ନ୍ୟାୟ ପାଇଁ ୭ ବର୍ଷ ଧରି ଲଢୁଥିଲେ, ଟଙ୍କାଟିଏ ବି ନେଇ ନ ଥିଲେ

ନୂଆଦିଲ୍ଲୀ: ଆଜିକୁ ଠିକ୍ ୭ବର୍ଷ ୩ମାସ ୩ ଦିନ ତଳର ଘଟଣା। ୨୦୧୨, ଡିସେମ୍ବର ୧୬ ତାରିଖର ସେଇ କାଳ ରାତି । ରାଜଧାନୀ ଦିଲ୍ଲୀରେ ଚଳନ୍ତା ବସ୍‌ରେ ୬ ଜଣ ମିଶି ଜଣେ ଅସହାୟା ଯୁବତୀଙ୍କୁ ଗଣବଳାତ୍କାର କରିଥିଲେ। ନିର୍ଦ୍ଦୟତାର ସବୁ ସୀମା ପାର କରି ଦେଇଥିଲେ ଏହି ନରରାକ୍ଷସ ଗଣ। ଯୁବତୀଙ୍କ ସହ ଥିବା ବନ୍ଧୁଙ୍କୁ ମଧ୍ୟ ଛାଡ଼ି ନ ଥିଲେ ଏମାନେ। ପରେ ଯୁବତୀଙ୍କୁ ଚଳନ୍ତା କାରରୁ ବାହାରକୁ ଫୋପାଡ଼ି ଦେଇଥିଲେ।

୭ବର୍ଷ ଲମ୍ବା ପ୍ରତୀକ୍ଷା ପରେ ଆଜି ମିଳିଛି ନ୍ୟାୟ। ଆଜି ନିର୍ଭୟା ମାମଲାର ୪ ଦୋଷୀଙ୍କୁ ମିଳିଛି ଫାଶି ଦଣ୍ଡ। ତିହାର ଜେଲରେ ପାଶି ଖୁଣ୍ଟରେ ଆଜି ସକାଳୁ ଝୁଲାଇ ଦିଆଯାଇଛି ଏହି ୪ ଦୋଷୀଙ୍କୁ। ହେଲେ ଏଥିପାଇଁ କମ୍‌ ସଂଘର୍ଷ କରିବାକୁ ପଡ଼ିନି ନିର୍ଭୟା ଓକିଲଙ୍କୁ। ସେ କେବଳ ନିର୍ଭୟାଙ୍କୁ  ନ୍ୟାୟ ଦେଇ ନାହାନ୍ତି, ନ୍ୟାୟ ଦେଇଛନ୍ତି ଏ ଦେଶର ନାରୀଙ୍କୁ। ନିର୍ଭୟାଙ୍କ ଏହି ଓକିଲ ହେଉଛନ୍ତି ସୀମା କୁଶୱାହା।

ନିର୍ଭୟାକୁ ନ୍ୟାୟ ଦେବା ପାଇଁ ୨୦୧୨ରୁ ଆଜି ପର୍ଯ୍ୟନ୍ତ ସୀମା ଯେପରି ଆଇନର ଲଢେଇ କରୁଥିଲେ ସେ ନେଇ ଆଜି ତାଙ୍କୁ ମିଳିଛି ଅନେକ ପ୍ରଶଂସା। ୪ ଦୋଷୀଙ୍କୁ ଫାଶି ମିଳିବା ପରେ ଲୋକେ ସୀମାଙ୍କୁ ଧନ୍ୟବାଦରେ ପୋତି ଦେଇଛନ୍ତି। ସବୁଠାରୁ ବଡ଼ କଥା ଏହି ମାମଲା ପାଇଁ ସୀମା ଟଙ୍କାଟିଏ ବି ନେଇ ନାହାନ୍ତି।

ଘଟଣା ପରେ ସୀମା ନିଜେ ତାଙ୍କ ଆଡୁ ଘୋଷଣା କରିଥିଲେ ଯେ ସେ ଏହି ମାମଲା ମାଗଣାରେ ଲଢିବେ। ନିମ୍ନ ଅଦାଲତରୁ ଆରମ୍ଭ କରି ଫାଶି ଦେବା ପର୍ଯ୍ୟନ୍ତ ଏହି ଯୁଦ୍ଧ ସେ ଲଢି ଆସିଛନ୍ତି।
ଉତ୍ତରପ୍ରଦେଶ ବାସିନ୍ଦା ସୀମା ଦିଲ୍ଲୀ ବିଶ୍ୱବିଦ୍ୟଳୟରେ ଓକିଲାତି ପଢୁଥିଲେ। ମିଡିଆ ରିପୋର୍ଟ ଅନୁସାରେ ସୀମା ଆଇଏଏସ୍‌ ଅଫିସର ହେବା ପାଇଁ ଚାହୁଁଥିଲେ। ହେଲେ ଘଟଣାକ୍ରମେ ସେ ଓକିଲ ହୋଇଗଲେ। ୨୦୧୨ରେ ଯେତେବେଳେ ନିର୍ଭୟା ଘଟଣା ଘଟିଲା ସେତେବେଳେ ସୀମା କୋର୍ଟରେ ପ୍ରାକ୍ଟିସ୍‌ କରୁଥିଲେ। ସେତେବେଳେ ସୀମା ଏହି କେସ୍‌ ମାଗଣାରେ ଲଢିବେ ବୋଲି ଘୋଷଣା କରିଥିଲେ ଆଉ ନିଷ୍ପତ୍ତି ନେଇଥିଲେ ନିର୍ଭୟାକୁ ନ୍ୟାୟ ନିଶ୍ଚୟ ଦେବି।

ଏକ ଇଣ୍ଟରଭ୍ୟୁରେ ସୀମା କହିଛନ୍ତି, ଯଦି ଫାଷ୍ଟ ଟ୍ରାକ୍‌ କୋର୍ଟ ଏହି ମାମଲାକୁ ଲିଷ୍ଟିଂ ପାଇଁ ଚେଷ୍ଟା କରି ନ ଥାନ୍ତେ ତେବେ ହୁଏତ ମାମଲା ସେଇଠି ଅଟକି ରହିଥାନ୍ତା। ସେ ନିଜେ ଏପରି ଏକ ସ୍ଥାନରୁ ଆସିଛନ୍ତି ଯେଉଁଠାରେ ଝିଅମାନେ ଅଧିକ ସ୍ୱାଧୀନତା ପାଇ ନାହାଁନ୍ତି। ଏହା ପରେ ବି ସେ ଜଣେ ଓକିଲ ହୋଇଛନ୍ତି। ତାଙ୍କ ଘର ଏଭଳି ଏକ ଗାଁରେ ଯେଉଁଠି ଝିଅମାନଙ୍କୁ ପାଠ ପଢ଼ିବାକୁ ଦିଆଯାଏ ନାହିଁ। ହେଲେ ନିଜର ଅଧିକାର ପାଇଁ ଲଢ଼େଇ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ନିର୍ଭୟା କେସ ସୀମାଙ୍କ ଓକିଲାତି କ୍ୟାରିୟରର ପ୍ରଥମ କେସ୍‌ ଯାହାକୁ ସେ ଖୁବ୍‌ ଲଗନ୍‌ର ସହ ଲଢିଥିଲେ। ଆଉ ଶେଷରେ ଜିତିଥିଲେ ମଧ୍ୟ। ଏହି ମାମଲାରେ ସୀମା ଖାଲି କୋର୍ଟ ପରିସରରେ ନୁହେଁ, କୋର୍ଟ ବାହାରେ ମଧ୍ୟ ନିର୍ଭୟା ବାପା-ମା’ଙ୍କ ସହ ଥିଲେ। ତାଙ୍କୁ ସାହାସ ଯୋଗାଇଥିଲେ।

You might also like