଛବି ମଳିନ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ଏମିତି ନ କରିବାକୁ ଅନୁରୋଧ କରିଥିଲି। ସେପରି ସ୍ଥଳେ କଂଗ୍ରେସ ନେତା କିନ୍ତୁ ନିରବ ଥିଲେ। ”

ତେବେ ଏସବୁ ମନ୍ତବ୍ୟ ପରେ ଶିବସେନା ଓ କଂଗ୍ରେସ ମେଣ୍ଟ ସରକାରରେ ଫାଟ ସୃଷ୍ଟି ହେବା ଆଶଙ୍କା ଉପରେ ଜବାବ ରଖିଛନ୍ତି ମେଣ୍ଟ ସରକାରର ମନ୍ତ୍ରୀ ଆଦିତ୍ୟ ଠାକରେ। ସେ କହିଛନ୍ତି ଶିବସେନା ଓ କଂଗ୍ରେସ ମେଣ୍ଟ ମଜଭୁତ୍ ରହିଛି। ଆମେ ରାଜ୍ୟର ବିକାଶ ପାଇ ଆସିଛୁ। ତେବେ କିଛି ଘଟଣା ଉପରେ ଆମର ମତ ଭିନ୍ନ ହୋଇପାରେ। ଏହା ହିଁ ଗଣତନ୍ତ୍ର। ତଥାପି ଆମେ ଇତିହାସ ଉପରେ ଧ୍ୟାନ ଦେବା ବଦଳରେ ବର୍ତ୍ତମାନର ପରିସ୍ଥିତି ଉପରେ ଧ୍ୟାନ ଦେବା ଦରକାର ବୋଲି କହିଛନ୍ତି ଆଦିତ୍ୟ।

You might also like